ନିଯୁକ୍ତି ପ୍ରକ୍ରିୟା ୨୦୨୧ ରୁ ୨୦୨୩ ବର୍ଷ ନିମନ୍ତେ ବୟସସୀମା ୩୮କୁ ବୃଦ୍ଧି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରେ ଖାଲିଥିବା ପଦବୀ ପୁରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭିନ୍ନ ସରକାରୀ ପଦବୀ ନିମନ୍ତେ କମିଶନମାନଙ୍କ ମାଧ୍ୟମରେ ହେଉଥିବା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ, ଷ୍ଟାପ୍ ସିଲେକ୍ସନ୍ କମିଶନ, ସବ-ଅଡିନେଟ୍ ଷ୍ଟାପ୍ ସିଲେକ୍ସନ୍ କମିଶନ, ପୋଲିସ୍ ରିକ୍ରୁଟ୍ମେଣ୍ଟ ବୋର୍ଡ ଆଦିଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ପଦବୀମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି ସେସବୁର ଚୟନ ତାଲିକା ନିଯୁକ୍ତି ନିମନ୍ତେ ତୁରନ୍ତ ସଂପୃକ୍ତ ବିଭାଗମାନଙ୍କୁ ସୁପାରିଶ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ କୋଭିଡ୍-ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବୀ ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍ ଛାଡ କରିଛନ୍ତି । ୨୦୨୧, ୨୦୨୨ ଏବଂ ୨୦୨୩ ଏହି ତିନି ବର୍ଷ ପାଇଁ ସରକାରୀ ଚାକିରୀ ପ୍ରବେଶ ବୟସ ସୀମା ମଧ୍ୟ ୩୨ ରୁ ୩୮ କୁ ବୃଦ୍ଧି କରିଛନ୍ତି । ତଦନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସସୀମା କୋହଳ କରାଯାଇଛି । ୨୦୨୧-୨୨ ଏବଂ ଚଳିତ ୨୦୨୨-୨୩ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ମାଧ୍ୟମରେ ୨୮୪୮ ପଦବୀ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ମାଧ୍ୟମରେ ୨୫୫୫ ପଦବୀ ଏବଂ ସବ୍-ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ମାଧ୍ୟମରେ ୧୦୩୫୫ ପଦବୀ ପାଇଁ ପାର୍ଥି ଚୟନ କରାଯାଇଛି । ସେମାନଙ୍କୁ ମଧ୍ୟ ସରକାରୀ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି । ଏତଦ୍ବ୍ୟତୀତ ବର୍ତ୍ତମାନ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ୫୮୯୩ ଗ୍ରୁପ୍-ଏ ଓ ଗ୍ରୁପ୍-ବି (ଦରମା ସ୍ତର-୧୦ ରୁ ଅଧିକ ) ପଦବୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଷ୍ଟାପ୍ ସିଲେକ୍ସନ୍ କମିଶନ ୨୩୭୬ ଗୃପ୍-ବି(ଦରମାସ୍ତର-୯) ଏବଂ ଗୃପ୍-ସି ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏମାନେ ସମସ୍ତେ ଷ୍ଟେଟ୍ କ୍ୟାଡର୍ ଅନ୍ତର୍ଭୁକ୍ତ ହେବେ । ସେହିପରି ସବ୍-ଅଡିନେଟ୍ ଷ୍ଟାପ୍ ସିଲେକ୍ସନ୍ କମିଶନ ଜିଲ୍ଲା-କ୍ୟାଡର ଅନ୍ତର୍ଭୁକ୍ତ ଗୃପ୍-ବି ଏବଂ ଗୃପ୍-ସି ପଦବୀ ପାଇଁ ମଧ୍ୟ ବିଜ୍ଞାପନ, ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରଖିଛନ୍ତି । ଏହିସବୁ ପଦବୀରେ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ମୁଖ୍ୟତଃ ବେଶି ସଂଖ୍ୟାରେ ଜୁନିଅର ଇଞ୍ଜିନିୟର, ଷ୍ଟେନୋଗ୍ରାଫର, ଅବକାରୀ ଏସ୍.ଆଇ, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକ୍ ସାମାଜିକ ସୁରକ୍ଷା ଅଫିସର, ଅଡିଟର, ଆର. ଆଇ., ଅମିନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସିଂ ଅଫିସର, ପ୍ରାଣୀ-ଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ । ଏହାଛଡ଼ା ଓଡ଼ିଶା ସିଭିଲ୍ ସର୍ଭିସେସ୍ ଅନ୍ତର୍ଭୁକ୍ତ ବିଭିନ୍ନ ପଦବୀ, ମେଡିକାଲ୍ କଲେଜ୍ ପାଇଁ ଅତିରିକ୍ତ-ପ୍ରଫେସର, କୃଷି ଅଧିକାରୀ, ସ୍ନାତକତ୍ତୋର ଶିକ୍ଷକ, ଭୁତତ୍ତ୍ୱବିତ୍, ବିଭିନ୍ନ ସରକରୀ ମହାବିଦ୍ୟାଳୟ ନିମନ୍ତେ ଅତିରିକ୍ତ-ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ପୋଲିସ୍ ମହାନିର୍ଦ୍ଦେଶକ ସୁନିଲ୍ କୁମାର ବନ୍ଶାଲ୍, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ଶାସନ ସଚିବ ଓ ସବ୍ଅଡିନେଟ ଷ୍ଟାପ୍ ସିଲେକସନ୍ କମିଶନ ଅଧ୍ୟକ୍ଷ ଶାଶ୍ୱତ ମିଶ୍ର, ଷ୍ଟାପ୍ ସିଲେକସନ୍ କମିଶନ ଅଧ୍ୟକ୍ଷ ଅଭୟ, ପବ୍ଲିକ୍ ସର୍ଭିସ୍ କମିଶନ ସେକ୍ରେଟେରୀ ପ୍ରମୋଦ ମିଶ୍ରଙ୍କ ସମେତ ସଂପୃକ୍ତ କମିଶନମାନଙ୍କର ସେକ୍ରେଟେରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ