ନିମାପଡ଼ା ସାହିତ୍ୟ ସଂସଦର ୬ଷ୍ଠ ଜାତୀୟ ସାହିତ୍ୟୋତ୍ସବ

ଭୁବନେଶ୍ୱରରେ ନିମାପଡ଼ା ସାହିତ୍ୟ ସଂସଦର ୬ଷ୍ଠ ଜାତୀୟ ସାହିତ୍ୟୋତ୍ସବ ସଂସଦର ସଭାପତି ତଥା ବରିଷ୍ଠ ଅଧିବକ୍ତା ଶୁଭେନ୍ଦୁ ରାଉତରାୟଙ୍କ ସଂଯୋଜନା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଲୋଚକ ପ୍ରଫେସର ଡକ୍ଟର ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ଲେଖିକା ଜ୍ଞାନପୀଠ ଚୟନ ସମିତିର ଅଧ୍ୟକ୍ଷା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ ଯୋଗଦେଇ ମହାତ୍ମା ଗାନ୍ଧିଙ୍କ ସତ୍ୟ ଓ ଅହିଂସା ତଥା ଉତ୍କଳମଣି ଗୋପବନ୍ଧୁଙ୍କ ଦେଶାତ୍ମବୋଧ ଓ ଦରିଦ୍ର ନାରାୟଣର ସେବା ଭିତରେ ଥିବା ଚିରନ୍ତନ ମାନବୀୟ ଆଦର୍ଶ ଆଜି ମଧ୍ୟ ଏକାନ୍ତ ଭାବେ ପ୍ରାସଙ୍ଗିକ ଏବଂ ଏ କଥାରୁ ଦୂରେଇ ଯିବା ଯୋଗୁଁ ସମାଜରେ ବିଭେଦତା ଓ ସଂକଟ ସୃଷ୍ଟି ହେଉଛି ବୋଲି ପ୍ରକାଶ କରିଛନ୍ତି । ଉତ୍ସବରେ ପ୍ରଫେସର ଆଚାର୍ଯ୍ୟ ଭାବାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ, ନାରୀ ସ୍ୱାଧୀନତା, ଦାରିଦ୍ର‌୍ୟ ଦୂରୀକରଣ ଓ ଶ୍ରମ ନିୟୋଜନ ବିଷୟରେ ଗାନ୍ଧିଜୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ । ସମ୍ମାନ ଅତିଥି ଭାବେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ କୁମାର ପରିଡ଼ା ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ଗାନ୍ଧିଙ୍କ ଚେତନା ବର୍ତ୍ତମାନ ଆମ ପାଇଁ କିପରି ଅନିର୍ବାର୍ଯ୍ୟ ଭାବେ ପ୍ରାସଙ୍ଗିକ ତାହା ସୂଚାଇଥିଲେ । ମୁଖ୍ୟ ବକ୍ତା ଭାବେ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନର ଡିନ୍ ତଥା ପ୍ରୟାଗରାଜର ବିଶିଷ୍ଟ ହିନ୍ଦୀ ସାହିତ୍ୟକାର ପ୍ରଫେସର ଡକ୍ଟର ଅନୂପ କୁମାର ଯୋଗଦେଇ ସାହିତ୍ୟ, ସାମ୍ବାଦିକତା, ଶିକ୍ଷା, ସେବା, ଜାତୀୟ ଆନ୍ଦୋଳନ ସବୁଥିରେ ଗୋପବନ୍ଧୁ ଉତ୍କର୍ଷତା ପ୍ରତିପାଦନ କରିଥିଲେ ମଧ୍ୟ ଜାତୀୟ ସ୍ତରରେ ତାଙ୍କର ଉପଯୁକ୍ତ ମୂଳ୍ୟାୟନ ନ ହେବା ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଆଚାର୍ଯ୍ୟ ଭାବାନନ୍ଦଙ୍କୁ ଗାନ୍ଧିସ୍ମୃତି ସମ୍ମାନ, ଡକ୍ଟର ଅଜୟ ପରିଡ଼ାଙ୍କୁ ପରିବେଶ ସମ୍ମାନ, କବି ରକ୍ଷକ ନାୟକଙ୍କୁ କୁଞବିହାରୀ ଦାଶ କବିତା ସମ୍ମାନ, ପ୍ରାବନ୍ଧିକ ନିରଂଜନ ପାଢ଼ୀଙ୍କୁ ଜଗବନ୍ଧୁ ସିଂ ପ୍ରବନ୍ଧକ ସମ୍ମାନ, ଗାଳ୍ପିକା ରୁମ୍‌ଝୁମ୍ ନାୟକଙ୍କୁ ପଣ୍ଡିତ ମୃତ୍ୟୁଞୟ ରଥ ଗଳ୍ପ ସମ୍ମାନ, ଯୁଗଶ୍ରୀ ଯୁଗନାରୀର ସଂପାଦିକା ମମତା ମହାପାତ୍ରଙ୍କୁ ନିମାପଡ଼ାପତ୍ର ସଂପାଦିକା ସମ୍ମାନ, ସୌମେନ୍ଦ୍ର ଜେନାଙ୍କୁ ନିମାପଡ଼ାପତ୍ର ସାହିତ୍ୟ ସଂଗଠକ ସମ୍ମାନ, ଓଡ଼ିଆ ଓ ଆଦିବାସୀ ସଂସ୍କୃତିର ଗବେଷକ ରାୟପୁର, ଛତିଶଗଡ଼ର ଡଃ. ମହେନ୍ଦ୍ର କୁମାର ମିଶ୍ରଙ୍କୁ ଲୋକସାହିତ୍ୟ ଗବେଷକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କିସ୍ ମାନିତ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ପ୍ରମୋଦିନୀ ଜେନାଙ୍କ ଦ୍ୱାରା ସଂପାଦିତ ସାହିତ୍ୟ ପତ୍ରିକା “ନିମାପଡ଼ାପତ୍ର”ର ସ୍ୱତନ୍ତ୍ର ସଂଖ୍ୟା ଓ ଶାନ୍ତିନିକେତନର ଅଧ୍ୟାପକ ଇନ୍ଦ୍ରମଣି ସାହୁଙ୍କ ରଚିତ ‘ମାନବିକତାର ଉପନ୍ୟାସ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରଫେସର ବାଉରୀବନ୍ଧୁ କର ଓ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ “ଗାନ୍ଧି , ଗୋପବନ୍ଧୁ ଓ ଓଡ଼ିଆ ସାହିତ୍ୟରେ ଜାତୀୟ ଚେତନା” ଶୀର୍ଷକ ଜାତୀୟ ଆଲୋଚନା ଚକ୍ରର ଦୁଇଟି ଅଧିବେଶନରେ ରମାଦେବୀ ବିଶ୍ୱବିଦ୍ୟାଳୟର ଡକ୍ଟର ମାନସ ବେହେରା ଓ ଡକ୍ଟର ସଂଘମିତ୍ରା ଭଞ, ବାଲିପୁଟ୍ କଲେଜ, ପୁରୀର ଅଧ୍ୟାପକ ପବିତ୍ର ମୋହନ ଦାସ, ବିଶ୍ୱଭାରତୀ ଶାନ୍ତିନିକେତନର ଅଧ୍ୟାପକ ଇନ୍ଦ୍ରମଣି ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟର ଡକ୍ଟର ମନୀନ୍ଦ୍ର କୁମାର ମେହେର , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡକ୍ଟର ସଦାନନ୍ଦ ନାୟକ , ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ଦାସ, ଶୈଳବାଳା ମହାବିଦ୍ୟାଳୟ, କଟକର ଡକ୍ଟର ସଞିତା ମିଶ୍ର ପ୍ରମୁଖ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଉଦ୍‌ଜାପନ ସମାରୋହ ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ନିମାପଡ଼ା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କୁଞ୍ଜବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ଡକ୍ଟର ଫନି ମହାନ୍ତି, ସମ୍ମାନୀତ ଅତିଥି ଭାବେ କେନ୍ଦ୍ର ସାହିତ୍ୟଏକାଡେମୀର ପୂର୍ବାଞ୍ଚଳ ସମ୍ପାଦକ, କଲିକତାର ଡକ୍ଟର ମିହିର କୁମାର ସାହୁ ଯୋଗଦେଇଥିଲେ । ବାହାଦୁର ପାଟ୍ଟଶାଣୀ, ବିମଳା ସିଂ, ସନ୍ୟାସୀ ନାୟକ, ସୁଜାତା ପାତ୍ର, ଜଳଧର ମାଝୀ ଓ ସୁଷମା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବି ସମ୍ମିଳନୀରେ ୪୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । ସନ୍ଧ୍ୟାରେ ‘କିସ୍‌’ ଅନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ନିମାପଡ଼ା ସାହିତ୍ୟ ସଂସଦର ସମ୍ପାଦକ ବିଶିଷ୍ଟ ଗବେଷକ ହାଡ଼ିବନ୍ଧୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ