ନିଜେ ଇକୋ-ବାଇକ୍ ଚଲାଇ ଜିଲ୍ଲାପାଳ ଶୁଭ ଉଦଘାଟନ କଲେ
ଛତ୍ରପୁର (ଓ୍ବାଇଏନ୍ଏସ୍) : ବିଶ୍ୱ ବାଇସାଇକେଲ ଦିବସ ଅବସରରେ ଜିଲ୍ଲା ର ସଦରମହକୁମା ଛତ୍ରପୁର ଏନଏସି ପକ୍ଷରୁ ଇକୋ-ବାଇକ୍ କାର୍ଯ୍ୟକ୍ରମକୁ ଶୁଭାରମ୍ଭ ହୋଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିବା ସହିତ ନିଜେ ଏହି ବ୍ୟାଟେରୀ ଚାଳିତ ସାଇକେଲକୁ ଚଳାଇଥିଲେ । ପ୍ରଦୁଷଣକୁ ରୋକିବା ନିମନ୍ତେ ତଥା ଛତ୍ରପୁର ସହରବାସୀଙ୍କୁ ପ୍ରେରଣା ସକାଶେ ଇକୋ-ବାଇକ୍ ତଥା ବ୍ୟାଟେରୀ ଚାଳିତ ସାଇକେଲ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗୋଟିଏ ଥର ବ୍ୟାଟେରୀ ଚାର୍ଜ ହେଲେ ପ୍ରାୟ ୩୦ କିଲୋମିଟର ପର୍ଯ୍ୟନ୍ତ ବାଇକ୍ ଭଳି ଚାଲିବ । ଏଥିରେ ଏକ୍ସଲେଟର ସହିତ ପେଡଲ ମାରିବାର ମଧ୍ୟ ସୁବିଧା ରହିଛି । ଜିଲ୍ଲାରେ ଛତ୍ରପୁର ଏନଏସି ପକ୍ଷରୁ ଏହା ପ୍ରଥମ କରି ଆରମ୍ଭ ହୋଇଥିବା ବେଳେ ଅନ୍ୟ ସହରାଞ୍ଚଳ ଗୁଡିକରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ଲୋକମାନଙ୍କୁ ଘଣ୍ଟା ପ୍ରତି ଦର ହିସାବରେ ଏହି ବ୍ୟାଟେରୀ ଚାଳିତ ସାଇକେଲକୁ ଭଡା ସୂତ୍ରରୁ ପ୍ରଦାନ କରାଯିବ । ଜନସାଧାରଣ ଙ୍କୁ ଖାପ ଖୁଆଇଲା ଭଳି ମୂଲ୍ୟ ଧାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗୋଟିଏ ବ୍ୟାଟେରୀ ଚାଳିତ ସାଇକେଲର ମୂଲ୍ୟ ୩୦ ରୁ ୩୫ ହଜାର ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ଟି ବ୍ୟାଟେରୀ ଚାଳିତ ସାଇକେଲର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ଏବଂ ଏନ୍ଏସି ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।