ନିଖିଳ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନର ଜିଲା ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା) : ନିଖିଳ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନର ବାଲେଶ୍ୱର ଜିଲା ସମ୍ମିଳନୀ ସ୍ଥାନୀୟ କେନ୍ଦ୍ର ସମବାୟ କର୍ମଚାରୀ ସଂଘ ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବିଧାୟକ ସ୍ୱରୂପ ଦାସ ଏହି ସମ୍ମିଳନୀକୁ ଉଦ୍ଘାଟନ ସହ ଇପିଏଫ ସଂସ୍ଥାରୁ ପେନସନ ପାଉଥିବା ବରିଷ୍ଠ ନାଗରିକଙ୍କ ଦାବିପ୍ରତି କେନ୍ଦ୍ର ସରକାର ସହାନୁଭୁତି ସହ ବିଚାର କରିବା ଉଚିତ ବୋଲି କହିଥିଲେ । ଅନ୍ୟପକ୍ଷରେ ପେନସନଭୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଭୁକ୍ତ କରିବା ଦାବି ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଇଂ. ଅନାଦିଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଜିଲା ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ୟାମସୁନ୍ଦର ଜେନା ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ । ଇପିଏଫ ପେନସନର୍ସ ଆସୋସିଏସନ ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ଓ ରାଜ୍ୟ କମିଟି ସଂଯୋଜକ ବିକ୍ରମ ଛୋଟରାୟ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓ ଜାତୀୟସ୍ତରରେ ଇପିଏଫ ପେନସନଭୋଗୀଙ୍କ ମାସିକ ସର୍ବନିମ୍ନ ନଅ ହଜାର ଟଙ୍କା, ଉଚ୍ଚ ବେତନ ପାଇ ଅବସରପ୍ରାପ୍ତ ପେନସନଭୋଗୀଙ୍କୁ ଅଧିକ ପେନସନ ଟଙ୍କା, ମହଙ୍ଗା ଭତ୍ତା ଏବଂ ସରକାରୀ ଚିକିତ୍ସା ସେବା ଯୋଜନାଭୁକ୍ତ ପାଇଁ ଦାବି କରିଥିଲେ । ଏନେଇ ସର୍ବୋଚ୍ଚ ଅଦାଲତରେ ଚାଲିଥିବା ମୋକଦ୍ଦମାର ସ୍ଥିତି ସମ୍ପର୍କରେ ସେମାନେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଜିଲା ବରିଷ୍ଠ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା, ବାଲେଶ୍ୱର ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଓକିଲ ସଂଘର ସଭାପତି ମନୋଜ ନାୟକ ଓ ନାରୀ ନେତ୍ରୀ ବନ୍ଦନା ବିଶ୍ୱାସ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଇପିଏଫ ଇପିଏଫ ପେନସନ ନୀତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଓଡ଼ିଶାରେ ୧ଲକ୍ଷ ୬୦ ହଜାର ଓ ସର୍ବଭାରତୀୟ ସ୍ତରରେ ପ୍ରାୟ ୭୦ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ସାମାଜିକ ସୁରକ୍ଷା ପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେବା ଉଚିତ । ଆସନ୍ତା ଫେବୃୟାରୀରେ ରାଜ୍ୟ ସମ୍ମିଳନୀ ଆୟୋଜନ ପାଇଁ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଜିର ଏହି ସମ୍ମିଳନୀର ପ୍ରତିନିଧି ଅଧିବେଶନରେ ୧୯ଟି ସଂସ୍ଥାର ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ । ପ୍ରତିନିଧିମାନଙ୍କ ମଧ୍ୟରୁ ରତ୍ନାକର ପଣ୍ଡା, ସନ୍ନ୍ୟାସୀ ବେହେରା, ନବୀନ ପାତ୍ର, ଶ୍ୟାମସୁନ୍ଦର ଦାସମହାପାତ୍ର, ଭୂପତି ଭୂଷଣ ଦାଶ, ସୁଧା ମହାପାତ୍ର ଓ ମାୟାଧର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଦୁଇବର୍ଷ ପାଇଁ ସଙ୍ଗଠନର ୪୧ ଜଣ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଇଂ. ଉଜ୍ଜ୍ୱଳ କୁମାର ଚାନ୍ଦ ଏହାକୁ ପରିଚାଳନା କରିଥିଲେ । ଶ୍ୟାନସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


