ନିଜର ଇଚ୍ଛାଶକ୍ତି ଓ ଅଧ୍ୟବସାୟ ପାଇଁ ସମାଜ ସେବାରେ ପ୍ରତିଷ୍ଠିତ ଦିବ୍ୟାଙ୍ଗ ସୁମନ୍ତ
ନିମାପଡ଼ା, (ସନ୍ତୋଷ ଦାଶ) :ଦିବ୍ୟାଙ୍ଗ ହେଲେ ମଧ୍ୟ ନିଜ ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ବଳରେ ସମାଜ ସେବା କ୍ଷେତ୍ରରେ ନିଜକୁ ନିମାପଡା ଅଞ୍ଚଳ ରେ ପ୍ରତିଷ୍ଠା କରାଇ ପାରିଛନ୍ତି ସୁମନ୍ତ ମହାରଣା। ପିଲାଟି ଦିନରୁ ସାମାଜିକ ସେବା କରି ଲୋକଙ୍କୁ ସାହାଯ୍ୟ କରିବା ତାଙ୍କ ର ସ୍ବପ୍ନ ଥିଲା ଯାହା ଆଜି ସଫଳ ହୋଇଛି । ଏମିତି ଏକ ବ୍ୟକ୍ତିତ୍ଵ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ନିକଟସ୍ଥ ପାଟପୁର ଗ୍ରାମର ସୁମନ୍ତ ମହାରଣା । ସେ ୧୯୮୧ ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ହେବାର ଦୁଇ ବର୍ଷ ପରେ ପୋଲିଓ ବୁନ୍ଦା ଖାଇ ଇନଫେକ୍ସନ ହେବାରୁ ତାଙ୍କର ଦୁଇଟି ଯାକ ଗୋଡ ପୋଲିଓ ହୋଇ ଯାଇଥିଲା । ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରୁ ସ୍ନାତକ ରେ ଉତ୍ତିର୍ଣ୍ଣ ହେବାପରେ ସୁମନ୍ତ ନିଜକୁ ସମାଜ ସେବା କ୍ଷେତ୍ରରେ ନିୟୋଜିତ କରିଥିଲେ । ସୁମନ୍ତ ଜଣେ ଲେଖକ ହୋଇଥିବାବେଳେ ଲିଟିଲ ଷ୍ଟାର ନାମକ ଗ୍ରୁପ ଗଠନ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଛୋଟ ଛୋଟ ପ୍ରତିଭାବାନ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ବିଭିନ୍ନ ସ୍ଥାନ କୁ ପରିଭ୍ରମଣ କରାଇ ନେଉଛନ୍ତି । ପ୍ରତିଭାବାନ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଙ୍କୁ ସାକ୍ଷାତ କରାଇ ସେମାନଙ୍କ ପ୍ରେରଣା ପାଲଟୁ ଛନ୍ତି । ସୁମନ୍ତ ମୋ ଆଶା ନାମରେ ଏକ ସାପ୍ତାହିକ ପତ୍ରିକା ନିୟମିତ ପ୍ରକାଶ କରି ଆସୁଛନ୍ତି । ଏହି ପତ୍ରିକାରେ ଛୋଟ ଛୋଟ ପିଲା ଙ୍କ ନିଜସ୍ୱ କବିତା, ଗଳ୍ପ, ପ୍ରବନ୍ଧ, ଏକାଙ୍କିକା ପ୍ରକାଶ କରି ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣୁଛନ୍ତି । ନିଜର ଏହି କୃତିତ୍ୱ ଓ ସମାଜ ସେବା ପାଇଁ ସେ ଓଡିଶା ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପାଇଛନ୍ତି । ଦିବ୍ୟାଙ୍ଗ ହେଲେ ମଧ୍ୟ ତାହା କେବେ ସେ ଅନୁଭବ ନକରି ନିଜ କାର୍ଯ୍ୟରେ ଆଗେଇ ଚାଲିଛନ୍ତି ବୋଲି ସୁମନ୍ତ କହିଛନ୍ତି । ସୁମନ୍ତ ଙ୍କ ପତ୍ନୀ ଉର୍ମିଳା ତାଙ୍କୁ ଏଥିପାଇଁ ସବୁ ସମୟ ରେ ଉତ୍ସାହିତ କରିଆସୁଛନ୍ତି। ଘରେ ତାଙ୍କର ଗୋଟିଏ ଛୋଟ ଝିଅ ରହିଛି । ସୁମନ୍ତ ଙ୍କ ସମାଜସେବା କାର୍ଯ୍ୟ ଜାରି ରହୁ ଏତିକି କାମନା ।