ନିଯୁକ୍ତିପ୍ରାପ୍ତ ଅସ୍ଥାୟୀ କର୍ମଚାରୀଙ୍କର ଆନ୍ଦୋଳନ ପ୍ରସ୍ତୁତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶନିବାର ଦିବା ୧୧ ଘଟିକା ସମୟରେ ସ୍ଥାନୀୟ ୟୁନିଟ୍‌-୫ଠାରେ ଥିବା କର୍ମଚାରୀ ଭବନ ସଭାଗୃହରେ ‘ଓଡ଼ିଶା ଅସ୍ଥାୟୀ କର୍ମଚାରୀ ମିଳିତ ମଞ୍ଚ’ର ଏକ ଜରୁରୀ ବୈଠକ ମିିଳିତ ମଞ୍ଚର ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମିିଳିତ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଓ ରାଜ୍ୟ ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ, ମିିଳିତ ମଞ୍ଚର ଉପଦେଷ୍ଟା ଶ୍ରୀ ସୁଧାଂଶୁ ଶେଖର ପତିଙ୍କ ସହ ଆବାହକ ମଣ୍ଡଳୀ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଅଞ୍ଚଳ ମାନଙ୍କରେ କାର୍ଯ୍ୟ କରୁଥିବା ସଂଘ ମାନଙ୍କର ନେତୃମଣ୍ଡଳୀ ତଥା ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ଅଧିନରେ ତା ୧୨.୦୪.୧୯୯୩ ରିଖ ପରେ ଥିବା ବିଭିନ୍ନ ବିଭାଗ ଓ ସମସ୍ତ ଉଦ୍ୟୋଗ, ମହାନଗର ନିଗମ, ମ୍ୟୁନିସିପାଲ୍‌ଟି, ଏନ୍‌.ଏ.ସି, ବୋର୍ଡ଼, ବିଶ୍ୱବିଦ୍ୟାଳୟ, ମେଡ଼ିକାଲ ମାନଙ୍କରେ ନିଯୁକ୍ତି ପାଇ ସିଧାସଳଖ ଏହି ବିଭାଗ ବା ସଂସ୍ଥାମାନଙ୍କ ଠାରୁ ଦରମା / ମଜୁରୀ ନେଇ ଡି.ଏଲ୍‌.ଆର, ଆଇଡ଼େଣ୍ଟିଫାଏଡ଼ ଡି.ଏଲ୍‌.ଆର, ଏଚ୍‌.ଆର, କାଜୁଆଲ ଲେବର ନାମରେ ନାମିତ ହୋଇ ଅବିଚ୍ଛିନ୍ନ ଭାବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଥିବା ବିଭିନ୍ନ ବର୍ଗର ଅସ୍ଥାୟୀ କର୍ମଚାରୀ ମାନଙ୍କ ଏକମାତ୍ର ଦାବୀ “ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା” ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ତା ୧୨.୦୪.୧୯୯୩ ରିଖ ପରଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୯ ବର୍ଷରୁ ଉର୍ଦ୍ଧର୍ ସମୟ ଧରି କାର୍ଯ୍ୟ କରି ଆସୁଥିବା ବିଭିନ୍ନ ବର୍ଗର ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିନଥିବା ବେଳେ, ୨୦୧୩ ମସିହା ଠାରୁ ନିଯୁକ୍ତି ପାଇଥିବା ୫୭ ହଜାର କଣ୍ଟ୍ରାକ୍ଟକ୍‌ଚୁଆଲ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଛନ୍ତି । ଏହା ସରକାରଙ୍କର କର୍ମଚାରୀ ମାନଙ୍କ ପ୍ରତି ପାତର ଅନ୍ତର ନୀତି ଓ କର୍ମଚାରୀମାରଣ ନୀତିକୁ ଦର୍ଶାଉ ନାହିଁକି? ତା ୧୨.୦୪.୧୯୯୩ ରିଖ ପରେ ଥିବା ବିଭିନ୍ନ ବର୍ଗର କର୍ମଚାରୀମାନେ “ସମାନ କାମକୁ ସମାନ ଦରମା” ପାଇବା ତ ଦୂରର କଥା, ସ୍ଥାୟୀ ନହୋଇ ସରକାରଙ୍କ ପାଖରେ ବେଠି ଖଟି ଖଟି ଅବସର ନେବାକୁ ବାଧ୍ୟ ହେଉଛନ୍ତି । ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ଦାବୀକୁ ସାମୁହିକ ଭାବରେ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ ବର୍ଗର ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ “ଓଡ଼ିଶା ଅସ୍ଥାୟୀ କର୍ମଚାରୀ ମିଳିତ ମଞ୍ଚ” ନାମରେ ଗୋଟିଏ ମିଳିତ ମଞ୍ଚ ଅକ୍ଟୋବର ୨୨ ତାରିଖ ଦିନ ଗଠନ କରାଯାଇଥିଲା । ଏହି ମିଳିତ ମଞ୍ଚ ଗଠନ ଓ ଏହାର ଆଭିମୁଖ୍ୟ ସରକାରଙ୍କୁ ତା ୨୬.୧୦.୨୦୨୨ରିଖରେ ପତ୍ର ମାଧ୍ୟମରେ ସରକାରଙ୍କୁ ଅବଗତ କରାଯାଇଅଛି । ମିଳିତ ମଞ୍ଚ ପକ୍ଷରୁ ଆଉ ଏକ ଦାବୀ ଓ ସ୍ମାରକପତ୍ର ସରକାରଙ୍କୁ ଦିଆଯାଇ ଏକମାସ ମଧ୍ୟରେ ‘ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା’ ଦାବୀ ପୂରଣ କରିବା ପାଇଁ ଅନୁରୋଧ କରାଯିବ । ସରକାର ଯଦି ଏହା ଉପରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ଜାନୁୟାରୀ ମାସରେ ସାରା ରାଜ୍ୟର ଅସ୍ଥାୟୀ କର୍ମଚାରୀଙ୍କୁ ‘ରାଜଧାନୀ ଚାଲ’ ଡ଼ାକରା ଦିଆଯାଇ ଭୁବନେଶ୍ୱରରେ ଏକ ମହାସମାବେଶର ଆୟୋଜନ କରାଯିବ । ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଅସହଯୋଗ ମାଧ୍ୟମରେ ‘କାର୍ଯ୍ୟବନ୍ଦ’ ଭଳି ଚରମ ପଦକ୍ଷେପ ନିଆଯିବ । ଏହା ମଧ୍ୟରେ ମଞ୍ଚ ନେତୃମଣ୍ଡଳୀ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ତୋଫାନୀ ଗସ୍ତ କରି ବିଭିନ୍ନ ସଂଘ ଓ ଅସ୍ଥାୟୀ କର୍ମଚାରୀ ମାନଙ୍କର ବୈଠକ କରି ଅସ୍ଥାୟୀ କର୍ମଚାରୀମାନଙ୍କ ପ୍ରତି ହେଉଥିବା ଶୋଷଣ ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁଧାଂଶୁ ଶେଖର ପତି, ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁ, ବିଜୁ ଜନତା ଦଳର ଯୁବ ନେତୃତ୍ୱ ରବିନ୍ଦ୍ର ସାମଲ, ବିଭିନ୍ନ ସଂଗଠନମାନଙ୍କର ନେତୃତ୍ୱ ସର୍ବଶ୍ରୀ ସୁଦୀପ ନାରାୟଣ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ବିଦ୍ୟୁତ୍ ଭୂଷଣ କାନୁନଗୋ, ପ୍ରଦୀପ କୁମାର ରାଉତ, ସରୋଜ କୁମାର ମହାନ୍ତି, ଜାକିର ଖାନ, ପ୍ରମୋଦ ପଟ୍ଟନାୟକ, ଦୁଃଖିଶ୍ୟାମ ପଟ୍ଟନାୟକ, ରବୀନ୍ଦ୍ର କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ