ନିଜେ ଅନ୍ଧାରରେ ରହି ଅନ୍ୟକୁ ଆଲୁଅ ଦେଖାଇଲେ ଭିଟାମାଟି ହରାଇ କଳାହାଣ୍ଡିକୁ ‘ଭାତହାଣ୍ଡି’ କରିଥିଲେ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ଜିଲ୍ଲାରେ ଜଳସେଚନର ସୁବିଧା ହେଲେ ଚାଷୀଙ୍କ ଅର୍ଥନୈତିକ ମାନଦଣ୍ଡ ଅଭିବୃଦ୍ଧି ସାଙ୍ଗକୁ ମୁଣ୍ଡପିଛା ଆୟ ବୃଦ୍ଧି ପାଇବ। ଏମିତି କିଛି ଚିନ୍ତାଧାରା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରକଳ୍ପ କାର୍ଯ୍ୟକାରୀ ହେଲା। ନଦୀବନ୍ଧ ଯୋଜନାରେ ଅନେକ ଗାଁ ବୁଡ଼ିଗଲା, ଶହଶହ ଲୋକଙ୍କ ଜମି ଗଲା, ଅନେକ ଗ୍ରାମବାସୀ ବେସାହାରା ହୋଇଗଲେ। ସେତେବେଳର ସରକାର ଶାଗମାଛ ଦରରେ ଜୋର ଜବରଦସ୍ତ ଆଦିବାସୀମାନଙ୍କ ଜମି ଛଡ଼ାଇ ନେଇଥିଲେ। ଏହି ପରିକଳ୍ପନା ସାକାର ହେବା ପରେ କଳାହାଣ୍ଡି ଜିଲ୍ଲା ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହେବା ସହିତ ରାଜ୍ୟରେ ଆଜି ଭାତହାଣ୍ଡି ଭାବେ ପରିଗଣିତ ହେଉଛି। ତେବେ ଯେଉଁମାନଙ୍କର ବଳିଦାନ ଯୋଗୁଁ କଳାହାଣ୍ଡି ଶସ୍ୟଶ୍ୟାମଳା ହେଲା ସେମାନେ ଆଜି ବି ଅବହେଳିତ, ନିଷ୍ପେସିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି।ଇନ୍ଦ୍ରାବତୀ ପାଇଁ ୧୯୮୯ ମସିହାରୁ ୧୯୯୨ ମସିହା ମଧ୍ୟରେ ୧୧ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଧର୍ମଗଡ଼ ଉପଖଣ୍ଡ ଓ ଭବାନୀପାଟଣାର କିଛି ଅଂଶ ମରୁଡ଼ିର କରାଳ ଛାୟାରୁ ତ୍ରାହି ପାଇଲା। ଧାନ ଉତ୍ପାଦନରେ କଳାହାଣ୍ଡି ଜିଲ୍ଲା ଓଡ଼ିଶାର ଭାତହାଣ୍ଡି ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ରାଜ୍ୟରେ ଧାନ ଉତ୍ପାଦନରେ କଳାହାଣ୍ଡି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଡାଲି ଜାତୀୟ ଫସଲ ଉତ୍ପାଦନରେ ପ୍ରଥମ ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଉତ୍ପାଦିତ ବିଜୁଳି ଓଡ଼ିଶାକୁ ଆଲୋକିତ କରିବାରେ ମଧ୍ୟ ଅବଦାନ ରଖିଛି। କିନ୍ତୁ ଜଳଭଣ୍ଡାର ପାଇଁ ଯେଉଁମାନେ ବିସ୍ଥାପିତ ହେଲେ ସେମାନେ ଆଜି ଜଳବନ୍ଦି ଜୀବନ ଜିଉଁଛନ୍ତି। ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୪୪ ଗାଁ ଏବଂ କଳାହାଣ୍ଡି ଜିଲ୍ଲାର ୫୩ ଗାଁ ବିସ୍ଥାପିତ ହେଲେ। କଳାହାଣ୍ଡି ଜିଲ୍ଲାର ୪୮ଟି ଗାଁ ଓ ନବରଙ୍ଗପୁର ଜିଲ୍ଲାର ୧୦ଟି ଗାଁ ଜଳଭଣ୍ଡାରରେ ବୁଡ଼ିଯାଇଥିବାବେଳେ ୯ଟି ଗାଁ ଆଂଶିକ ଭାବରେ ଜଳମଗ୍ନ ହେଲା।
ଏହି ପ୍ରକଳ୍ପ ପାଇଁ ଥୁଆମୂଳ ରାମପୁର ବ୍ଲକ୍ର ଅନେକ ଅଞ୍ଚଳ ଜଳଭଣ୍ଡାର ମଧ୍ୟରେ ଲୀନ ହୋଇଯାଇଛି। ବିଶେଷ କରି ଏହି ବ୍ଲକ୍ର ପୋଡ଼ାପଦର ପଞ୍ଚାୟତର ଘୁଟରୁଖାଲ, ପୋଡ଼ାପଦର, ତେନ୍ତୁଳିପଦର, କାରୁବାଡ଼ି, ଲିଟିମସ୍କା, ଭିତରଡୁଙ୍ଗା, ସରାଫାସ, ଟେମରା, ଝିରି, ଭୁରଭୁରି, ତଳଟେମରା, ଢେପଟେମରା, ତଳଗୁଞ୍ଜମାଳି, ଉପର ଗୁଞ୍ଜମାଳି, କଲାତି, ତଳପଙ୍ଗା, କଟରୁପାଟ, ମାଲିଗାଁ ପଞ୍ଚାୟତର କେ.ଚେପଟାଘାଟି ଆଦି ୧୬ରୁ ଅଧିକ ଗାଁ ଇନ୍ଦ୍ରାବତୀ ଡ୍ୟାମ୍ର ଜଳବନ୍ଦି ଘେରରେ ରହି ନିଜର ପରିଚୟ ଖୋଜୁଛନ୍ତି। ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଅନେକ ଲୋକ ଭିଟାମାଟି ହରାଇଛନ୍ତି। ଏପରିକି ସେମାନଙ୍କୁ ସହାୟତା ରାଶି ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ପ୍ରତାରଣା କରାଯାଇଥିଲା। ସରକାର ପରେ ସରକାର ଆସୁଛି, ଅଥଚ ବୁଡ଼ି ଅଞ୍ଚଳବାସୀଙ୍କ ଦୁଃଖ ଘୁଞ୍ଚୁ ନାହିଁ। ଏବେ ବି ସେମାନେ ବଞ୍ଚିବାର ରାହା ଖୋଜୁଛନ୍ତି।