ନିର୍ଦ୍ଧାରିତ ସମୟରେ ହୋଇପାରୁନି ଅଙ୍ଗନବାଡି ଗୃହ ନିର୍ମାଣ : ପ୍ରଶାସନ ନିରବଦ୍ରଷ୍ଟା
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ନିର୍ମାଣ ହେଉଥିବା ଅଙ୍ଗନବାଡି ଘର ଗୁଡିକ ସମ୍ପୁର୍ଣ୍ଣ ହେଉ ନଥିବାରୁ ଯୋଜନାର ସଠିକ ରୁପାୟନ ହୋଇପାରୁ ନଥିବା ଅଭିଯୋଗ ହେଉଛି । ହାଟଡିହି ବ୍ଲକରେ ଅନେକ ଅଙ୍ଗନବାଡି କେନ୍ଦ୍ରର ଗୃହ ନଥିବାରୁ କେଉଁଠି ସ୍କୁଲ ବାରଣ୍ଡା ତ ଆଉ କେଉଁଠି କ୍ଲବ ଘର ତ ଆଉ କେଉଁଠି କର୍ମୀଙ୍କ ଘରେ ଅଙ୍ଗନବାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ହାଟଡିହି ବ୍ଲକରେ ୨୦ରୁ ଉର୍ଦ୍ଧ ଅଙ୍ଗନବାଡି ଘର ନିର୍ମାଣ କରିବାକୁ ଅନୁଦାନ ଯୋଗାଇ ଦିଆଯାଇଥିଲା । ୨୦୧୭/୧୮ରେ ଏହି ଗୃହ ନିର୍ମାଣ ପାଇଁ ୭ଲକ୍ଷ ଲେଖାଏଁ ଓ ୨୦୨୦/୨୧ରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଅନେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ଘର ଆରମ୍ଭ ହୋଇ ନଥିବାବେଳେ ଆଉ କିଛି ସ୍ଥାନରେ ଅଧାପନ୍ତରିଆ ହୋଇ ପଡି ରହିଛି । ତେନ୍ତୁଲିପଦି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଠିକାଦାର ଘରର କାନ୍ଥ ଉଠାଇ ସାରିଥିବାବେଳେ ଛାତ ପକାଇ ନାହାନ୍ତି । ଫଳରେ ଅଧାପନ୍ତରିଆ ଭାବେ ପରିତ୍ୟକ୍ତ ହୋଇ ଘରଟି ପଡି ରହିଛି । ସେହିପରି ସୋସୋରେ ନିର୍ମାଣ କରାଯାଇଥିବା ଅଙ୍ଗନବାଡି ଘରଟି ସମ୍ପୁର୍ଣ୍ଣ ନହୋଇ ବର୍ଷବର୍ଷ ଧରି ଅଧାପନ୍ତରିଆ ଭାବେ ପଡି ରହିଛି । ସବୁ ପଞ୍ଚାୟତରେ ଏହିପରି ଘର ଗୁଡିକ ଅସମ୍ପୁର୍ଣ୍ଣ ହୋଇ ପଡିରହିଥିବାବେଳେ ବ୍ଲକ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି । ଏନେଇ ବ୍ଲକ ପକ୍ଷରୁ ଠିକାଦାରଙ୍କୁ ନୋଟିସ କରାଯିବା କିମ୍ବା ତାଙ୍କ ଉପରେ ଚାପ ପକାଇବା ପାଇଁ ବ୍ଲକ କର୍ତ୍ତୁପକ୍ଷ ନିଜର ଅସହାୟତା ପ୍ରକାଶ କରୁଛନ୍ତି । ଏନେଇ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଆଲୋଚନା କରାଯାଇ ଘର ଗୁଡିକ ସମ୍ପୁର୍ଣ୍ଣ କରାଗଲେ ସେଠାରେ ଅଙ୍ଗନବାଡି ଚାଲି ପାରନ୍ତା ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ବ୍ଲକ କର୍ତ୍ତୁପକ୍ଷ ନିରବଦ୍ରଷ୍ଟା ସାଜୁଥିବା ଦେଖିବାକୁ ମିଳୁଛି । କେନ୍ଦୁଝର ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।


