ନିଜ ନାଗରିକଙ୍କୁ ସତର୍କ କଲେ ଭାରତ, ଆମେରିକା ଜରୁରୀ ନଥିଲେଶ୍ରୀଲଙ୍କା ଯାଅନି
ନୂଆଦିଲ୍ଲୀ/ ୱାଶିଂଟନ୍ (ଏଜେନ୍ସି): ନିକଟରେ ଶ୍ରୀଲଙ୍କାରେ ଘଟିଯାଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପରେ ସମ୍ପ୍ରତି ସେଠାରେ ପରିସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ଉଭୟ ଭାରତ ଏବଂ ଆମେରିକା ପକ୍ଷରୁ ନିଜ ନିଜ ନାଗରିକମାନଙ୍କୁ ସତର୍କତାପୂର୍ଣ୍ଣ ପରାମର୍ଶ ଜାରି କରାଯାଇଛି । ଅତି ଆବଶ୍ୟକ ନହେଲେ ଶ୍ରୀଲଙ୍କା ଗସ୍ତରେ ନଯିବାକୁ ଏହି ଦୁଇ ଦେଶ ନିଜ ନାଗରିକଙ୍କୁ କହିଛନ୍ତି । ଏତଦ୍ବ୍ୟତୀତ ସେଠାରେ ଫସିରହିଥିବା ନିଜ ନାଗରିକଙ୍କୁ ମଧ୍ୟ ଅତିଶୀଘ୍ର ଶ୍ରୀଲଙ୍କା ଛାଡିବାକୁ ଏହି ଦୁଇ ଦେଶ କହିଛନ୍ତି । ରବିବାର ଉଭୟ ଆମେରିକା ଏବଂ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିଜ ନାଗରିକଙ୍କ ଉଦ୍ଦେଶ୍ୟରେ ଏହି ସତର୍କ ସୂଚନା ଜାରି କରାଯାଇଛି । ପ୍ରକାଶ ଯେ, ଶ୍ରୀଲଙ୍କା ଆତଙ୍କବାଦୀ ଆକ୍ରମଣରେ ୨୬୫ରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରଠାରୁ ଶନିବାର ମଧ୍ୟରେ ଆଉ କିଛି ଅଞ୍ଚଳରେ ଛୋଟମୋଟ ବିସ୍ଫୋରଣ ହୋଇସାରିଛି । ଫଳରେ ଶ୍ରୀଲଙ୍କା ସରକାର କେତେକ ଅଞ୍ଚଳକୁ ବାଦ୍ ଦେଇ ପ୍ରାୟ ଅଧିକାଂଶ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଅନ୍ୟପକ୍ଷେ ଆତଙ୍କବାଦୀମାନେ ଶ୍ରୀଲଙ୍କାରେ ପର୍ଯ୍ୟଟନସ୍ଥଳୀ ସମେତ ପରିବହନ ସରକାରୀ କାର୍ଯ୍ୟାଳୟ, ହୋଟେଲ, ପୂଜାସ୍ଥଳୀ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକାକୁ ଗୁଇନ୍ଦା ସୂଚନା ମିଳିଛି । ଏହି ଆଧାରରେ ଶ୍ରୀଲଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଏ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜର ନାଗରିକମାନଙ୍କୁ ଶ୍ରୀଲଙ୍କା ଯିବାକୁ ବାରଣ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଅତି ଜରୁରୀ ନହେଲେ ଶ୍ରୀଲଙ୍କା ଭ୍ରମଣରେ ଯାଆନ୍ତୁ ନାହିଁ । ଯଦି ଅତି ଜରୁରୀ କାର୍ଯ୍ୟ ଅଛି ତେବେ କଲମ୍ବୋରେ ଥିବା ଭାରତୀୟ ହାଇକମିଶନର, କଣ୍ଡିରେ ଥିବା ଡେପୁଟୀ ହାଇକମିଶନର କିମ୍ବା ଜାଫନା, ହାମ୍ବନତୋଟାରେ ଥିବା କନସୁଲେଟ୍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ କମିଶନରଙ୍କ ୱ୍ବେସାଇଟ୍ରେ ଏଥିଲାଗି ଆବଶ୍ୟକୀୟ ହେଲପ୍ଲାଇନ ନମ୍ବର ରହିଛି । ଜଣେ ଚାହିଁଲେ ଏହି ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ । ଏହି ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବାବେଳେ ଏବଂ କର୍ଫ୍ୟୁ ଲାଗୁ ହୋଇସାରିଥିବାରୁ ଭ୍ରମଣ କରିବାରେ ଅସୁବିଧା ଉପୁଜିପାରେ ବୋଲି କୁହାଯାଇଛି ।


