ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ସିକିରି ଗ୍ରାମର ଜଣେ ମହିଳା ଗତ ୨୩ ତାରିଖ ଅପରାହ୍ନରୁ ନିଖୋଜ ଥିଲେ । ନିଖୋଜ ମହିଳା ଜଣଙ୍କ ହେଲେ ସିକିରି ଗ୍ରାମର ଅମୂଲି ନାହାକ (୪୫)। ଶନିବାର ହିଞ୍ଜିଳି ପୋଲିସ ନିଖୋଜ ମହିଳାଙ୍କ ମୃତଦେହକୁ କବିସୂର୍ଯ୍ୟନଗର ଥାନା କୋଳିଦାସପୁର- ଗାଗନାପୁର ମଧ୍ୟବର୍ତ୍ତୀ ପାହାଡ ନିକଟରୁ ଉଦ୍ଧାର କରିଛି। ଏ ନେଇ କବିସୂର୍ଯ୍ୟନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା କବିସୂର୍ଯ୍ୟନଗର ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ମହିଳା ଜଣଙ୍କ ୨୩ ତାରିଖ ଅପରାହ୍ନରେ ଚାଷଜମିକୁ କାମ କରିବାକୁ ଯାଇ ଘରକୁ ଫେରି ନଥିଲେ। ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳିନଥିଲା । ଘଟଣା ନେଇ ମହିଳାଙ୍କ ପୁଅ ପ୍ରମୋଦ ନାହାକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପ୍ରକାଶ ଥାଉକି ମହିଳା ଜଣଙ୍କ ବାପଘରକୁ ଯିବା ପାଇଁ ସ୍ବାମୀଙ୍କୁ କହିଥିଲେ । ଘରର ବହୁ କାମ ରହିଥିବାରୁ ଏହି ସମୟରେ ବାପାଘରକୁ ଯିବା ପାଇଁ ବାରଣ କରିଥିଲେ । ମୃତଦେହ ନିକଟରେ କୀଟନାଶକ ଔଷଧ କାଚ ପଡିଥିବାରୁ ବିଷପାନ କରି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଆଇଆଇସି ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ