ନିଜସ୍ୱ ପାଣ୍ଠି ଦ୍ୱାରା ଟ୍ରାନ୍ସପୋର୍ଟ କର୍ମଚାରୀ ନିଜେ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ବହୁ ଅନୁରୋଧ ପରେ ସୁଦ୍ଧା ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦ୍ୱାରା କୌଣସି ସାହାର୍ଯ୍ୟ ମିଳିଲା ନାହିଁ । ଶେଷରେ ନିଜସ୍ୱ ସଂଚୟ ପାଣ୍ଠି ବିନିଯୋଗ କରି ଗଜପତି ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ଆସୋସିଏସନ ତରଫରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାଯାଇ ସଦସ୍ୟମାନଙ୍କୁ ବଣ୍ଟାଯାଇଥିବା ସୁଚନା ମିଳିଛି । ଗଜପତି ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ଆସୋସିଏସନ ସଭାପତି ଡି.ଜଗନ୍ନାଥ ରାଓ, ଉପଦେଷ୍ଟା କେ.କାମାରାଜୁ,ସାଧାରଣ ସମ୍ପାଦକ ନରସିଂହ ମାଳ ବିଶୋୟୀ,ପ୍ରମୁଖ କହିଛନ୍ତି,କରୋନା ଯୋଗୁଁ ଲକ୍ଡାଉନ୍ ଘୋଷଣାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଗତ ଦୀର୍ଘ ଦିନ ଧରି ବନ୍ଦ ରହିଛି । ଏହା ଦ୍ୱାରା ମୋଟର କର୍ମଚାରୀ ମାନଙ୍କ ଜୀବନଜିବୀକା ସମ୍ପୁର୍ଣ୍ଣ ରୁପେ ଠପ୍ ହୋଇଯାଇଛି । ଅର୍ଥାଭାବରେ ସନ୍ତୁଳିତ ଥିବା ମୋଟର କର୍ମଚାରୀମାନେ ସାହାର୍ଯ୍ୟ ପାଇଁ ସରକାର ଓ ପ୍ରଶାସନକୁ ବାରମ୍ବାର ଅନୁରୋଧ ଜଣାଇଲୁ । ହେଲେ କୌଣସି ସାହାର୍ଯ୍ୟ ନ ମିଳିବା ଯୋଗୁଁ ମୋଟର କର୍ମଚାରୀ ସଂଘ ତରଫରୁ ପୁର୍ବରୁ ସଞ୍ଚୟ କରାଯାଇଥିବା ପାଣ୍ଠିକୁ ବିନିଯୋଗ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦିଆଯାଇଛି । ସାମାଜିକ ଦୁରତାକୁ ପାଳନ କରାଯାଇ ଆସୋସିଏସନର ୧୫୦ ଜଣ ପ୍ରତିନିଧିଙ୍କୁ ଆଜି ଜଣକ ପିଛା ୨୫ କିଲୋ ଚାଉଳ,ଆଳୁ,ପିଆଜ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛି ।