ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ସମ୍ପର୍କରେ ପରାମର୍ଶ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ସମ୍ପର୍କରେ ମଙ୍ଗଳବାର ପୂର୍ବାହ୍ନ ୧୦.୪୦ ମିିନିଟ୍ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଏକ ପରାମର୍ଶ ବୈଠକ ସ୍ଥାନୀୟ ଜୟଦେବ ଭବନର ଗୀତଗୋବିନ୍ଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଶିଷ୍ଟ ରାଜନେତା, ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ, ଅଭିଭାବକବୃନ୍ଦ ଓ ୩୦ଟି ଜିଲ୍ଲାର ସଭାପତି ସମ୍ପାଦିକା ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀର ସଦସ୍ୟାମାନେ ଯୋଗଦାନ କରିଥିଲେ । ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବେହେରା ଯୋଗଦେଇ କହିଲେ ଯେ, ଏ.ଏନ୍.ଏମ୍ମାନଙ୍କ ନିଯୁକ୍ତି ସମ୍ପର୍କରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବା ଦରକାର । ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍ଗୋ ଏ.ଏନ୍.ଏମ୍ ସ୍ୱାସ୍ଥ୍ୟକର୍ମୀମାନଙ୍କ ସପକ୍ଷଷର ମତ ରଖି ଦାବି ପୂରଣ ପାଇଁ କିଭଳି ପଦକ୍ଷେପ ନିଆଯାଇ ପାରିବ, ସେ ବିଷୟରେ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୁଜାତାରାଣୀ ଦାଶ, ସଚ୍ଚିକାନ୍ତ ପ୍ରଧାନ, ଶୁଭେନ୍ଦୁ ପାଇକରାୟ, ପ୍ରଫେସର ଯନ୍ତ୍ରଣା ପରିକ୍ଷୀତ, ଗୌରାଙ୍ଗ ମହାପାତ୍ର, ପି.କେ. ଦାଶ, ମହେନ୍ଦ୍ର ପରିଡ଼ା, ସୁରେଶ ପୃଷ୍ଟି, ଗୌରାଙ୍ଗ ପାଣିଗ୍ରାହୀ, ଆଡ଼ଭୋକେଟ ପ୍ରମୋଦ କୁମାର ସାହୁ, ଶ୍ରୀନିବାସ ମହାନ୍ତି, ପ୍ରହଲ୍ଳାଦ ମହାନ୍ତି, ତୁଷାରକାନ୍ତ, ସୁବ୍ରତ କୁମାର ରଥ, ଦୀପା ମହାପାତ୍ର, ସି.ଆର. ବେହେରାଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହି ଅଣନିଯୁକ୍ତି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗୁଡ଼ିକ ବିଷୟରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଓ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରସ୍ତୁ୍ତି କରାଯାଇଥିଲା । ଉକ୍ତ ଦାବିପତ୍ର ଆସନ୍ତା ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ପାର୍ଥସାରଥୀ ଜେନା ସୂଚନା ଦେଇଛନ୍ତି । ଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ବିଷ୍ଣୁପ୍ରିୟା ଖଣ୍ଡାଇ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ସମସ୍ତ ଜିଲ୍ଲାର ୨୫୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଓ ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଦସ୍ୟାମାନେ ଯୋଗଦାନ କରିଥିଲେ ।