ନିଜେ ନିଜକୁ ରକ୍ଷା କର

ଏବେ ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଯେପରି ବଢିଚାଲିଛି, ତାହା କ୍ରମଶଃ ମହାମାରୀ ରୂପ ଧାରଣ କରିବା ଅଭିମୁଖେ ଅଗ୍ରସର ହେଉଛି ବୋଲି କହିଲେ ହୁଏତ ଭୁଲ ହୋଇନପାରେ । ଏକ ସ୍ୱାସ୍ଥ୍ୟ ରିପୋର୍ଟରୁ ଜଣାଯାଇଛି ଯେ, କେବଳ ପୂର୍ବ ଭୂମଧ୍ୟ ଅଂଚଳରେ ପ୍ରତିବର୍ଷ ସାଢେ ୪ଲକ୍ଷରୁ ଅଧିକ ଲୋକଙ୍କର ଜୀବନ କର୍କଟ ନେଉଛି । ତେବେ ଭାରତ ଏବଂ ଓଡିଶାରେ ମଧ୍ୟ ଏହି କର୍କଟ ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)ର ଜାତୀୟ କର୍କଟ ପଂଜୀକରଣ କାର୍ଯ୍ୟକ୍ରମ ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଆଇସିଏମଆରର ଜାତୀୟ କର୍କଟ ପଂଜୀକରଣ କାର୍ଯ୍ୟକ୍ରମ ରିପୋର୍ଟ ଅନୁଯାୟୀ ଦେଶରେ ୨୦୨୦ରେ ୧୩,୯୨,୧୭୯ କର୍କଟ ପିଡିତ ଥିବାବେଳେ ୨୦୨୧ରେ ୧୪,୨୭,୪୪୭ ଓ ୨୦୨୨ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୬୧,୪୨୭କୁ ବୃଦ୍ଧି ପାଇଥିଲା । ସେହିପରି ଦେଶରେ ଏହି ୩ବର୍ଷ ମଧ୍ୟରେ ଯଥାକ୍ରମେ ୭,୭୦,୨୩୦ ଜଣଙ୍କର, ୭,୮୯,୨୦୨ ଜଣଙ୍କର ଏବଂ ୮,୦୮,୫୫୮ ଜଣଙ୍କର ମୃତ୍ୟୁ ଘଟିଥିଲା । କେବଳ ଏତିକି ନୁହେଁ, ପଂଜାବ, ହରିଆନା, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡରେ ସର୍ବାଧିକ ପିଡିତ ଥିବା ବେଳେ ସେମାନଙ୍କର ସଂଖ୍ୟା ମଧ୍ୟ ବଢିଚାଲିଛି । ଆମ ରାଜ୍ୟରେ ଶିଶୁ କର୍କଟ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ । ପ୍ରାୟ ୫୦ ହଜାର ଶିଶୁ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପଂଜାବରେ ପ୍ରତି ୧ଲକ୍ଷ ଲୋକରେ ୯୦ଜଣ କର୍କଟ ପିଡିତ । ଗତ ୭ବର୍ଷ ମଧ୍ୟରେ ହାରାହାରି ୭,୫୮୬ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଏକଦା ପଂଜାବର ଭାଟିଣ୍ଡାରୁ ରାଜସ୍ଥାନର ବିକାନିର ଯାଉଥିବା ପାସେଞ୍ଜର ରେଳଗାଡିରେ ସର୍ବାଧିକ କର୍କଟ ରୋଗୀ ଚିକିତ୍ସା ପାଇଁ ଯାଉଥିବାରୁ ତାହା କ୍ୟାନସର ଏକ୍ସପ୍ରେସ ପରିଚିତ ଥିଲା । ଆମ ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟରେ ୯୨,୬୯୯ ଜଣ କର୍କଟ ରୋଗୀ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହୋଇଥିବାବେଳେ ୩୧,୬୯୨ ଜଣଙ୍କର ମୃତ୍ୟୁ ଘଟିଥିବା ବିଧାନସଭାରେ ଗତବର୍ଷ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ବେସରକାରୀ ରିପୋର୍ଟରେ ଏହି ସଂଖ୍ୟା ଆହୁରି ଅଧିକ ଏଥିରେ ସନ୍ଦେହ ନାହିଁ । ଆମ ରାଜ୍ୟରେ ଏହି ମାରାତ୍ମକ ଦୁରାରୋଗ୍ୟ ବ୍ୟାଧିରେ ବାର୍ଷିକ ହାରାହାରି ୫୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବାବେଳେ ୧୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି । ରାଜ୍ୟରେ ପୁରୁଷ ଲୋକମାନେ ମୁଖ୍ୟତଃ ମୁଖ କର୍କଟରେ ପିଡିତ ହେଉଥିବାବେଳେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ପରିମାଣରେ ଦେଖାଯାଏ । ଡାକ୍ତରଙ୍କ ମତରେ ମଣିଷ ଶରୀରର କେବଳ ନଖ ଓ ବାଳକୁ ଛାଡିଦେଲେ, ପ୍ରତ୍ୟେକ ଅଙ୍ଗରେ କର୍କଟ ହେବାର ଆଶଙ୍କା ରହିଛି । ଆମ ଦେଶରେ କର୍କଟରେ ପିଡିତ ରୋଗୀଙ୍କ ମଧ୍ୟରୁ ୪୦ରୁ ୫୦ ପ୍ରତିଶତ ହେଉଛନ୍ତି ମୁଖ ଗହ୍ୱର କର୍କଟ ରୋଗୀ । ମୁଖ କର୍କଟର ମୁଖ୍ୟ କାରଣ ହେଉଛି ତମାଖୁ ଓ ଗୁଟଖା ସେବନ । ତମାଖୁ, ଗୁଟଖା ଓ ଧୂମପାନ ଆଦି ଦ୍ରବ୍ୟରେ ବୈଧାନିକ ସତର୍କତା ସତ୍ୱେ ଏହାର ସେବନ ବଢିଚାଲିଛି । ଯଦି ଏହାକୁ ନିୟନ୍ତ୍ରଣ କରାଯାଇପାରନ୍ତା, ତେବେ ୪୦ ପ୍ରତିଶତ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା କମିଯିବ, ଏଥିରେ ସନ୍ଦେହ ନାହିଁ । ସେହିପରି କର୍କଟ ରୋଗର ଆଉ ଏକ କାରଣ ହେଉଛି କୀଟ ନାଶକ ଔଷଧର ବହୁଳ ବ୍ୟବହାର । ଏବେ ସମସ୍ତ ପନିପରିବା, ଧାନ, ମୁଗ, ଗହମ, ଆଖୁ ଆଦି ଫସଲରୁ ରୋଗ ଦାଉରୁ ରକ୍ଷା ପାଇଁ ବହୁଳ ଭାବରେ କୀଟନାଶକ ଔଷଧ ବ୍ୟବହାର ହେଉଛି । ରାଜ୍ୟର ଭାତହାଣ୍ଡୀ ଭାବେ ପରିଚିତ ବରଗଡ ଜିଲ୍ଲାରେ କର୍କଟ ରୋଗୀଙ୍କୁ ସଂଖ୍ୟା ବୃଦ୍ଧି ପଛରେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଓ କୀଟନାଶକ ଔଷଧ ଫସଲରେ ବ୍ୟବହାର ବୋଲି କୁହାଯାଇଛି । ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ, ଆମ ଦେଶରେ ବ୍ୟବହୃତ ୨୩୪ଟି ପଂଜିକୃତ ରସାୟନିକ ଔଷଧ ମଧ୍ୟରୁ ଅନେକ ଏହାର ମାରାତ୍ମକ ପ୍ରଭାବ ଯୋଗୁଁ ବିଦେଶରେ ନିଷିଦ୍ଧ ହୋଇଥିବାବେଳେ ଆମେ ସେଗୁଡିକୁ ଅତ୍ୟଧିକ ମାତ୍ରାରେ ବ୍ୟବହାର କରିଚାଲିଛୁ । ଏହାର ପ୍ରଭାବରେ କେବଳ ଖାଦ୍ୟ ନୁହେଁ, ଜୀବନ ରକ୍ଷାକାରୀ ଜଳ, ମାଟି, ପବନ ସବୁକିଛି ବିଷାକ୍ତ ହୋଇଯାଉଛି । ଏ ନେଇ ଜନସାଧାରଣ ଏବଂ ସରକାରୀ କଳ ବୋଧହୁଏ ସଚେତନ ଥିବା ମନେହୁଏ ନାହିଁ । କର୍କଟର ନିରାକରଣ ପାଇଁ ସରକାର ଜନସାଧାରଣଙ୍କୁ ସଚେତନ କରିବା ଆବଶ୍ୟକ । ଏହା ସତ୍ୟ ଯେ, ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହୋଇପାରିଲେ, ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ତେବେ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ଜରୁରୀ । କିନ୍ତୁ ଏହା ନିସନ୍ଦେହ ଯେ, ଲୋକମାନେ ନିଜେ ନିଜେ ଜାଣିଶୁଣି କର୍କଟକୁ ଆମନ୍ତ୍ରଣ କରୁଛନ୍ତି । ତମାଖୁ,ସିଗାରେଯ, ମଦ ଆଦି ମାଦକ ଦ୍ରବ୍ୟ ଉପରେ ବୈଧାନିକ ଚେତାବନୀ, ସେହିପରି ଧୂମପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଚେତାବନୀ ସତର୍କ କରାଇ ଦିଆଯାଇଛି । ଏହା ସତ୍ୱେ ଜାଣିନଜାଣିବା ପରି ଲୋକ ତମାଖୁ, ସିଗାରେଟ ମଦ ଛାଡି ପାରୁନାହିଁ । ଯାହାକି କର୍କଟ ରୋଗର ବାହାକ । । ନିଜେ ଯଦି ଆମେ ନହେଜିବ, ଆମକୁ ସତର୍କ କରିବ କିଏ ?
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Spread the love

Advertisement

ଏବେ ଏବେ