ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଠୁଣିଗାଁରୁ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ନିକଟସ୍ଥ ଜଂଗଳରୁ ଉଦ୍ଧାର ହୋଇଛି । ଖବରରୁ ଜଣାଯାଇଛି ଯେ ଠୁଣିଗାଁ ଗ୍ରାମର ସନାତନ ନାଇକଙ୍କ ଘରକୁ ଗତ ୯ତାରିଖ ବୁଧବାର ଦିନ ତାଙ୍କ ସମ୍ପର୍କୀୟ ଘଟଗାଁ ଥାନା କପାସପଡା ଗ୍ରାମର ନିମା ନାଇକ ବୁଲିବାକୁ ଆସିଥିଲେ । ତାଙ୍କ ସହିତ ସେହି ଗାଁର ଶୁକ ନାଇକ(୪୨) ଆସିଥିଲେ । ସେହିଦିନ ସନ୍ଧ୍ୟାରେ ସେମାନେ ବୁଲିବାକୁ ଯାଇଥିବା ବେଳେ ଶୁକ ଘରକୁ ଫେରିନଥିଲା । ଏନେଇ ଶୁକଙ୍କ ପରିବାର ଲୋକେ ଘଟଙ୍ଗାଁ ଥାନାରେ ଏକ ଅଭିଯୋଗ କରିଥିବାବେଳେ ଆଜି ୧୧ଟାବେଳେ ଠୁଣିଗାଁ ପାହାଡ ନିକଟରୁ ତାର ମୃତଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ସନାତନଙ୍କ ପରିବାର ଲୋକ ତୁରନ୍ତ ଏ ସମ୍ପର୍କରେ ସୋସୋ ଥାନାକୁ ଜଣାଇଥିଲେ । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟମଟମ ପାଇଁ ପଠାଇ ତଦନ୍ତ ଚଳାଇଛି । ଏହି ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିବାବେଳେ ପୋଷ୍ଟମଟମ ରିପୋର୍ଟ ମିଳିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୋସୋ ଥାନା ଆଇଆଇସି ଉପେନ୍ଦ୍ରନାଥ ଦାସ କହିଛନ୍ତି । ସନାତନଙ୍କ ପରିବାର ଲୋକଙ୍କ କହିବାନୁଯାଇ ଶୁକ ସେହିଦିନ ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିବାବେଳେ ଏକ ଖାଲରେ ପଡିଯାଇଥିଲା । ପରେ ତାକୁ ଖୋଜାଖୋଜି କରିବାରେ ତାର ସନ୍ଧାନ ମିଳିନଥିଲା ।