ନିଜକୁ ପ୍ରେମ
ବଡ଼ଗୁରୁମାଙ୍କର ଅବସର ଏଇ ଦୁଇହଜାର ଚବିଶ ମସିହା ଅକ୍ଟୋବର ମାସରେ. ତାଙ୍କ ନିରଳସ ବ୍ୟବହାର ସମସ୍ତଙ୍କୁ ଭଲଲାଗେ. ଉପରିସ୍ଥ ହୋଇଥିଲେ ମଧ୍ୟ ଭୁଲରୁ ଠିକ ରାସ୍ତା ଦେଖେଇବାକୁ ଆପଣାନ୍ତି ନିଜସ୍ୱ ଶୈଳୀର କୌଶଳ, ଯୋଉଥିରେ ରାଗ ନଥାଏ, ଯୋଉଥିରେ ଥାଏ କେବଳ ଭଲପାଇବା. ପ୍ରେମରେ ଉଦାହରଣ ଦିଅନ୍ତି ବଡ଼ ପୁରୁଷମାନଙ୍କର. ଗାନ୍ଧଜୀ, ଗୋପବନ୍ଧୁ, ଶାସ୍ତ୍ରୀ, ଲାଲବହାଦୁରଙ୍କ ଉଦାହରଣ ସହ ଦେଶ ପାଇଁ ଜୀଵନ ଉତ୍ସର୍ଗ କରିଥିବା, ଆତ୍ମବଳୀ ଦେଇଥିବା ଲାଲ, ବାଲ, ପାଲ ଙ୍କ ସହ ବାଘାଯତୀନ, ଲଷ୍ମଣ ନାୟକ ଆଦିଙ୍କ ତ୍ୟାଗ ସହ ଏମିତି ସୁନ୍ଦର କଥା କହି ମନ କିଣିନିଅନ୍ତି ଯେ କୌଣସି ଷ୍ଟାଫ କୋଉଦିନ କେଵେ କିଛି ଜାଣିଶୁଣି ଭୁଲ କରେନା. ସେମିତି ମହିଳା ସହକର୍ମୀମାନଙ୍କୁ ଆପଣାପଣରେ ବାନ୍ଧି ରଖି ବୟସ ଅନୁସାରେ ଅଳ୍ପ ସାମାନ୍ୟ ଗିଫ୍ଟ ବିଶେଷ ଦିନରେ ଦେଇଥାନ୍ତି ତ ସମସ୍ତେ ଭଲପାଆନ୍ତି ବଡ଼ଗୁରୁମାଙ୍କୁ. କେଵେ କିଛି ଗିଫ୍ଟ ଗ୍ରହଣ ନକରି କହନ୍ତି ମୁଁ ବୟସରେ ତୁମଠୁ ବଡ଼, ମୁଁ ସିନା ତୁମକୁ ଦେବି, ତୁମଠୁ କଣ ନେବି!ସମସ୍ତେ ନିଜ ନିଜ ଭିତରେ ଆଲୋଚନା କରି ଗୁରୁମାଙ୍କୁ କଣ ଦେବା ଚିନ୍ତା କରୁଥାନ୍ତି. ଏମିତିରେ ଗୁରୁମା ତ କିଛି ନେବେନି ତେଣୁ ତାଙ୍କୁ କଣ ଦେବା ବୋଲି ଚିନ୍ତା କରୁ କରୁ ସେହି ଦିନ ଉପସ୍ଥିତ ହେଲା.ସୁନ୍ଦର ସଭାର ଆୟୋଜନ କରାଯାଇଥିଲା. ଉପରିସ୍ଥ ଶିକ୍ଷା ବିଭାଗର ହାକିମମାନଙ୍କ ସହ କମିଟିର ସବୁ ମେମ୍ବର ଓ ଶ୍ରଧେୟ ଛାତ୍ରଛତ୍ରୀମାନେ ଅଂଶ ଗ୍ରହଣ କରି ଦୁଃଖ ପ୍ରକାଶ କରୁଥିଲେ. ସବୁ ଷ୍ଟାଫଙ୍କ ବକ୍ତବ୍ୟରେ ସାରାଂଶ ଥିଲା ବଡ଼ଗୁରୁମାଙ୍କଠାରୁ ଆମେ ଅନେକ ଶିଖିଛୁ ଯଥା ସମୟନୁବର୍ତ୍ତୀତା, ସଦାଚାର, ସଂସ୍କୃତି ପରମ୍ପରା ସହିତ ଛାତ୍ରଛାତ୍ରୀମାନଙ୍କୁ ପାଠ ସହ ଶାଠ ଅର୍ଥାତ ପ୍ରତ୍ୟେକ ବସ୍ତୁ, ପଦାର୍ଥକୁ ଭଲପାଇବା, ସ୍ନେହ ପ୍ରେମରେ ଅନ୍ୟର ଦୁଃଖ ସୁଖ ବୁଝି ସେବା କରିବାକୁ ଜୀଵନର ବ୍ରତ ଭାବେ ଗ୍ରହଣ କରିବା ଜୀଵନର ମୂଳମନ୍ତ୍ର ଅଟେ. ଅନ୍ୟମାନେ ତାଙ୍କ ସାଧୁତା, କର୍ତ୍ତବ୍ୟନିଷ୍ଠା, ସୁସଂଗଠିକା, ସୁପରିଚାଳିକା କଥା ସବୁ ବର୍ଣ୍ଣନା କଲାବେଳେ ବଡ଼ଗୁରୁମା କହିଥିଲେ ବୟସଓ ସମୟ କଥା.ଆମ ଦେଶର ଆଇନ ଅନୁସାରେ ଷାଠିଏ ବର୍ଷ ବୟସ ହୋଇଗଲେ ଜଣକୁ କୁହାଯାଏ ବୟସ୍କ ବା ବରିଷ୍ଠ ନାଗରିକ. କର୍ମଜୀବୀ ହୋଇଥିଲେ ସେବେଠାରୁ ସେବାନିବୃତ୍ତ ହେବାକୁ ପଡ଼େ ଏବଂ ଆରମ୍ଭ ହୁଏ ଅବସର ଜୀବନ. ଅବସର ନେବା ଅନେକ ଆଗରୁ ମନେମନେ ଚାଲିଥାଏ ଦିନ ଗଣନା.ବାକି ରହିଲା ବର୍ଷେ ଛ’ମାସ ବା ମାସେ ଇତ୍ୟାଦି.ଏମିତି ଦିନ ଗଣୁଗଣୁ ସେହି ନିର୍ଦ୍ଧାରିତ ଦିନଟା ଆସି ପହଞ୍ଚିଯାଏ ଏବଂ ଜାଣିହୁଏନି କେମିତି ଏତେଶୀଘ୍ର ସରିଗଲା ଚାକିରିକାଳ.ଆଗେ ଛୁଟି ପାଇଁ ଡହଳ ବିକଳ ହେଉଥିବା ମନଟା ସହଜରେ ଗ୍ରହଣ କରିପାରେନି ଅସରନ୍ତି ଛୁଟି. ପୂର୍ବ ପ୍ରସ୍ତୁତି ସତ୍ତ୍ୱେ କାର୍ଯ୍ୟାଳୟର ଶେଷ ଦିନଟା ମନକୁ ବିଷାଦଗ୍ରସ୍ତ କରେ ଏବଂ କଣ୍ଟା ଫୋଡ଼ି ହେଲା ପରି ଲାଗେ ସହକର୍ମୀଙ୍କ ପ୍ରଶଂସା ଓ ଫୁଲତୋଡ଼ା. ବିଶେଷକରି ବୃତ୍ତିକୁ ଆତ୍ମପରିଚିତିର ମୁଖ୍ୟ ଅଙ୍ଗ ବୋଲି ଭାବିଥାନ୍ତି, ସେମାନଙ୍କୁ ଅବସନ୍ନ କରିଦିଏ ବୃତ୍ତି ସମ୍ବନ୍ଧୀୟ ସୁବିଧା, ସୁଯୋଗ ଓ ସମ୍ମାନ ହରେଇବାର ଭୟ. Z ଅବସର ପରବର୍ତ୍ତୀ କର୍ମହୀନତା ତାଙ୍କୁ ଅବସାଦ ଆଣିଦିଏ ଏବଂ କର୍ମକ୍ଷେତ୍ରରେ କଟୁଥିବା ସମୟ ପାଲଟିଯାଏ ବୋଝ. କିନ୍ତୁ କର୍ମଠଙ୍କ କଥା ଅଲଗା.ସେମାନଙ୍କ ପାଇଁ ଅବସର ଅର୍ଥ ବାର୍ଦ୍ଧକ୍ୟ ନୁହେଁ କି ବିଶ୍ରାମ ନୁହେଁ ବରଂ ସମୟର କଡ଼ ଲେଉଟାଣି. ନୂଆ ରାସ୍ତା ପାଇଁ ନୂଆ ଠିକଣା. ଜୀବନର ଏକ ନୂଆ ସତେଜ ଅଧ୍ୟାୟକୁ ସାଦର ଆମନ୍ତ୍ରଣ.ପୂର୍ବରୁ ଲୋକମାନେ ଷାଠିଏ ବର୍ଷ ବେଳକୁ ଜରାଗ୍ରସ୍ତ ହେଉଥିଲେ ଏବଂ ସେହି କାରଣରୁ ଅବସର ବୟସ ଥିଲା ଷାଠିଏ.ଏବେ ବିଜ୍ଞାନର ଆଶୀର୍ବାଦରୁ ବଞ୍ଚିବାର ଅବଧି ବଢୁଛି ଏବଂ ପ୍ରଲମ୍ବିତ ହେବାରେ ଲାଗିଛି ଅବସର ପରବର୍ତ୍ତୀ ଜୀବନ.ଜଣେ ବ୍ୟକ୍ତି ଯେତିକି ଦିନ ଚାକିରି କରୁଛି, ପ୍ରାୟତଃ ତା’ଠାରୁ ବେଶିଦିନ ବଞ୍ଚୁଛି ଅବସର ପରେ.କେବଳ ବଞ୍ଚୁନାହିଁ, ସୁସ୍ଥ ଓ ସବଳ ରହି ପାରୁଛି ଉତ୍ତର-ବାର୍ଦ୍ଧକ୍ୟ ଅଶୀବର୍ଷ ପର୍ଯ୍ୟନ୍ତ.ତେଣୁ ଏବେ କାର୍ଯ୍ୟରୁ ଅବସର ଅର୍ଥ ବସି ବସି କିମ୍ବା ଖବରକାଗଜ ପଢ଼ି ଓ ଟେଲିଭିଜନ ଦେଖି ସମୟ କାଟିଦେବା ନୁହେଁ, ବରଂ ଚାକିରି କାଳରେ ଯାହା ହୋଇପାରି ନ ଥିଲା, ତାହା କାର୍ଯ୍ୟକାରୀ କରିବାର ଅବକାଶ.କର୍ମବୀର ମୃତ୍ୟୁ ପର୍ଯ୍ୟନ୍ତ ଅନୁଭବ କରିପାରନ୍ତି ନାହିଁ କର୍ମହୀନତା. ଗୋଟିଏ କର୍ମରୁ ଅବସର ନେଲେ ବାକିଥାଏ ଆଉ ଗୋଟିଏ କର୍ମ.ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର, ଦେଶର ଉନ୍ନତି ପାଇଁ ଅବିରାମ ଉଦ୍ୟମ ସତ୍ତ୍ୱେ ଅନେକ ବିବାଦରେ ଛନ୍ଦି ହୋଇ ହରେଇ ବସିଲେ ଲୋକଙ୍କ ଆସ୍ଥା.ଶେଷରେ ନିର୍ବାଚନରେ ହାରି, ଉଣେଇଶଶହ ଅଶୀରେ ରାଜନୀତିରୁ ବିଦାୟ ନେଇଥିଲେ ଛପନବର୍ଷ ବୟସରେ.ଅଳ୍ପଦିନ ପରେ ଏମେରୀ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ ଅଧ୍ୟାପକ ଭାବରେ. ଶିକ୍ଷା, ସ୍ବାସ୍ଥ୍ୟ ଓ ମାନବିକ ଅଧିକାର ଉପରେ ଅନେକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିବା ସହିତ ରଚନା କଲେ ଚଉଦଟି ପୁସ୍ତକ. ଏଭଳି କୃତିତ୍ୱ ପାଇଁ ଦେଶ ବିଦେଶରୁ ଛୁଟିଲା ପ୍ରଶଂସା ଓ ସମ୍ମାନର ସୁଅ.ଶେଷରେ ନୋବେଲ ଶାନ୍ତି ପୁରସ୍କାର ଲାଭ କରି ବୟସ୍କଙ୍କ ପାଇଁ ପାଲଟିଗଲେ ପ୍ରେରଣାର ଉତ୍ସ. ଷାଠିଏ ବର୍ଷ ବୟସରେ ପଦାର୍ପଣ କଲାପରେ ରବୀନ୍ଦ୍ରନାଥ ଟାଗୋର ଆରମ୍ଭ କରିଥିଲେ ଚିତ୍ରବିଦ୍ୟା. ସତାବନ ବର୍ଷ ବୟସରେ ଗଳ୍ପଲେଖା ଆରମ୍ଭ କରିଥିଲେ ଫକୀରମୋହନ ସେନାପତି.ଅର୍ଥାତ୍ ସମାଜରେ ଏମିତି ଅନେକ କ୍ଷେତ୍ର ଅଛି, ଯାହା ବୟସ ଉପରେ ନୁହେଁ, ନିର୍ଭର କରେ ଅନୁଭୂତି, ଅଭିଜ୍ଞାନ ଓ ସୃଜନଶୀଳତା ଉପରେ. ଗବେଷକଙ୍କ ମତରେ ବୟସାଧିକ୍ୟ ହିଁ ମେଧା ପ୍ରଦର୍ଶନର ଅନୁକୂଳ ସମୟ.କାରଣ ବୟସ ବଢ଼ିବା ସହିତ ବୃଦ୍ଧିପାଏ ଭାଷାଗତ ଜ୍ଞାନ, ଶିଳ୍ପକୌଶଳ ତଥା ଅନୁଶୀଳନ ଦକ୍ଷତା. ମାଇକେଲ ଆଞ୍ଜେଲୋ ସବୁଠାରୁ ସୁନ୍ଦର ମୂର୍ତ୍ତି ନିର୍ମାଣ କରିଥିଲେ ଅଶୀ ବର୍ଷ ବୟସରେ.ବୟାନବେ ବର୍ଷ ବୟସରେ ଟଲଷ୍ଟୟ ଲେଖିଥିଲେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଆଇ କେନ୍ନଟ୍ ବି ସାଇଲେଣ୍ଟ’. ଜର୍ମାନ ଲେଖକ ଗେଟେ ତାଙ୍କର ବିଖ୍ୟାତ ପୁସ୍ତକ ‘ଫଷ୍ଟ’ ଲେଖା ସଂପୂର୍ଣ୍ଣ କରିଥିଲେ ତେୟାଅଶୀ ବର୍ଷ ବୟସରେ.ବୈଜ୍ଞାନିକ ଏଡିସନ୍ ଅଶୀବର୍ଷ ବୟସ ପରେ ଉଦ୍ଭାବନ କରିଥିଲେ ଡିକ୍ଟୋଫୋନ୍ ଯନ୍ତ୍ର.ବରିଷ୍ଠଙ୍କ ଅନୁଭୂତିରେ ଥାଏ ଏକ ପ୍ରୟୋଗାତ୍ମକ ମୂଲ୍ୟ. ଏଥିସହିତ ଅଭ୍ୟାସ ଓ ଆମପ୍ରତ୍ୟୟ ମିଶିଗଲେ ପଛରେ ପଡ଼ିଯାଏ ବୟସ.ପଞ୍ଜାବର ଚଉରାନବେ ବର୍ଷ ବୟସ୍କ ଫୌଜ ସିଂ, ଅଭ୍ୟାସ ବଳରେ ଛଅଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫଳତା ଅର୍ଜନ କରିଥିଲେ ଇଡେନବର୍ଗରେ ଅନୁଷ୍ଠିତ ମାରାଥନ, ଦୁଇହଜାର ଛଅ ମସିହା ଦୌଡ଼ରେ.ନବେବର୍ଷ ବୟସରେ ଚମତ୍କାର ସାହାନାଇ ବାଦନ କରୁଥିଲେ ବିସମିଲ୍ଲା ଖାଁ.ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର୍ ଓ ଆଶା ଭୋନସଲେ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରି ପାରୁଥିଲେ ପାଖାପାଖି ଅଶୀବର୍ଷ ପର୍ଯ୍ୟନ୍ତ. କେଏଫସିର ପ୍ରତିଷ୍ଠାତା ଜୀବନରେ ଚାକିରୀ ଖଣ୍ଡେ ନପାଇ ଅସଫଳ ଭାବିବା ପରିବର୍ତ୍ତେ ପଞ୍ଚଷଠି ବର୍ଷ ବୟସରେ ଆରମ୍ଭ କଲେ ବିଶ୍ୱ ପ୍ରସିଦ୍ଧ ବ୍ୟବସାୟ ଚେନ୍.ଚାକିରି ଅବଧି ପରିମିତ.କିନ୍ତୁ ସଂସାର ପାଠଶାଳାର ପାଠ ଅସରନ୍ତି. ଯେତେ ଅନୁଭୂତି ଅଭିଜ୍ଞତା ହାସଲ କଲେ ବି ଜାଣିବାପାଇଁ ବାକି ଥାଏ ଆହୁରି ଅନେକ କିଛି.ଯେଉଁମାନେ ଭାବନ୍ତି ମୋର ଯାହା ଶିଖିବାର ଥିଲା ଶିଖିସାରିଛି ଓ ଯାହା କରିବାର ଥିଲା କରି ସାରିଛି, ସେଇମାନେ ପ୍ରକୃତରେ ବୃଦ୍ଧ କାରଣ ଏଭଳି ଭାବନା ହିଁ ବାର୍ଦ୍ଧକ୍ୟର ଲକ୍ଷଣ ଏବଂ ଏହା ମନରେ ଜାଗ୍ରତ ହେବା ମାତ୍ରେ ଆରମ୍ଭ ହୁଏ ଅବନ୍ନତି ପ୍ରକ୍ରିୟା.ଅନ୍ୟପକ୍ଷରେ ଯେଉଁମାନେ ଭାବନ୍ତି ଯାହାକିଛି ଜାଣିଛି ତାହା ସାମାନ୍ୟ ଏବଂ ଯେତେବାଟ ଯାଇଛି ତା’ଠାରୁ ଅନେକ ଆଗକୁ ଯିବାର ଅଛି, ସେହିମାନଙ୍କ ଭିତରେ ଥାଏ ଅପରାହ୍ନକୁ ଆଭାମୟ କରିବାର ପ୍ରଚୁର ସମ୍ଭାବନା.ଥରେ ଗୋଟିଏ ଜାହାଜର ଡେକ୍ ଉପରେ ଜଣେ ଅତି ବୟସ୍କ ବ୍ୟକ୍ତି କିଛି କରୁଥିବାର ଦେଖି ବ୍ରିଟିଶ ଲେଖକ ବ୍ରୁସ୍ ଚାଟ୍ୱିନ୍ ତାଙ୍କ ପାଖକୁ ଯାଇ ଜାଣିଲେ ସେ ଚୀନା ଅକ୍ଷରର କାଲିଗ୍ରାଫି ଅଭ୍ୟାସରେ ମଗ୍ନ. କୌତୂହଳ ଏଡ଼ି ନପାରି ବ୍ରୁସ୍ ତାଙ୍କ ସହିତ ଆଳାପ ଜମାଇ ପଚାରିଲେ ପରିଣତ ବୟସରେ ଏସବୁ ଶିଖିବାରେ ଲାଭ କ’ଣ?ବୃଦ୍ଧ ଉତ୍ତର ଦେଲେ ଏଥିରୁ ମିଳୁଥିବା ପ୍ରଚୁର ଆନନ୍ଦ ହିଁ ଲାଭ. ବ୍ରୁସ୍ ବୟସ ଜାଣିବାକୁ ଚାହିଁବାରୁ ସେ କହିଲେ- ମାତ୍ର ଚାରି ବର୍ଷ। କାରଣ ଚାରି ବର୍ଷ ତଳେ ସେ ଏହା ଶିଖିବା ଆରମ୍ଭ କଲେ ଏବଂ ସେବେଠାରୁ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି, ତାହା ତାଙ୍କୁ ଆଣିଦେଇଛି ନବଜନ୍ମ.ବୃଦ୍ଧଙ୍କର ଏଭଳି ଉତ୍ସାହକୁ ଲକ୍ଷ୍ୟ କରି ବ୍ରୁସ୍ ଲେଖିଛନ୍ତି – ବୟସ ହେଉଛି ଏକ ସଂଖ୍ୟା ମାତ୍ର.ବୟସ ଦେହରେ ନ ଥାଏ, ଥାଏ ମନରେ.ଅର୍ଥାତ୍ ଜୈବିକ ବୟସ ମହତ୍ଵପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ମନସ୍ତାତ୍ତ୍ୱିକ ବୟସ.କର୍ମତ୍ପରତାରେ ଥାଏ ବାର୍ଦ୍ଧକ୍ୟକୁ ଜିଣିବାର ଅସଲ କୌଶଳ.ବୟସକୁ ପ୍ରତିବନ୍ଧକ ବୋଲି ନ ଭାବି କାମରେ ଯୋଡ଼ିହୋଇ ରହିଲେ ବୃଦ୍ଧିପାଏ ଆମପ୍ରତ୍ୟୟ ସହିତ ଆମତ୍ମର୍ଯ୍ୟାଦା ଓ ସମ୍ମାନ.ଅନ୍ୟପକ୍ଷରେ ଯେଉଁମାନେ ଦେହର ବଳକୁ ଅସଲ ବଳ ବୋଲି ଭାବନ୍ତି, ଅବସର ପରେ ସେଇମାନଙ୍କୁ ହିଁ ଘାରିଥାଏ ବଳ ହଟିଯିବାର ଭୟ.ସୁସ୍ଥ ସବଳ ଥାଇ ବି ଭଙ୍ଗାମନ ନେଇ ଉଦାସ କଣ୍ଠରେ କହନ୍ତି – ଆଉ ବଳ ବୟସ କାହିଁ, ପାରିବି ପୁତ୍ର ଉପୁଜାଇ.ସ୍ବପ୍ନକୁ ପଛରେ ଛାଡ଼ି ଆସିଥିବାରୁ ଦେହର ବଳ ଥାଇ ବି ଏମାନେ କିଛି କରିବାକୁ ଚାହାନ୍ତିନି ବରଂ ତାଙ୍କ ପ୍ରତି ଅବହେଳାର ଅଭିଯୋଗ ନେଇ ବ୍ୟକ୍ତ କରନ୍ତି ଅସନ୍ତୋଷ.ଅବସର ଜୀବନକୁ ଉସତମୁଖର କରିବାର ଅସଲ ଉପାୟ ହେଉଛି ସାମାଜିକ ସମ୍ପର୍କ. ଆଜିକାଲି ପୁଅବୋହୂ ନାତିନାତୁଣୀଙ୍କ ଗହଣରେ ଶେଷ ଜୀବନ କାଟିବାର ସମ୍ଭାବନା ବି କମ୍.ତେଣୁ ବରିଷ୍ଠଙ୍କ ପାଇଁ ଏବେ ବଡ଼ ସମସ୍ୟା ହୋଇ ଉଭା ହୋଇଛି ଏକାକୀତ୍ୱ ଓ ନିଃସଙ୍ଗତା. ଯେଉଁମାନେ ମେଳାପୀ, ବନ୍ଧୁବତ୍ସଳ ଓ ପରୋପକାରୀ ସେମାନେ ଆଧ୍ୟାତ୍ମିକ ଆଲୋଚନାରେ ମାତନ୍ତି ଏବଂ ସମଭାବାପନ୍ନ ଲୋକଙ୍କୁ ଏକାଠି କରି ଲାଗିପଡ଼ନ୍ତି ସମାଜସେବା ଓ ସାଙ୍ଗଠନିକ କାର୍ଯ୍ୟରେ. ବରିଷ୍ଠମାନେ ସାଧାରଣତଃ ଅନେକ ପ୍ରକାର ସମ୍ପର୍କରେ ଧନୀ ଏବଂ ସେମାନଙ୍କ ପାଖରେ ଥାଏ ସାମାଜିକ ସମସ୍ୟାକୁ ବୁଝିବା ଓ ତା’ର ସମାଧାନ କରିବାର ସାମର୍ଥ୍ୟ. ତେଣୁ ସକାରାତ୍ମକ ଭାବନା ନେଇ ସେମାନେ ପଡ଼ୋଶୀଙ୍କ ଭଲମନ୍ଦରେ ନିଜକୁ ବାଣ୍ଟି ପାରିଲେ କ୍ଳାନ୍ତ ଅପରାହ୍ନ ବି ପାଲଟିଯିବ ସ୍ବର୍ଣ୍ଣିମ ଅଧ୍ୟାୟ.ବଡ଼ଗୁରୁମାଙ୍କ ଭାଷଣରୁ ମିଳିଥିଲା ପ୍ରେରଣା. ବିଦାୟ ନେଇ ଯିବା ପରେ,ଅନେକ ଦିନ ପରେ ବଡଗୁରୁମାଙ୍କୁ ଭେଟିବାକୁ ଯାଇଥିଲେ ଷ୍ଟାଫ ଓ ଛାତ୍ରଛାତ୍ରୀ. କେମିତି ସମୟ କଟୁଛି ପଚାରିବାର ସାମର୍ଥ୍ୟ କେହି ଜୁଟାଇ ପାରୁନଥିବା ବେଳେ ନିଜେ ବଡ଼ଗୁରୁମା କହିଥିଲେ ଏବେ ଐଶ୍ଵର୍ଗିକ ପ୍ରେମରେ ଜୀଵନ ବିତୁଛି ତାଙ୍କର ତ ସମସ୍ତେ ପରସ୍ପର ମୁହଁକୁ ଚାଁହୁଥିଲା ବେଳେ ଗୁରୁମା ପୁଣି ବୁଲାଇ ଦେଖେଇଥିଲେ ଫୁଲ ବଗିଚା, ତୁଳସୀ ବଗିଚା ସହ ସମସ୍ତଙ୍କୁ ଦେଇଥିଲେ ଗୋଟେ ଗୋଟେ ତୁଳସୀମାଳ ଉପହାର ଓ ଦେଖାଇଥିଲେ ତାଳଗଛର ବଗିଚା ଓ କହୁଥିଲେ ଏସବୁ କରିପାରିବାର ପ୍ରେରଣା ମୁଁ ଏବେ ମୋ ନିଜକୁ ହିଁ ପ୍ରେମ କରେ ତେଣୁ ନିଜକୁ ଖୁସି, ଶାନ୍ତି ଦେଉଥିବା କାମକୁ ଅଗ୍ରାଧିକାର ଦେଉଛି.ଫେରିବାବେଳେ ସମସ୍ତଙ୍କ ମୁହଁ ଉଜ୍ଜ୍ୱଳ ଦେଖାଯାଉଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ