ନିମାପଡା ରେ ବୋଇତ ବନ୍ଦାଣ ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ପୁରୀ ଜିଲ୍ଲା ନିମାପଡ଼ା ସ୍ଥିତ ଦେବୀ ମଣ୍ଡପ ସମ୍ମୁଖରେ “ନିମାପଡ଼ା ବୋଇତ ବନ୍ଦାଣ ଉତ୍ସବ -୨୦୨୨” ମହା ସମାରୋହରେ ପାଳନ କରା ଯାଇଥିଲା। ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଏକ କୃତ୍ରିମ ଜଳାଶୟ ପ୍ରସ୍ତୁତ କରାଯାଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ଲୋକମାନେ ପ୍ରାକୃତିକ ଜଳାଶୟକୁ ଦୂଷିତ ନକରି ସୁରକ୍ଷିତ ଭାବେ ସୁବିଧାରେ ଡଙ୍ଗା ଭସାଇବାର ସୁଯୋଗ ପାଇଥିଲେ। ଏହା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ପୂର୍ବତନ କଲେଜ ଅଧ୍ୟକ୍ଷ କ୍ଷିରୋଦ ଚନ୍ଦ୍ର ରାୟ ମହାପାତ୍ର, ନିମାପଡା ଏନ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ନିମାପଡା ଥାନା ଆଇ ଆଇ ସି ଶଙ୍କର୍ଷଣ ଦଳାଇ, ବରିଷ୍ଠ ଫାର୍ମାସିଷ୍ଟ
ଆଇ ତ୍ରିନାଥ ପାତ୍ର, ସଙ୍ଗମ ର ସଭାପତି ଗଙ୍ଗାଧର ଓଝା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଆମ ଅତୀତ ଓଡ଼ିଶା ର ନୌ ବାଣିଜ୍ୟ ସମ୍ପର୍କ ରେ ଆଲୋକପାତ କରି ଥିଲେ। ପ୍ରଥମେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଅନୁଷ୍ଠାନ ତରଫରୁ ଉପସ୍ଥିତ ଅତିଥିମାନେ ସାଧବ ପୁଅ ବେଶରେ ସଜ୍ଜିତ ସାତ ଜଣ ପିଲାଙ୍କ ସହିତ କୃତ୍ରିମ ଜଳାଶୟରେ ବୋଇତ ବନ୍ଦାଣ କରିଥିଲେ ଏବଂ ପରେ ପରେ ସର୍ବସାଧାରଣ ଶ୍ରଦ୍ଧାଳୁମାନେ ଏଥିରେ ଡଙ୍ଗା ଭଷାଣ କରିଥିଲେ। ଏହା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରି ପାରିଥିଲା। ନିମାପଡ଼ାର ବିଶିଷ୍ଟ ସଙ୍ଗୀତ ଗୁରୁ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାମନ୍ତରାୟ ଙ୍କୁ ଏବଂ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀମତୀ ସୌଦାମିନୀ ସ୍ଵାଇଁ (ଜାତୀୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ) ଙ୍କୁ “ନିମାପଡ଼ା ଗୌରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବେପାର ବାଣିଜ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ନିମାପଡ଼ାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଲୋକନାଥ ସାହୁଙ୍କୁ “ସାଧବ ପୁଅ” ସମ୍ମାନରେ ସମ୍ମାନୀତ କରି ମୁକୁଟ, ଉପଢୌକନ ଏବଂ ମାନପତ୍ର ପ୍ରଦାନ କରା ଯାଇଥିଲା। ନିମାପଡ଼ା ଅଞ୍ଚଳର “ମାତୃଶକ୍ତି ସ୍ବାବଲମ୍ବୀ ମହିଳା ସଂଗଠନ”କୁ ସେମାନଙ୍କ ନିଃସ୍ଵାର୍ଥପର ସମାଜସେବା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଭୋଳ ପରିଚାଳନା କରିଥିଲେ।ପରେ ପରେ ଗୁରୁ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାମନ୍ତରାୟଙ୍କ ତତ୍ବାବଧାନରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।