ନିଜସ୍ବ ଉଦ୍ୟମରେ ନାଳ ସଫା କଲେ ସାହି ବାସିନ୍ଦା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖରେ ଥ‌ିବା ମେଦିରିସାହି ବାସିନ୍ଦା ନିଜସ୍ବ ଉଦ୍ୟମରେ ଡ୍ରେନେଜ୍ ସଫେଇ କାମ କରିଛନ୍ତି। ପୌର ପରିଷଦକୁ ବାରମ୍ବାର ଅନୁରୋଧ ପରେ ସୁଦ୍ଧା ଠିକ ଭାବେ ସଫେଇ ନ ହେବା ଯୋଗୁଁ ସାହି ବାସିନ୍ଦା ଏକତ୍ରିତ ହୋଇ ନିଜ ଉଦ୍ୟମରେ ନାଳ ସଫା କରିବା ପାଇଁ ବାଧ୍ୟ ହୋଇଛନ୍ତି. ଏହି ସାହି ପାରଳାଖେମୁଣ୍ଡି ପୌରପରିଷଦର ୧୬ ନମ୍ବର ୱାର୍ଡରେ ରହିଛି। ସାହିବାସିନ୍ଦାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଚାରି ବର୍ଷ ହେଲା ସାହିରେ ଥ‌ିବା ଡ୍ରେନରେ ଜନ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରବାସୀଙ୍କୁ ପାଣି ଯୋଗାଇବା ନିମନ୍ତେ ପାଇପ ବିଛାଇ ଦିଆଯାଇଛି। ଡ୍ରେନ୍‌ରେ ପାଇପ ବିଛାଇବା ଦ୍ବାରା ଡ୍ରେନ୍ ଖାଲର ଉଚ୍ଚତା କମିଯାଇଛି। ଏହା ଦ୍ବାରା ସାହିର ଆବର୍ଜନା ପାଣି ସହ ବର୍ଷା ହେଲେ ପାହାଡର ପାଣି ଆସି ଜମିଯାଉଛି। ଏଥିଯୋଗୁଁ ରାସ୍ତାଉପରେ ଆବର୍ଜନା ପାଣି ବୋହୁଛି I ନାଳ ସଫେଇ ନିମନ୍ତେ ପୌରପରିଷଦ କାର୍ଯ୍ୟାଳୟରେ ଅଭିଯୋଗ କଲେ ୬ ମାସକୁ ଥରେ ସଫେଇ କାର୍ଯ୍ୟ ହେଉଛି | ତାହା ମଧ୍ୟ ଉପର ଠାଉରିଆ ଭାବେ କରାଯାଉଛି ଏବଂ କିଛି ସଫେଇ କର୍ମଚାରୀ ଟଙ୍କା ଦେଲେହିଁ କାମ କରୁଥିବାର ସାହିବାସିନ୍ଦା ପ୍ରକାଶ କରିଛନ୍ତି। ଏହି କାରଣରୁ ଶ୍ରମଦାନ କରି ଡ୍ରେନେଜ୍ ସଫେଇ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସାହି ବାସିନ୍ଦା ବି. ଧର୍ମାରାଓ ଓ ଏନ୍.ଶିବା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପ୍ରକାଶ କରି କହିଛନ୍ତିଯେ, ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାଚିତ ପରିଷଦ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଅବହେଳା ଯୋଗୁଁ କେବଳ ଆମ ସାହି ଅଞ୍ଚଳ ନୁହେଁ ସହରର ବହୁ ଅଞ୍ଚଳରେ ପରିମଳ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି. ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ