ନିଜ ମାଆ ଓ ସାନ ଭାଇଙ୍କୁ ମାଡ଼ ମାରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଥାନା ଅନ୍ତର୍ଗତ ଦୁଆନପଲ୍ଲୀରେ ଥିବା ନିଜଘରେ ନିଜର ମାଆ ଓ ସାନଭାଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ଲହୁଲୁହାଣ କରିବା ତଥା ଜୀବନରେ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଆଜି ଛତ୍ରପୁର ଜେଏମ୍ଏଫସି ଶ୍ରୀମତି ପ୍ରଜ୍ଞା ପାରମିତା ପ୍ରତିହାରୀ ମୁଖ୍ୟ ଅଭିଯୁକ୍ତ ଦୁଆନପଲ୍ଲୀ ଗ୍ରାମର ଦୁଃଖୀଶ୍ୟାମ ନାହାକ(୪୨ବର୍ଷ) ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ କଡ଼ା ଭର୍ତ୍ସନା କରିଛନ୍ତି। ସରକାରଙ୍କ ପକ୍ଷରୁ ପୂର୍ବରୁ ଏପିପି ସୌରୀ ପ୍ରସାଦ ବେହେରା ଏହି ମାମଲାଟିକୁ ପରିଚାଳନା କରୁଥିଲେ କିନ୍ତୁ ତାଙ୍କର ଅକାଳ ମୃତ୍ୟୁପରେ ଏପିପି ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ଉକ୍ତ ମାମଲାଟିକୁ ପରିଚାଳନା କରିଥିଲେ ଓ ଏଥିରେ କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥିଲେ ।  ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୦ ତାରିଖ ୨୦୧୯ ସକାଳେ ଅଭିଯୁକ୍ତଜଣଙ୍କ ନିଜ ଘରେ ଥିବା ସମୟରେ ଛତ୍ରପୁରରେ ଏକ ଭଡାଘରେ ରହୁଥିବା ତାଙ୍କ ମା’ ଡ଼ଲି ନାହାକ ଓ ସାନଭାଇ ସୋମନାଥ ନାହାକ ପେନସନ ବହି, ଅନ୍ୟାନ୍ୟ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେବା ପାଇଁ ଦୁଆନପଲ୍ଲୀରେ ଥିବା ନିଜ ଘରକୁ ଆସିଥିଲେ। କିନ୍ତୁ ଦୁଃଖର କଥା ଦୁଃଖିଶ୍ୟାମ ସେମାନଙ୍କୁ ସେ ଘର ଭିତରକୁ ଛାଡି ନଥିଲେ ଓ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସାନଭାଇ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ମାଡ଼ମାରି ଲହୁଲୁହାଣ କରିବା ସହ ତାଙ୍କର ନାକ ଓ ପାଟି ଫଟେଇ ରକ୍ତାକ୍ତ କରିଦେଇଥିଲେ। ସାହିପଡିଶା ଲୋକ ଏହା ଦେଖି ତୁରନ୍ତ ତାଙ୍କୁ ଛତ୍ରପୁରସ୍ଥିତ ଡକ୍ଟରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଏହି ଘଟଣାକୁ ନେଇ ସେପ୍ଟେମ୍ବର ୧୦ ତାରିଖରେ ଅଭିଯୋଗକାରିଣୀ ଡ଼ଲି ନାହାକ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୨୧୫/୨୦୨୧ରେ ଉକ୍ତ ମାମଲାଟି ପଞ୍ଜିକୃତ ହୋଇଥିଲା ଓ ଜିଆର ୪୧୩/୧୯ ରେ ଛତ୍ରପୁର କୋର୍ଟରେ ମାମଲା ବିଚରାଧୀନ ରହିଥିଲା। ସବ ଇନ୍ସପେକ୍ଟର ଶ୍ରୀ ବିଶ୍ୱମ୍ଭର କଁଅର ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଆଜି ୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତକୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ କଡା ଭର୍ତ୍ସନା କରିଥିଲେ ତଥା ଅଭିଯୁକ୍ତକୁ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ ଦେବା ସହ ବୃଦ୍ଧା ମାଆଙ୍କର ଯଥାସମ୍ଭବ ସେବା କରିବାକୁ ପରାମର୍ଶ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ