ନିଯୁକ୍ତିର ୭ବର୍ଷ ପରେ ବି ସରୁନି ସିଆରସିସିଙ୍କ କାର୍ଯ୍ୟକାଳ : ପୁରୀ ଡିପିସିଙ୍କ ସିଆରସିସି ନିଯୁକ୍ତିରେ ତଞ୍ଚକତା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ସମଗ୍ର ଶିକ୍ଷା ପ୍ରକଳ୍ପରେ ଜଣେ ସାଧନ କେନ୍ଦ୍ର ସଂଯୋଜକ(ସିଆରସିସି)ଙ୍କ କାର୍ଯ୍ୟକାଳ ୫ବର୍ଷ ନିର୍ଦ୍ଧାରିତ ହୋଇଛି । କିନ୍ତୁ ସମଗ୍ର ଶିକ୍ଷାର ପୁରୀ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଅଧୀନରେ କାର୍ଯ୍ୟରତ ସିଆରସିସିଙ୍କ କାର୍ଯ୍ୟକାଳ ୭ବର୍ଷ ପରେ ବି ସରୁନାହିଁ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ ଲେବୁଲ-୫ ଶିକ୍ଷକ ସିଆରସିସି ଭାବେ ୫ବର୍ଷ ଡେପୁଟେସନ ଦାୟିତ୍ୱ ନିର୍ବାହ ପରେ ସଂପୃକ୍ତ ଦାୟିତ୍ୱରୁ ଇସ୍ତଫା ଦେବା କଥା । ଖାଲି ହେଉଥିବା ସିଆରସିସି ପଦବୀକୁ ନୂଆ ଦରଖାସ୍ତ ଆହ୍ୱାନପୂର୍ବକ ଭିଜନିଙ୍ଗ ଟେଷ୍ଟ ପ୍ରକ୍ରିୟାରେ ପୂରଣ କରାଯିବାର ନିୟମ ରହିଛି । ତେବେ ଶିକ୍ଷା ବିଭାଗର ପୁରୀ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସିଆରସିସି ନିଯୁକ୍ତି ପ୍ରକ୍ରିୟାରେ ତଞ୍ଚକତା ଯୋଗୁଁ ୭ବର୍ଷ ପରେ ବି ଗୋପ ବ୍ଲକର ୪ଟି କ୍ଲଷ୍ଟରରେ ପୁରୁଣା ସିଆରସିସି ଇସ୍ତଫା ନଦେଇ କାମ କରୁଛନ୍ତି । ୨୦୨୦ ମାର୍ଚ୍ଚରୁ ଗୋପ ବ୍ଲକର ବନ୍ତଳିଗ୍ରାମ, ଭଇରିପୁର, ସୁତନ ଓ ଛଇତନା କ୍ଲଷ୍ଟରର ସିଆସିସିଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । କୋଭିଡ ଆଳରେ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ବର୍ଷାଧିକ ସ୍ଥଗିତ ରଖିବା ପରେ ୨୦୨୧ ମସିହା ଅକ୍ଟୋବର ମାସରେ ଡିପିସିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚୟନ ପ୍ରକ୍ରିୟା ନିମନ୍ତେ ଦରଖାସ୍ତ ଗ୍ରହଣ ଓ ଭିଜନିଙ୍ଗ ଟେଷ୍ଟ ଆୟୋଜନରେ ଅହେତୁକ ବିଳମ୍ବ କରାଯାଇ ୧୪.୧୨.୨୦୨୧ତାରିଖରେ ଭିଜନିଙ୍ଗ ଟେଷ୍ଟ କରାଯିବା ପାଇଁ ଡିପିସିଙ୍କ ପତ୍ରସଂଖ୍ୟା- ୩୫୯୧,୩.୧୨.୨୧ରିଖରେ ଉଲ୍ଲେଖ କରାଯାଇଥିଲା । ତେବେ ଭିଜନିଙ୍ଗ ଟେଷ୍ଟର ଏହି ତାରିଖକୁ ପୁନଶ୍ଚ ସ୍ଥଗିତ ରଖାଯାଇ ୨୧.୧୨.୨୦୨୧କୁ ଘୁଞ୍ଚାଇ ଦିଆଗଲା । ଫଳରେ ଗୋପ ବ୍ଲକ ପାଇଁ ଆବେଦନ କରିଥିବା ୪ଜଣ ଶିକ୍ଷକଙ୍କ ମଧ୍ୟରୁ ନିରୁତ୍ସାହିତ ହୋଇ ଦୁଇଜଣ ଶିକ୍ଷକ ପରୀକ୍ଷା ଦେଇନଥିଲେ । ସିଆରସିସି ପଦବୀ ନିମନ୍ତେ ପରୀକ୍ଷା ଦେଇଥିବା ବନ୍ତଳିଗ୍ରାମ ପଞ୍ଚାୟତ ସ୍କୁଲ କ୍ଲଷ୍ଟର ଅନ୍ତର୍ଗତ ପାରଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହାଡିବନ୍ଧୁ ମଙ୍ଗରାଜ ଓ ଭଇରିପୁର ୟୁଜିୟୁପି କ୍ଲଷ୍ଟର ହେଡ୍ୱାର୍ଟରର ଶିକ୍ଷକ ବିଦ୍ୟାଧର ମିଶ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ନିୟମାନୁଯାୟୀ କାଉନସେଲିଂ ଜରିଆରେ ଏହି ଦୁଇ ନୂତନ ସିଆରସିସିଙ୍କୁ ସେମାନଙ୍କ ପସନ୍ଦ କ୍ଲଷ୍ଟରରେ ନିଯୁକ୍ତି ଦିଆଯିବା କଥା । କିନ୍ତୁ ନୂତନ ସିଆରସିସିଙ୍କୁ ସେମାନଙ୍କ ନିଜ କ୍ଲଷ୍ଟରରେ ସୁଯୋଗ ନଦେଇ ଉଦ୍ଦେଶ୍ୟମୂଳକଭାବେ ଦୂର କ୍ଳଷ୍ଟରକୁ ପେଲି ଦିଆଗଲା । ଏ ସଂପର୍କିତ ପୁରୀ ଡିପିସିଙ୍କ ପତ୍ରାଙ୍କ-୧୪୩/୧୧.୧.୨୨ରେ ବିଦ୍ୟାଧର ମିଶ୍ରଙ୍କୁ ଭଇରିପୁର କ୍ଲଷ୍ଟର ପରିବର୍ତ୍ତେ ନାଗପୁର କ୍ଲଷ୍ଟର ଏବଂ ହାଡିବନ୍ଧୁ ମଙ୍ଗରାଜଙ୍କୁ ବନ୍ତଳିଗ୍ରାମ କ୍ଳଷ୍ଟର ପରିବର୍ତ୍ତେ ଛଇତନାର ହରିଶ୍ଚନ୍ଦ୍ର ମେମୋରିଆଲ ନୋଡାଲ ହାଇସ୍କୁଲ କ୍ଲଷ୍ଟରରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଗଲା । ଭଇରିପୁର ଓ ବନ୍ତଳିଗ୍ରାମ କ୍ଲଷ୍ଟରରେ ୭ବର୍ଷଧରି କାମ କରି ଆସୁଥିବା ସିଆରସିସି ଜଗନ୍ନାଥ ମଲ୍ଲିକ ଓ ବିପିନି ବିହାରୀ ନାୟକଙ୍କୁ ଆହୁରି ଅଧିକ ବର୍ଷ ପର୍ଯ୍ୟନ୍ତ ସିଆରସିସି ପଦବୀରେ ରଖିବା ନିମନ୍ତେ ପୁରୀ ଡିପିସି ଓ ଗୋପ ବିଇଓଙ୍କ ଚକ୍ରାନ୍ତର ଶିକାର ହେଲେ ଦୁଇ ନୂତନ ସିଆରସିସି ବିଦ୍ୟାଧର ମିଶ୍ର ଓ ହାଡିବନ୍ଧୁ ମଙ୍ଗରାଜ । ଏହାର ପ୍ରତିବାଦ କରି ଦୁଇ ନୂତନ ସିଆରସିସି ସେମାନଙ୍କ କ୍ଲଷ୍ଟରରେ ପଦବୀ ଖାଲି ପଡିଥିବା ସ୍ଥଳେ ବାହାର କ୍ଲଷ୍ଟରରେ କାର୍ଯ୍ୟରେ ଯୋଗ ନଦେବାକୁ ଡିପିସିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଜାନୁଆରୀ ୧୧ତାରିଖରୁ ଏଯାବତ୍ ଦୁଇ ନୂତନ ସିଆରସିସି ବିଦ୍ୟାଧର ଓ ହାଡିବନ୍ଧୁ ସିଆରସିସି ଦାୟିତ୍ୱରେ ଯୋଗ ଦେଇପାରି ନାହାନ୍ତି । ଉଦ୍ଦେଶ୍ୟମୂଳକଭାବେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଇ ଡିପିସିଙ୍କ କାର୍ଯ୍ୟଳୟ ପକ୍ଷରୁ ଗୋପ ବିଇଓ ରମେଶଚନ୍ଦ୍ର ଦାଶଙ୍କୁ ନୂତନ ସିଆରସିସିଙ୍କ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ଆସିଥିବା ନିର୍ଦ୍ଦେନାମା (ପତ୍ରସଂଖ୍ୟା- ୮୦୯/୨୩.୩.୨୨) ର ଉତ୍ତର ଗୋପ ବିଇଓ(ପତ୍ରସଂଖ୍ୟା-୬୫୧/୩୧.୩.୨୨) ଦେଇସାରିଛନ୍ତି । ଗୋପ ବିଇଓ ତାଙ୍କ ପତ୍ରରେ ୭ବର୍ଷ ପୂରଣ କରିଥିବା ୪ଜଣ ସିଆରସିସିଙ୍କ ସମେତ ଲେବୁଲ-୪କୁ ଉନ୍ନୀତ ହୋଇ ବେଆଇନଭାବେ ସିଆରସିସି ଦାୟିତ୍ୱ ନିର୍ବାହ କରୁଥିବା ସିଂଘପାନିଆ ସିଆରସିସିଙ୍କୁ ଦାୟିତ୍ୱରୁ ବାହାର କରିବା ପାଇଁ ଉଲ୍ଲେଖ କରିଛନ୍ତି । ତେବେ ଗୋପ ବିଇଓଙ୍କ ପତ୍ର ପୁରୀ ଡିଇଓ ମମତା ମିଶ୍ରଙ୍କ ଫାଇଲ ତଳେ ପଡିରହିଛି । ସିଆରସିସି ନିଯୁକ୍ତି ପ୍ରକ୍ରିୟା ସଂପର୍କିତ ସରକାରଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ମନଇଚ୍ଛା କାର୍ଯ୍ୟଧାରା ଜାରି ରଖିଥିବା ଅଭିଯୋଗ ହୋଇଆସୁଛି । ସମଗ୍ର ଶିକ୍ଷାର ଚେୟାରମ୍ୟାନ ପୁରୀ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ସଚିବ ଓ ଗଣଶିକ୍ଷା ମନ୍ତ୍ରୀ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି ।


