ନିଖିଳ ଓଡିଶା ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ସଙ୍ଘର ୪ର୍ଥ ଜିଲ୍ଲା ସମ୍ମିଳନୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ସଂଘର ଚତୁର୍ଥ ଜିଲ୍ଲା ସମ୍ମିଳନୀ ଶୁକ୍ରବାର ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାନେତ୍ରୀ ମମତାଜ ଖୁଣ୍ଟିଆଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଙ୍ଗନବାଡ଼ି କର୍ମୀ ସଂଘ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଜେନା , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ,ଏଆଇ ଟିୟୁସି ନେତା ପ୍ରବୀଣ ଦାସ , ଶ୍ରମିକ ତଥା ଯୁବ ନେତା ନୀଳକଣ୍ଠ ଦାଶ ପ୍ରମୁଖ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ଶ୍ରମିକ ମାରଣ ନୀତିକୁ ଦୃଢ଼ ବିରୋଧ କରିଥିଲେ । ଅଙ୍ଗନବାଡି କର୍ମୀ କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରିବା , ଏସଏନପି ଦରବୃଦ୍ଧି କରିବା ,ଅଙ୍ଗନବାଡି କର୍ମୀଙ୍କ ସାମାଜିକ ସୁରକ୍ଷା ଆଦିକୁ ନେଇ ପ୍ରସ୍ତୁତ କରାଯାଇଥିବା ୧୬ ଦଫା ଦାବିକୁ ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।ଏହା ସହିତ କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ମୋଦୀ ସରକାର ଅମଳରେ ଆଇସିଡିଏସ ର ଅଧୋଃଗତି , କର୍ପୋରେଟ ପ୍ରୀତି ଏବଂ କର୍ମୀଙ୍କ ପ୍ରତି କରାଯାଇଥିବା ଅବିଚାରକୁ ନେଇ ସମାଲୋଚନା କରାଯାଇଥିଲା । ଉପସ୍ଥିତ ରାଜ୍ୟ ଓ ଜିଲ୍ଲା ସଂଗଠନ କର୍ମକର୍ତ୍ତା ନିଜ ନିଜ ଅଭିଭାଷଣରେ କର୍ମୀଙ୍କ ସମସ୍ୟା ଓ ବିଭାଗୀୟ ଅବିଚାରକୁ ନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହା ସହିତ ଆସନ୍ତା ୯ ତାରିଖରେ ଭୁବନେଶ୍ଵର ଠାରେ ହେବାକୁ ଥିବା ଅଙ୍ଗନବାଡ଼ି କର୍ମୀ ସଂଗଠନର ମିଳିତ ବିକ୍ଷୋଭ ଆନ୍ଦୋଳନକୁ ଗଞ୍ଜାମ ଜିଲ୍ଲାରୁ ବହୁ ମାତ୍ରାରେ ଅଂଶ ଗ୍ରହଣ କରି ସଫଳ କରାଇବାକୁ ଆହ୍ଵାନ ଦିଆଯାଇଥିଲା l ସମ୍ମିଳନୀ ପରିଶେଷ ରେ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ l ନିଖିଳ ଓଡିଶା ଗଞ୍ଜାମ ଜିଲ୍ଲା ଅଙ୍ଗନବାଡି କର୍ମୀ ସଂଘ ର ଉପଦେଷ୍ଠା ଭାବେ ପ୍ରବୀଣ କୁମାର ଦାଶ ଓ ନୀଳକଣ୍ଠ ଦାଶ, ସଭାନେତ୍ରୀ ଭାବେ ମମତାଜ ଖୁଣ୍ଟିଆ, କାର୍ଯ୍ୟକାରୀ ସଭାନେତ୍ରୀ ମାଣିକେଶ୍ବରୀ ପଟ୍ଟନାୟକ, ସମ୍ପାଦିକା ଭାବେ ନର୍ମଦା ନାହାକ, ଉପସଭାନେତ୍ରୀ ଭାବେ ବାସନ୍ତୀ ସାହୁ, ପ୍ରତିମା ଦାସ ଓ ଲକ୍ଷ୍ମୀ ପ୍ରିୟା ପ୍ରଧାନ, ସହ -ସମ୍ପାଦିକା ଭାବେ ମିତା ରାଣୀ ମିଶ୍ର, ଉମାରାଣୀ ପାତ୍ର ଓ ଦମୟନ୍ତୀ ଦୋରା ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ l ଏହାସହିତ ପ୍ରତ୍ୟେକ ବ୍ଲକ ର ସଭାନେତ୍ରୀ ଓ ସମ୍ପାଦିକା ମାନଙ୍କୁ ଜିଲ୍ଲା କମିଟି ସଭ୍ୟା ରୂପେ ଚୟନ କରଯାଇଥିଲା l ପ୍ରାରମ୍ଭରେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରୁ ସଂଘ ର ଶହ ଶହ କର୍ମୀ ମାନେ ହାତରେ ଏଆଇଟିୟୁସି ପତାକା ଧରି ସେମାନଙ୍କ ହକ ନିମନ୍ତେ ଏକ ଶୋଭଯାତ୍ର ରେ ସହର ପରିକ୍ରମା କରି ସମ୍ମିଳନୀ ସ୍ଥଳରେ ପହଁଚି ଥିଲେ l ସେଠାରେ ଅଙ୍ଗନବାଡି ନେତ୍ରୀ ମାଣିକେଶ୍ବରୀ ପଟ୍ଟନାୟକ ଏଆଇଟିୟୁସି ପତାକା ଉତ୍ତୋଳନ କରିଥିଲେ l ଶେଷରେ ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ l