ନିଖୋଜ ବ୍ୟକ୍ତିଙ୍କ ଶବ ମହେନ୍ଦ୍ରତନୟା ନଦୀରୁ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀରୁ ନିଖୋଜ ଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସହରର କୃଷ୍ଣନଗର ବାସିନ୍ଦା ରାଜକିଶୋର ପାଢୀ (୪୭) ଗତ ୨୪ତାରିଖ ମଧ୍ୟାହ୍ନ ସମୟରେ ଏକ ସାଇକେଲ ଯୋଗେ ନିଜ ବାସଭବନରୁ ବାହାରିଥିଲେ । ଏହାପର ଠାରୁ ତାଙ୍କର ସନ୍ଧାନ ମିଳିନଥିଲା । ଏହାକୁନେଇ ତାଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି ଜାରି ରଖିଥିଲେ । ହେଲେ ଗତକାଲି ମହେନ୍ଦ୍ରତନୟା ନଦୀ କୂଳରେ ଶବ ଭାସୁଥିବାର ଦେଖି କିଛି ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଦଳ ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରିଥିଲେ । ସ୍ୱର୍ଗତ ରାଜକିଶୋରଙ୍କ ପରିବାର ଲୋକେ ଶବକୁ ଚିହ୍ନଟ କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ସେଠାରେ ଶବବ୍ୟବଚ୍ଛେଦ ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ ।


