ନିମ୍ନ ମାନର ରାସ୍ତା କାମ ପାଞ୍ଚ ବର୍ଷରେ ରାସ୍ତା ପାଲଟିଲାଣି ମରଣ ଯନ୍ତା
ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):ନିମ୍ନ ମାନର ରାସ୍ତା କାମ ଯୋଗୁଁ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ରାସ୍ତା ଅବସ୍ଥା ଶୋଚନୀୟ I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ର ଗୋବରା-ଷଡ଼ଙ୍ଗୀପଲ୍ଲୀ ପୁର୍ତ୍ତ ବିଭାଗ ରାସ୍ତାରୁ ବାହାରି ମାଧବରୀଡା ଯାଇଥିବା ଏକ ରାସ୍ତାରେ I ସୂଚନା ପ୍ରକାରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ପୂର୍ତ୍ତବିଭାଗ ରାସ୍ତା ଠାରୁ ଭାୟା ବେଣୀପଲ୍ଲୀ ହୋଇ ମାଧବରୀଡା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ହୋଇଥିଲା I ୨ କୋଟି ୪୨ ଲକ୍ଷ ବ୍ୟୟ ଅଟକଳରେ ଏହି ରାସ୍ତା କାମ 16-03-2018 ଠାରୁ ଆରମ୍ଭ ହୋଇ 15-03-2020 ରେ ଶେଷ ହୋଇଥିଲା I ରାସ୍ତାଟି ମୋଟ ୫ କି.ମି. ୧୦୦ ମିଟର ପିଚୁ କାମ ହୋଇଥିବା ବେଳେ ୯୦୦ ମିଟର କଂକ୍ରିଟ୍ କାମ ହୋଇଥିଲା I ରାସ୍ତାଟି ଭଞ୍ଜନଗର ଅଞ୍ଚଳର ଠିକାଦାର ଲକ୍ଷ୍ମୀ ନାରାୟଣ ନାୟକଙ୍କ ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିଲା I କାର୍ଯ୍ୟ ଆରମ୍ଭରୁ ହିଁ ନିମ୍ନ ମାନର କାର୍ଯ୍ୟ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଥିଲେ I କିନ୍ତୁ ସେତେବେଳେ ଏହି ଅଭିଯୋଗକୁ ପ୍ରଶାସନ ଗୁରୁତ୍ୱ ଦେଇନଥିବା ବେଳେ ବର୍ତ୍ତମାନ ରାସ୍ତାଟି ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି I ବର୍ତ୍ତମାନ ରାସ୍ତା ସାରା ଖାଲଖଣା ଏବଂ ବିରାଟ ବିରାଟ ଗର୍ତ୍ତ ସୃ୍ଷ୍ଟି ହୋଇଛି I ରାସ୍ତାରୁ ପିଚୁ ଉଠିଯାଇ ରାସ୍ତାଟି ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ I ଏଥିରୁ ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି I ପ୍ରତ୍ୟେକ ଦିନ ଏହି ରାସ୍ତାରେ ବେଣୀପଲ୍ଲୀ,ମାଧବରୀଡା,ବରପଲୀ,କରା ଗାଡିଆ,ବାଲିଭାଗ,ଗୋବରା, ଜୟନ୍ତୀ ଗଡ଼, ଓରିଗଡ଼,କଇଠ ପଲ୍ଲୀ,ଶ୍ରୀକରପୁର ଗ୍ରାମର ଶହ ଶହ ଲୋକ ଏବଂ ଗାଡ଼ି ଯିବା ଆସିବା କରିବା ସମୟରେ ରାସ୍ତାରେ ସୃଷ୍ଟି ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି I ରାସ୍ତା ସାରା ପିଚୁ ଉଠିଯାଇ ଗୁଡ଼ିରେ ଭର୍ତ୍ତି ହୋଇଥିବା ଯୋଗୁଁ ଏହି ରାସ୍ତା ଦେଇ ନାଟଙ୍ଗା ଉଚ୍ଚ ବିଦ୍ୟାଳୟ ଏବଂ ସ୍ଥାନୀୟ କଲେଜ୍,ଟ୍ୟୁସନ୍ କୁ ଆସୁଥିବା ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁବିଧାର ଭୋଗ କରୁଛନ୍ତି I ରାସ୍ତାର ଗୁଡ଼ି ବାଜି ଛାତ୍ରଛାତ୍ରୀଙ୍କ ସାଇକେଲ୍ ପଙ୍କଚର୍ ହେବା ସହ ବହୁ ସମୟରେ ଛାତ୍ରଛାତ୍ରୀ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି I ଏହା ସହିତ ଏହି ରାସ୍ତାରେ ମାଧବରୀଡା ଦେଇ ବେଲଗୁଣ୍ଠା ଯାଉଥିବା ଲୋକେ ମଧ୍ୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି I ତେଣୁ ସ୍ଥାନୀୟ ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I