ନିଖିଳ ଓଡ଼ିଶା ପୂର୍ବତନ ସରପଞ୍ଚ ମହାସଂଘର ୧୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ନିଖିଳ ଓଡ଼ିଶା ପୂର୍ବତନ ସରପଞ୍ଚ ମହାସଂଘ ପକ୍ଷରୁ ୧୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ମହାସମାରୋହରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ମୁଖ୍ୟଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁଜିବୁଲ୍ଲା ଖାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଓଡ଼ିଶାର ୩୦ଗୋଟି ଜିଲ୍ଲାର ସମସ୍ତ ବ୍ଲକରୁ ପୂର୍ବତନ ସରପଞ୍ଚ ଏବଂ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସରପଞ୍ଚ ସଂଘର ରାଜ୍ୟ ସଭାନେତ୍ରୀ ପୁଷ୍ପା ନାଏକ ଯୋଗଦେଇ ସରପଞ୍ଚମାନଙ୍କର ଦହନୀୟ ଅବସ୍ଥା ବାବଦରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବର୍ମା, ବରିଷ୍ଠ ଆଇନଜ୍ଞ, ଉଚ୍ଚତମ ନ୍ୟାୟାଳୟ ନୂଆଦିଲ୍ଲୀ ତଥା ଆଇନ ପରାମର୍ଶଦାତା ପୂର୍ବତନ ସରପଞ୍ଚ ମହାସଂଘ, ଓଡ଼ିଶା ଯୋଗଦେଇ ପୂର୍ବତନ ସରପଞ୍ଚମାନଙ୍କର ସମାଜସେବାରେ ମୁଖ୍ୟ ଭୂମିକା ଥିବା ବେଳେ ସରକାର ତାଙ୍କୁ ଅବହେଳା ପ୍ରଦର୍ଶନ କରୁଥିବାରୁ କ୍ଷୋଭ ପ୍ରକାଶ କରି କହିଲେ ଯେ, କୋଭିଡ-୧୯ ଠାରୁ ଆରମ୍ଭ କରି ଜନ୍ମ ଓ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସରପଞ୍ଚମାନେ ଦାୟିତ୍ୱର ସହ କାର୍ଯ୍ୟ କରୁଛନ୍ତି । ଯଥାଶୀଘ୍ର ସରକାର ତାଙ୍କ ଦାବୀଗୁଡ଼ିକ ବିଚାର କରିବା ଜରୁରୀ ଆବଶ୍ୟକ । ମହାସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ହେମନ୍ତ ରଥ ଯୋଗଦେଇ କହିଲେ ଯେ, ରାଜ୍ୟରେ ଥିବା ୪୦ ହଜାର ପୂର୍ବତନ ସରପଞ୍ଚ ସମସ୍ତେ ଏକାଠି ହୋଇ ନିଜର ହକ୍ ପାଇଁ ଲଢେଇ କଲେ ଅନେକ କାର୍ଯ୍ୟ ହାସଲ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ପରେ ୧୦ଜଣ ପଞ୍ଚାୟତ ପ୍ରତିିନିଧିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ପ୍ରଥମେ ପୂର୍ବତନ ସରପଞ୍ଚ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ମୁଜିବୁଲ୍ଲା ଖାନ ମୁନା ଭାଇ ତାରାଗାଁ ଗ୍ରାମପଞ୍ଚୟତ, ଜିଲ୍ଲା-ନବରଙ୍ଗପୁର ବର୍ତ୍ତମାନ ସେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହାଇଥିବାରୁ ତାଙ୍କୁ ମହାସଂଘ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଆଦରମଣି ସାମଲ, ସରପଞ୍ଚ ମଧୁସୁଦନପୁର ଗ୍ରାମପଞ୍ଚାୟତ, ଜିଲ୍ଲା-ଯାଜପୁର, ବଂଶୀଧର ମୁଦୁଲି, ସରପଞ୍ଚ କୋରକୋଣ୍ଡା ଗ୍ରାମ ପଞ୍ଚାୟତ, ଜିଲ୍ଲା-ମାଲକାନଗିରି, ନର୍ମଦା ଦଳେଇ ସରପଞ୍ଚ ଚନ୍ଦ୍ରଗିରୀ ଗ୍ରାମ ପଞ୍ଚାୟତ, ଜିଲ୍ଲା-ଗଜପତି ଏବଂ ସମିତି ସଭ୍ୟ ଶ୍ରୀଯୁକ୍ତ ସୁଦର୍ଶନ କହଁର, ବ୍ଲକ-ଫିରିଙ୍ଗିଆ ଜିଲ୍ଲା-କନ୍ଧମାଳ ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦେହୁରୀ, ଅନୁଗୁଳ ଜିଲ୍ଲାଙ୍କୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ରଘୁନାଥ ଶତପଥୀ, ସମ୍ପାଦକ ଯାଜପୁର ଜିଲ୍ଲା, ସରପଞ୍ଚ ସଂଘ ସଭାପତି ନିର୍ମଳ ସାମଲ, କେନ୍ଦୁଝର ଜିଲ୍ଲା ସଭାପତି ଅଖିଳ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।