ନିମ୍ନମାନର ପୋଲ କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଅଧିନ ରାମକୃଷ୍ଣପୁର ଗୋପାଳ ସାହି ନିକଟରେ କପାଳୀ ନଦୀ ଉପରେ ସାଳନ୍ଦି ଡିଭିଜନ୍ ଡ୍ରେନେଜ୍ ପକ୍ଷରୁ ନିର୍ମାଣ ହେଉଥିବା ଫୁଟ୍ ବ୍ରିଜ୍ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ମାନେ ନିର୍ମାଣ କାର୍ଯ୍ୟ ବିରୋଧ କରିଛନ୍ତି । ଉକ୍ତ ସ୍ଥାନରେ ପୂର୍ବରୁ ଗ୍ରାମବାସୀ ମାନେ ଅସ୍ଥାୟୀ ପୋଲ ତିଆରି କରି ଚାଷ ଜମିକୁ ଉପଯୋଗୀ କରୁଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏହି ସ୍ଥାନରେ ପୋଲ ନିର୍ମାଣ ହେଉଥିବାରୁ ଗ୍ରାମବାସୀ ମାନେ ଖୁସିବ୍ୟକ୍ତ କରିଥିଲେ । ମାତ୍ର ଏବେ ପୋଲ ନିର୍ମାଣ ହେଉଥିଲେ ମଧ୍ୟ ତାହା ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଏବେ ନଦୀରେ ପାଣି ଥିବା ବେଳେ ପାଣି ଭିତରେ ଢଳେଇ କାର୍ଯ୍ୟ ଚାଲୁଥିବାର ଦେଖାଯାଇଛି । ଏଥିସହିତ ନିର୍ମାଣସ୍ଥଳରେ ପ୍ରକଳ୍ପର ଅଟକଳ ମୂଲ୍ୟ ସଂପର୍କରେ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଉକ୍ତ ପୋଲ ନିର୍ମାଣ ହେଲେ ଗୋପାଳ ସାହି, ମଳିକ ସାହି, ନଈପାରିଗଢିଆ ସମେତ ଭୋଗପୁର ଶାସନର ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଚାଷୀ ନିର୍ଭର ଉପକୃତ ହେବେ ବୋଲି ଜଣାଯାଇଛି । ଏପରିପେକ୍ଷୀରେ ସଂପୃକ୍ତ ଠିକାଦାର ମନୋମୁଖୀ ଭାବେ ନିମ୍ନମାନର କାର୍ଯ୍ୟ କରୁଥିବାରୁ ଆଜି ଗ୍ରାମର ଲକ୍ଷ୍ମଣ ବାରିକ, ଭାଗିରଥି ପରିଡା, ଅରୁପ ପରିଡା, ବିନୋଦ ଖିଲାର, ରମେଶ ବାରିକ, ଲକ୍ଷ୍ମୀଧର ଖିଲାର, ରମାକାନ୍ତ ବାରିକ, ତ୍ରିଲୋଚନ ପରିଡା, ଗୁରୁ ଚରଣ ବାରିକ, ପିତାମ୍ବର ଦାସ, ନୃସିଂହ ବାରିକ, ଶରତ ବାରିକ, ପୂର୍ଣ୍ଣ ଚନ୍ଦ୍ର ଦାସ, ପାଣ୍ଡବ ଦାସ, ରମାକାନ୍ତ ମଲ୍ଲିକ, ଭୋଳାନାଥ ସେଠୀ, ଆଦିକନ୍ଦ ପରିଡା, ବିଦ୍ୟାଧର ମଳିକଙ୍କ ସମେତ ବହୁ ଚାଷୀ ଘଟଣା ସ୍ଥଳରେ ପହଞ୍ôଚ ନିର୍ମାଣ କାର୍ଯ୍ୟକୁ ବିରୋଧ କରିିଥିବାର ଜଣାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।