ନିଜ ଉପରେ ଜରିମାନା ଲଗାଇଲେ ଜିଲ୍ଲାପାଳ
ଲକ୍ଷେ୍ନø: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତିଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି । ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ ଭୋଗିବାକୁ ପଡ଼ିଥାଏ । ହେଲେ ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କର୍ମଚାରୀଙ୍କ ଭୁଲ ପାଇଁ ଜିଲ୍ଲାପାଳ ନିଜକୁ ଦାୟୀ କରିବା ସହ ନିଜ ଉପରେ ଜରିମାନା ଲଗାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କାର୍ଯ୍ୟାଳୟରେ ପାଣିଟାଙ୍କି ପୂରଣ ହୋଇ ଓଭର ଫ୍ଲୋ ହେବାରୁ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜ ଉପରେ ଓ କର୍ମଚାରୀଙ୍କ ଉପରେ ୧୦ହଜାର ଟଙ୍କା ଜରିମାନା ଲଗାଇଥିବା ଖବର ସାମ୍ନାକୁ ଆସିଛି । ଏହି ଖବର ପ୍ରଚାର ହେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଥାଟି ହେଲା, କାର୍ଯ୍ୟାଳୟରେ ପାଣିଟାଙ୍କି ପୂରଣ ହୋଇ ଓଭର ଫ୍ଲୋ ହେଉଥିଲା । ଏହାକୁ ଦେଖି ଜିଲ୍ଲାପାଳ ବିରକ୍ତ ହେବା ସହ ପାଣି କେତେବେଳୁ ନଷ୍ଟ ହେଉଛି ବୋଲି ଜଣେ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ । ୧୦ମିନିଟ୍ରୁ ପାଣି ନଷ୍ଟ ହେଉଥିବା ଜାଣିବା ପରେ ସେ ନିଜ ଉପରେ ଓ କର୍ମଚାରୀଙ୍କ ଉପରେ ସାମୂହିକ ୧୦ ହଜାର ଟଙ୍କା ଜରିମାନା ଲଗାଇଥିଲେ । ଏଥିସହ ସେ କହିଥିଲେ, ପାଣି ସଂରକ୍ଷଣ କରିବା ସମସ୍ତଙ୍କର ଦାୟିତ୍ୱ ଏବଂ ଏହାକୁ ବଞ୍ଚାଇବା ମଧ୍ୟ ସମସ୍ତଙ୍କର କର୍ତ୍ତବ୍ୟ । ଏହା ଭୁଲ ନୁହେଁ, ବରଂ ଦାୟିତ୍ୱହୀନତା । ତେଣୁ ସମସ୍ତଙ୍କ ସହ ମୋ ଉପରେ ମଧ୍ୟ ଏହା ଲାଗୁ ହୋଇଥିବାରୁ ଏହି ଜରିମାନା ଲଗାଯାଇଛି ବୋଲି ଅଜୟ କହିଛନ୍ତି । ତେବେ ୩୦ ଜଣ ଅଧିକାରୀଙ୍କଠାରୁ ଶହେ ଟଙ୍କା ଓ କର୍ମଚାରୀଙ୍କଠାରୁ ୭୦ଟଙ୍କା ଲେଖାଏଁ ମାସିକ ଦରମାରୁ କାଟିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ଜରିମାନା ରାଶିକୁ ଜଳ ସଂରକ୍ଷଣ ବିଭାଗରେ ଜମା କରାଯାଇଛି । ଯାହା ଦ୍ୱାରା ଜଳ ସଂରକ୍ଷଣ ଉନ୍ନତି କାର୍ଯ୍ୟରେ ଲଗାଯାଇପାରିବ । ତେବେ ଜିଲ୍ଲାପାଳଙ୍କ ଏହି ସଚ୍ଚୋଟତା ଏବେ ସବୁ ମହଲରେ ଭୂରି ଭୂରି ପ୍ରଶଂସା କରାଯାଇଛି ।