ନିଜ ଜନ୍ମଦିନରେ ପିଏମ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କଲେ ୯ ବର୍ଷର ଛାତ୍ର
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠୀ ହୋଇଛି । କେନ୍ଦ୍ର ସରକାର ଏବଂ ରାଜ୍ୟସରକାର କରୋନାକୁୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନାକୁ ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ପିଏମ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନେକ ବଦାନ୍ୟ ବ୍ୟକ୍ତି ଦାନ କରିବାକୁ ଆଗେଇ ଆସିଛନ୍ତି । ଠିକ୍ ସେହିପରି ଭୁବନେଶ୍ୱରରେ ରହୁଥିବା ଜଣେ ୯ ବର୍ଷର ଛାତ୍ର ଠାକୁର ରାଜବୀର ନିଜ ଜନ୍ମଦିନରେ କୁମ୍ପି ଭାଙ୍ଗି ପିଏମ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ତାଙ୍କ ସଂଚିତ ଅର୍ଥ ସମୁଦାୟ ୨ ହଜାର ୨୦ ଟଙ୍କାରୁ ସେ ୧ ହଜାର ୧୦ ଟଙ୍କା ଲେଖାଏଁ ପିଏମ କେୟାର୍ସ ଫଣ୍ଡ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଧୁମ ଧାମରେ ଜନ୍ମଦିନ ପାଳନ କରିବା ଅପେକ୍ଷା ଦେଶର ଏଭଳି ସଙ୍କଟ ସମୟରେ ସରକାରଙ୍କୁ ସହାୟତା କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି । ଏହା ସହ କରୋନା ଯୁଦ୍ଧରେ ସାମିଲ ହୋଇ ନିଜ ସାମର୍ଥ୍ୟ ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି । ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳ ବାସିନ୍ଦା ରାଜବୀରଙ୍କୁ ଅନେକ ପ୍ରଶଂସା କରିଛନ୍ତି ।