ନିର୍ବାଚନୀ ସଭା ଓ ରାଲିକୁ ନାହିଁ ଅଙ୍କୁଶ
ବାଲେଶ୍ୱର, (ସରୋଜ ପଣ୍ଡା) :-ମହାମାରୀ କରୋନା ପ୍ରତି ସତର୍କତା ଅବଲମ୍ବନ ସହ ଚଳିତ ପଞ୍ଚାୟତ ନିର୍ବାଚନ ଶେଷ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଷ୍ପତ୍ତି ନେଇଥିଲେ । ସେହିକ୍ରମରେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ନାମାଙ୍କନଠାରୁ ମତଦାନ ତଥା ଭୋଟ ଗଣତି ପର୍ଯ୍ୟନ୍ତ କୋଭିଡ କଟକଣା ଜାରି କରିଥିଲେ । ନାମାଙ୍କନ ସମୟରେ ଯେ କୌଣସି ବର୍ଗର ପ୍ରାର୍ଥୀ ଜଣେ ସମର୍ଥକଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ କରିବା, ଅତିବେଶୀରେ ୫ଜଣଙ୍କୁ ନେଇ ଡୋର କ୍ୟାମ୍ପେନିଂ, ନିର୍ବାଚନ ପ୍ରଚାର ସଭା, ର୍ୟାଲି ଆଦି ନ କରିବା ପାଇଁ ମାର୍ଗଦର୍ଶିକାରେ ନିର୍ବାଚନ ଆୟୁକ୍ତ ଉଲେଖ କରିଥିଲେ । ମାତ୍ର ବାଲେଶ୍ୱରରେ ଏହି ମାର୍ଗଦର୍ଶିକା ମୂଲ୍ୟହୀନ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି । ପ୍ରାୟ ସବୁ ଦଳ ପକ୍ଷରୁ ଏହି ନିୟମକୁ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । କେଉଁଠି ଦଳୀୟ ପତାକା ଧରି ଶତାଧିକ ଲୋକେ ର୍ୟାଲିରେ ଆସିଲେଣି ତ ପୁଣି କେଉଁ ପଞ୍ଚାୟତରେ ଦଳୀୟ ନେତାମାନେ କର୍ମୀ ଓ ସମର୍ଥକଙ୍କୁ ନେଇ ନିର୍ବାଚନୀ ସଭା କରୁଛନ୍ତି । ଅନ୍ୟପକ୍ଷରେ ଭୋଟରଙ୍କ ମଧ୍ୟରେ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ହାର ବୃଦ୍ଧି ଆଶରେ ଡୋର କ୍ୟାମ୍ପେନିଂ ବେଳେ ପ୍ରାର୍ଥୀମାନେ ୫୦ରୁ ଊର୍ଦ୍ଧ୍ୱ ସହଯୋଗୀଙ୍କୁ ନେଇ ଘର ଘର ବୁଲୁଥିବା ପରିଲକ୍ଷିତ ହୋଇଛି । ନିଜ ନିଜର ସୁରକ୍ଷା ପାଇଁ କୌଣସି ଦଳ ଏ ବାବଦରେ ଆପତ୍ତି ବି କରୁ ନାହାନ୍ତି । ବରଂ ସଚେତନ ବ୍ୟକ୍ତିମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ସହ ନିଜ ପରିବାର ଓ ସମ୍ପର୍କୀୟଙ୍କୁ ଭିଡ଼ ଜାଗାରୁ ଦୂରେଇ ରଖୁଛନ୍ତି । ତେବେ ଏ ସମ୍ପର୍କରେ ପ୍ରଶାସନ ତଥା ସରକାରୀ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।


