ନିର୍ବାଚନୀ ଆର୍ଥିକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିପାରିବେ ଜନସାଧାରଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ ହୋଇଛନ୍ତି ଆଇଆର୍‌ଏଏସ୍ ଅଧିକାରୀ ସ୍ୱାତୀ ଚୁଲେଟ୍ । ସେହିପରି ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଭୁବନେଶ୍ୱରୀ ଏସ୍ ୯୭-କେନ୍ଦ୍ରାପଡ଼ା, ୯୮-ଆଳି ଓ ୯୯-ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ଦାୟିତ୍ୱ ତୁଲାଇବେ । ୯୬-ପାଟକୁରା ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ଆଇଏଏଏସ୍ ଅଧିକାରୀ ପଭେନ୍ଥନ୍ ଆରୁମୁଗମ୍ ଦାୟିତ୍ୱ ନିର୍ବାହ କରିବେ । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅନିୟମିତତା ନଜରକୁ ଆସିଲେ ଜନସାଧାରଣ ବା ପ୍ରାର୍ଥୀ ସିଧାସଳଖ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ନିକଟରେ ଅଭିଯୋଗ କରିପାରିବେ । ପର୍ଯ୍ୟବେକ୍ଷକମାନଙ୍କ ମୋବାଇଲ୍ ନମ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜାରି କରାଯାଇଛି । ସେହି ଅନୁଯାୟୀ ସ୍ୱାତୀ ଚୁଲେଟ୍‌-୭୨୦୫୫୨୪୫୯୩, ଭୁବନେଶ୍ୱରୀ ଏସ୍‌-୭୨୦୫୫୧୭୨୮୯, ପଭେନ୍ଥନ୍ ଆରୁମୁଗମ୍‌-୭୨୦୫୫୧୭୦୮୯ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇପାରିବ । ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ମୋବାଇଲ୍ ନମ୍ବରରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ନିର୍ବାଚନୀ ଆର୍ଥିକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିପାରିବେ । ଅଭିଯୋଗ ଆଧାରରେ ସେମାନେ ସମ୍ପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ ଅନିୟମିତତାର ଯାଂଚ କରିବେ । ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ଖର୍ଚ୍ଚ ପରିଚାଳନାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ନିୟମ ଆଧାରରେ ଖର୍ଚ୍ଚ ପରିଚାଳନା କରିବାକୁ ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକମାନେ ଗୁରୁତ୍ୱାରୋପ କରିଥିଲେ । ବର୍ତମାନ ଜିଲ୍ଲାରେ ୧୫ଟି ଫ୍ଲାଇଙ୍ଗ୍ ସର୍ଭେଲାନ୍ସ ଟିମ୍ (ଏଫ୍‌ଏସ୍‌ଟି) କାର୍ଯ୍ୟ କରୁଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଖର୍ଚ୍ଚ ପର୍ଯ୍ୟବେକ୍ଷକ । ଏସ୍‌ଏସ୍‌ଟି ଓ ଭିଏସ୍‌ଟି ବାରମ୍ବାର ଷ୍ଟ୍ରାଟେଜିକ୍ ଲୋକେସନ୍ ପରିବର୍ତ୍ତନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ଓ ଅନ୍‌ଲାଇନ୍ ଜରିଆରେ ଟଙ୍କା ନେଣଦେଣ ଉପରେ କଡ଼ା ନଜର ରଖିବାକୁ କହିଛନ୍ତି । ଇ-ସୁବିଧା କେନ୍ଦ୍ର, କଂଟ୍ରୋଲ୍ ରୁମ୍‌, ସି-ଭିଜିଲ୍ ଅଭିଯୋଗ କେନ୍ଦ୍ର, ଏକ୍ସପେଣ୍ଡିଚର୍ ମନିଟରିଂ ସେଲ,ଏମ୍‌ସିଏମ୍‌ସି ବୁଲି ସେମାନେ ଅନୁଧ୍ୟାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆତ୍ମସନ୍ତୋଷ ପ୍ରକାଶ କରିବା ସହ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ଟ୍ରେଜେରୀ ଅଫିସର ପ୍ରମୋଦ କୁମାର ରାଉତ, ସିଟିଜିଏସ୍‌ଟି କମିସନର ଅମରେନ୍ଦ୍ର ମାହାଲିକ୍‌, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଏଲ୍‌ଡିଏମ୍ ମନୋଜ ପ୍ରଧାନୀ, ଇନ୍‌କମ୍ ଟ୍ୟାକ୍ସ ଅଫିସର, ଅବକାରୀ ଅଧୀକ୍ଷକ, ଡିଆଇପିଆର୍‌ଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ