ନିମାପଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଚାରରେ ସବୁଠୁ ଆଗରେ
ଚାରିଛକ (ଜୁଗାବ୍ଦ ନ୍ୟୁଜ୍): ନିମାପଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦିଲିପ କୁମାର ନାୟକ ପ୍ରଚାରରେ ସବୁଠୁ ଆଗରେ ଥିବା ଦେଖିବାକୁ ମିଳିଛି । ଶାସକ ଦଳ ପ୍ରାର୍ଥୀ ସମୀର ରଞ୍ଜନ ଦାଶ ଏଥର ଜିତି ହ୍ୟାଟ୍ରିକ ମାରିବା ଆଶାରେ ରହିଥିବା ବେଳେ ବିଜେପି ପ୍ରାର୍ଥୀନୀ ପ୍ରଭାତୀ ପରିଡା ମୋଦିଙ୍କ ଜନହିତକର କାର୍ଯ୍ୟକ୍ରମକୁ ଆଧାର କରି ପ୍ରଚାରକୁ ଜୋରଦାର ଚଳାଇଛନ୍ତି । ୨୦୦୯ରେ କଂଗ୍ରେସ ୨ୟ ସ୍ଥାନ ଥିବା ବେଳେ୨୦୧୪ରେ ୩ୟ ସ୍ଥାନରେ ରହିଥିଲା । ମାତ୍ର ଚଳିତ ନିର୍ବାଚନରେ ବହୁ ଅସନ୍ତୁଷ୍ଟ ବିଜେଡି, ବିଜେପି ଓ ଯୁବଗୋଷ୍ଠୀ ଏଥର କଂଗ୍ରେସ ପ୍ରାର୍ଥୀ ଶ୍ରୀ ନାୟକଙ୍କୁ ସମର୍ଥନ ଦେଇଥିବାରୁ ତାଙ୍କର ପଲ୍ଲା ଭାରିଥିବା ଜଣାପଡିଛି । ପ୍ରଚାରରେ ସେ ସବୁଠୁ ଆଗୁଆ ଥିବାବେଳେ ଚଳିତ ନିର୍ବାଚନରେ ବିଜୟଲାଭ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀ ନାୟକ କଂଗ୍ରେସରୁ ଏଥର ନୂତନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ବିଭିନ୍ନ ପଞ୍ଚାୟତରୁ ବହୁ ଜନ ସମର୍ଥନ ମିଳୁଛି । ଯାହାକି ବିଜେଡି, ବିଜେପି ପାଇଁ ମିଣ୍ଡବିନ୍ଧାର କାରଣ ପାଲଟିଛି । ନିମାପଡା ନିର୍ବାଚନ ମଣ୍ଡଳୀର ୨୧ନଂ ଜୋନ୍ ଏବଂ ଗୋପ ବ୍ଳକର ଅନେକ ପଞ୍ଚାୟତରେ ଶ୍ରୀ ନାୟକଙ୍କ ସ୍ଥିତି ଭଲଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ କେତେକ ବିଜେଡିର ସକ୍ରୀୟ କର୍ମୀ କଂଗ୍ରେସ ଓ ବିଜେପିରେ ଯୋଗଦେବା ପାଇଁ ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି । ଏହି ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ୨ଲକ୍ଷ ୩୬ ହଜାର ୨୯୯ ଥିବାବେଳେ ସେଥିରୁ ୧ଲକ୍ଷ ୧୩ ହଜାର ୬୯୨ଜଣ ମହିଳା ଭୋଟର । ପ୍ରତ୍ୟେକ ଦଳ ଏହି ମହିଳାଙ୍କ ଭୋଟ୍କୁ ଆପଣାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ସେଥି ମଧ୍ୟରୁ କଂଗ୍ରେସ ଦଳ କିଛି ମହିଳା ଭୋଟରଙ୍କୁ ହାତେଇ ବିଜୟଲାଭ କରିବ ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ଚାଲିଛି ।


