ନିର୍ବାଚନରେ ଟଙ୍କାର ସ୍ରୋତ

ଫେବୃୟାରୀ ୫ ତାରିଖରେ ଅନୁଷ୍ଠିତ ହେଉଥିବା କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ ପାଇଁ ରାଜନୈତିକ ଦଳଗୁଡିକ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୃତି ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଅନୁମେୟ ଯେ, ଜାତୀୟ ରାଜଧାନୀରେ ଏବେ ଟଙ୍କାର ବର୍ଷା ହେଉଛି । ଭୋଟଦାତାଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଟଙ୍କା ବଂଟନର ପ୍ରତିଯୋଗିତା ଚାଲିଛି ବୋଲି ନିସନ୍ଦେହରେ କୁହାଯାଇପାରିବ । କେବଳ ଏତିକି ନହେଁ, ମାଗଣା ଯୋଜନାର ପ୍ରତିଶ୍ରୃତି ମଧ୍ୟ ପଛରେ ପଡିନାହିଁ । ବିଜେପି ତା’ର ନିର୍ବାଚନ ଇସ୍ତାହାରରେ ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଗୋଟିଏ ଥର ୧୫ହଜାର ନଗଦ ଟଙ୍କା ସହ ଦୁଇଥର ପରୀକ୍ଷା ଲାଗି ଗସ୍ତ ଖର୍ଚ୍ଚ ଦେବା ପାଇଁ ଘୋଷଣା କରିଛି । ଆମ ଆଦମୀ ପାର୍ଟି(ଆପ୍‌) ଅଟୋବାଲା ପିଲାଙ୍କର ପ୍ରବେଶିକା (ଏଂଟ୍ରାନସ୍‌) ପରୀକ୍ଷା ପ୍ରସ୍ତୁତି ପାଇଁ ଟିଉସନ ଫିସ ଏବଂ ଝିଅର ବିବାହ ଲାଗି ୧ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେଇଛି । ସେହିପରି ମହିଳା ଭୋଟଦାତାଙ୍କୁ ଆକୃଷ୍ଟ କରିବା ଲାଗି ବିଜେପି ମାସିକ ୨୧୦୦ଟଙ୍କା ଭତା ଦେବା ଲାଗି ପ୍ରତିଶ୍ରୃତି ଦେଇଥିବା ବେଳେ ଆପ୍ ଓ କଂଗ୍ରେସ ମାସିକ ୨୫୦୦ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥୀମାନଙ୍କୁ ଆପ୍ ମାସିକ ୧୮ହଜାର ଲେଖାଏଁ ଦେବାକୁ ପ୍ରତିଶ୍ରୃତି ଦେଇଥିବାବେଳେ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜାତି (ଏସସି) ବର୍ଗର ଛାତ୍ରଛାତ୍ରୀମାନଙ୍କୁ ବିଜେପି ମାସିକ ୧ଲକ୍ଷ ଟଙ୍କା, ବରିଷ୍ଠ ନାଗରିକଙ୍କୁ ୨୫୦୦ଟଙ୍କା, ୭୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ୩୦୦୦ଟଙ୍କା ଭତା ଦେବାକୁ ପ୍ରତିଶ୍ରୃତି ଦେଇଛି । କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ବେକାର ଯୁବକ ଯୁବତୀଙ୍କ ବାର୍ଷିକ ୮୫୦୦ଟଙ୍କା ଷ୍ଟାଇପେଣ୍ଡ ଦେବାକୁ ଘୋଷଣା କରିଛି । ବିଜେପି ଆଉ ପାଦେ ଆଗେଇ ଯାଇ ଯଦି ନିର୍ବାଚନରେ ଆପକୁ କ୍ଷମତାଚ୍ୟୁତ କରି ସରକାର ଗଠନ କରେ ତେବେ ଗର୍ଭବତୀ ମହିଳାଙ୍କୁ ଗୋଟିଏ ଥରରେ ୨୧ହଜାର ଟଙ୍କା ଦେବାକୁ ଘୋଷଣା କରିଛି । ମହିଳା ଭୋଟ ଦାତାଙ୍କ ବ୍ୟତୀତ ଗର୍ଭବତୀ ମହିଳାଙ୍କୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାକୁ ନିର୍ବାଚନ ଇସ୍ତାହାରରେ ପ୍ରସ୍ତାବ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ଓ ୨୦୨୩ରେ ଜାତୀୟ ରାଜଧାନୀରେ ୩ଲକ୍ଷରୁ ଅଧିକ ଶିଶୁ ଜନ୍ମ ହୋଇଥିବାବେଳେ ଆସନ୍ତା ୫ବର୍ଷ ମଧ୍ୟରେ ୧୫ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଅନ୍ତଃସତ୍ୱା ହେବେ । ଏ ବାବଦରେ ରାଜକୋଷରୁ ମୋଟ ୩୧୫୦ କୋଟି ଟଙ୍କା ବ୍ୟୟ ହେବ । ଆମ ଦେଶରେ ଗର୍ଭବତୀ ମହିଳାଙ୍କୁ ଆର୍ଥୀକ ସହାୟତା ପ୍ରଦାନ ନୂଆ ନୁହେଁ । କେନ୍ଦ୍ରଠାରୁ ଆରମ୍ଭ କରିି ରାଜ୍ୟସ୍ତରରେ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଗର୍ଭବତୀ ମହିଳାଙ୍କ ଲାଗି ଗୋଟିଏ ଥରରେ ୨୧ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶ୍ରୃତି ପ୍ରଥମ ବୋଲି କୁହାଯାଇପାରେ । ଏହା ନିସନ୍ଦେହ ଯେ, ନିର୍ବାଚନରେ ରାଜନୈତିକ ଦଳମାନଙ୍କ ଆଦର୍ଶ, ନୀତି ଆଉ କାମ ଦେଉନାହିଁ କିମ୍ବା ଭୋଟଦାତା ନୀତି, ଆଦର୍ଶ ଉପରେ ଆସ୍ଥା ପ୍ରକଟ କରିପାରୁନାହାଁନ୍ତି । ତେଣୁ ନିର୍ବାଚନ ବୈତରଣୀ ପାର ହେବା ତଥା କ୍ଷମତା ଦଖଲ ପାଇଁ ଏବେ ଟଙ୍କା ପ୍ରଲୋଭନର ପନ୍ଥା ଆଦରି ନେଇଥିବା ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ । କରଦାତାଙ୍କ ଅର୍ଥରେ ସମୃଦ୍ଧ । ଦେଶର ରାଜକୋଷରୁ କ୍ଷମତା ପାଇଁ ଅର୍ଥ ପାଣି ପରି ଖର୍ଚ୍ଚ କରିବା ଏବେ ଏକ ପରମ୍ପରା ତଥା ନୀତି, ଆଦର୍ଶରେ ପରିଣତ ହୋଇଗଲାଣି । ଯାହାକି ଉଭୟ ଗଣତନ୍ତ୍ର ଓ ଅର୍ଥନୀତିକୁ ପ୍ରଭାବିତ କରୁଛି । ସେହିପରି ଟଙ୍କାର ପ୍ରଲୋଭନ ଏବେ ରାଜନୈତିକ ଦଳ ଏବଂ ନାଗରିକଙ୍କ ମଧ୍ୟରେ ସେତୁ ପରି କାର୍ଯ୍ୟ କରୁଛି ବୋଲି କୁହାଯାଇଛି । ଆମ ଦେଶରେ ଟଙ୍କା ଓ ମାଗଣା ଯୋଜନା ଭୋଟଦାତାମାନଙ୍କୁ ଏତେ ଆସକ୍ତି କରିଦେଇଛି ଯେ, ଏହି ମାନସିକତାରୁ ମୁକୁଳିବା ସମ୍ଭାବନା ଆଦୌ ନାହିଁ କହିଲେ ଚଳେ । ତେବେ ପ୍ରଶ୍ନ ଉଠୁଛି, କ୍ଷମତାସୀନ ହେବା ପରେ ପ୍ରତିଶ୍ରୃତି ପୁରଣ ପାଇଁ ଏତେ ଟଙ୍କା ଆସିବ କେଉଁଠୁ? ଏନେଇ ବୁଦ୍ଧିଜୀବୀ, ଅର୍ଥନୀତି ବିଶାରଦଙ୍କ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାପ୍ରକଟ କରିଥିବାବେଳେ ଏହାର ନିରାକରଣ ପାଇଁ କୌଣସି ଆଇନ ନାହିଁ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟଙ୍କା ବଂଟନ ଓ ମାଗଣା ଯୋଜନା ନେଇ ଅତୀତରେ ଗଭୀର ଉଦ୍‌ବେଗ ପ୍ରକାଶ କରି ରାଜନୈତିକ ଦଳମାନଙ୍କର ଏଭଳି ଆଭିମୁଖ୍ୟକୁ ‘ରେୱାଡି’ ବୋଲି ଅଭିହିତ କରିଥିବା ସତ୍ୱେ ବିଜେପି ଏବେ ଏହି ପଞ୍ଜୁରୀରେ ପଡିଯାଇଛି । ଯାହାକି ନିକଟ ଅତୀତରେ ଦେଶରେ ଅନୁଷ୍ଠିତ ନିର୍ବାଚନରୁ ଜଣାଯାଇଛି । ଦିଲ୍ଲୀ ନିର୍ବାଚନରେ ଟଙ୍କାର ସ୍ରୋତ ଏବେ ନିୟନ୍ତ୍ରଣ ବାହାରେ ବୋଲି କୁହାଯାଇପାରିବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ