ନିରାଡମ୍ବର ଭାବେ ପାଳିତ ହେଲା ଓଡିଆ ନବବର୍ଷ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; କରୋନା ମହାମାରୀ ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଓଡିଆ ନବବର୍ଷ ପଣା ସଂକ୍ରାନ୍ତି ନିରାଡମ୍ବର ଭାବେ ପାଳିତ ହୋଇଛି । ପୂର୍ବରୁ ବିଭିନ୍ନ ଦେବାଦେବୀ ପୀଠରେ ଆଡମ୍ବରପୂର୍ଣ୍ଣ ଭାବେ ଉତ୍ସବର ଆୟୋଜନ ହେଉଥିବାବେଳେ ଗତବର୍ଷ ଓ ଚଳିତବର୍ଷ ପୀଠରେ ସେଭଳି ଉତ୍ସହ ଉଦ୍ଦିପନା ଆଉ ଦେଖିବାକୁ ମିଳୁନାହିଁ । ବ୍ଲକ ଅଧିନ ନେରଡା ନିକଟ ବୈତରଣୀ ପୀଠରେ ଅବସ୍ଥିତ ମା ସୁନାମୁହିଁଙ୍କ ପୀଠରେ ଉତ୍ସବ ପାଞ୍ଚ ସାତ ଦିନ ବଦଳରେ ମାତ୍ର ଆଜି ଗୋଟିଏ ଦିନ ପାଳିତ ହୋଇଛି । ସୁବର୍ଣ୍ଣମୁଖୀ ଚଡକ ଯାତ୍ରା କମିଟି ପକ୍ଷରୁ ଜଣେ ବ୍ରାହ୍ମଣ ଓ ଦୁଇଜଣ ଦେହୁରୀଙ୍କୁ ଆଜି ମାଆଙ୍କ ସେବାରେ ନିୟୋଜିତ କରାଯାଇ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ଜଣାଯାଇଛି । ନବବର୍ଷ ଓ ସଂକ୍ରାନ୍ତି ପରିପ୍ରେକ୍ଷୀରେ ପ୍ରତ୍ୟୁଷରୁ ପାରମ୍ପରିକଭାବେ ମାଆଙ୍କ ସ୍ନାନ ହୋଇସାରିବା ପରେ ଘଟପୂଜା, ସୁର୍ଯ୍ୟପୂଜା ଓ ଅନ୍ୟାନ୍ୟ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର କିଛି ଶ୍ରଦ୍ଧାଳୁ ଓ ମାନସିକଧାରୀ ପୀଠରେ ଉପସ୍ଥିତ ହୋଇ ମାଆଙ୍କୁ ବୈଦିକ ମତେ ପୂଜାର୍ଚ୍ଚନା କରିଥିଲେ । ଅନୁରୂପ ଭାବେ ବ୍ଲକର ତେସିଙ୍ଗା ପଞ୍ଚାୟତ କୁଲଣା ସ୍ଥିତ ମା ବାସୁଳାଇ ପୀଠ, ଥଇଳା ସ୍ଥିତ ବାବା ଦୁଖେଶ୍ୱର ପୀଠ, ବନ୍ଦାଳୋର ବାବା ଗତେଶ୍ୱର ପୀଠ, ଆଖୁଆପଦାର ହରପାର୍ବତୀ ପୀଠ, ନେଉଳିଆର ମାସିଦ୍ଧବାସୁଳୀ ପୀଠ, ପୁରସ୍ତମପୁରର ମା ବୁଢୀଜାଗୁଳାଇ ପୀଠ, ରାଢୋର ବିଶେଶ୍ୱର ପୀଠ, ଆକୁଲିକଣାର ବରଣେଶ୍ୱର ପୀଠ, ବାଙ୍କମୁହାଁର ମା ମଙ୍ଗଳା ପୀଠ, ରଣଜିତର ବଳଦେବଜୀଉ ପୀଠ ଠାରେ ନିରାଡମ୍ବର ଭାବେ ପଣା ସଂକ୍ରାନ୍ତି ପାଳନ ହୋଇଥିବାବେଳେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଅନୁରୂପ ଭାବେ ଆଜିର ଦିନରେ ନୂଆପୋଖରୀ, ବୋଧପଡା, ସରସଦା, ସହିଶଲାପୁର, ବୟାଁବନାପୁର, ଫତେପୁର , ମାଳଦା, ଜୋରାଗଡିଆ, ରାଜେନ୍ଦ୍ରପୁର, ଥଇଳା, ରାଢୋ, ରହଣିଆ, ଦେଉଳପଦୀ ପ୍ରମୁଖ ସ୍ଥାନରେ ଥିବା ମହାବୀରଙ୍କ ପୀଠରେ ହନୁମାନ ଜୟନ୍ତୀ ପାଳିତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ