ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି ପାଳନ କରାଯିବ: ଜିଲ୍ଲାପାଳ
ପୁରୀ (ଯୁଗାବ୍ଦ ନ୍ୟୁଜ୍): ଗତ ରବିବାର ସନ୍ଧ୍ୟା ୫ଟାରୁ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି ଲାଗୁ କରିଛନ୍ତି । ତେଣୁ ଏହି ନିୟମକୁ ପୁରୀ ଜିଲ୍ଲାରେ କଡାକଡି ଭାବରେ ପାଳନ କରାଯିବ ବୋଲି ସୋମବାର ସର୍କିଟ୍ ହାଉସ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତକାଲି ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ତୁରନ୍ତ ସିଂହଦ୍ୱାରଠାରୁ ଆରମ୍ଭ କରି ବଡ଼ଦାଣ୍ଡ, ଭିଭିଆଇପି ରୋଡ ସମେତ ସହରର ସମସ୍ତ ଛକରେ ଲାଗିଥିବା ସବୁ ରାଜନୈତିକ ଦଳର ହୋଡିଂ ଓ ପୋଷ୍ଟରକୁ ଉଚ୍ଛେଦ କରାଯାଇଛି । ଏଥିସହ ଉକ୍ତ କାର୍ଯ୍ୟକ୍ରମ ଜାରି ରଖିବାପାଇଁ ପୌର ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ । ପୁରୀ ଜଲ୍ଲାରେ ପୁରୀ ଲୋକସଭା ଓ ୬ଟି ବିଧାନସଭା ପାଇଁ ନିର୍ବାଚନ ହେବାପାଇଁ ଏପ୍ରିଲ ୧୧,୧୮,୨୩ ଓ ୨୯ତାରିଖକୁ ଧାର୍ଯ୍ୟ କରାଯାଇଛି । ପୁରୀ ଲୋକସଭା ଅନ୍ତର୍ଗତ ପୁରୀ ସଦର, ସତ୍ୟବାଦୀ, ପିପିଲି ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପାଇଁ ୨୩ ତାରିଖ ଏବଂ ୨୯ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତବର୍ଷ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ପୁରୀ ସଦର, ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ମନୋନୟନ ପତ୍ର ଦାଖଲ ପ୍ରକିୟା ଏପ୍ରିଲ୍ ୪ରେ ଶେଷ ହେବ । ଏପ୍ରିଲ ୫ରେ ଯାଞ୍ଚ୍ ଓ ୮ତାରିଖରେ ପ୍ରତ୍ୟାହାର ଏବଂ ୨୩ ତାରିଖରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି କାକଟପୁର ଓ ନିମାପଡା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ୍ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ୯ ତାରିଖରେ ମନୋନୟନ ପତ୍ର ଦାଖଲ ଶେଷ ହେବ । ୧୦ରେ ଯାଞ୍ଚ ଓ ୧୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏବଂ ୨୯ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ । ମେ ୨୩ରେ ଭୋଟ୍ ଗଣତି କରାଯିବ । ପୁରୀ ଜିଲ୍ଲାରେ ଥିବା ୧୩ ଲକ୍ଷ ୫୪ ହଜାର ୨୫୫ ଭୋଟରଙ୍କ ମଧ୍ୟରୁ ୭ଲକ୍ଷ ୪ ହଜାର ୨୪୧ ପୁରୁଷ ଏବଂ ୬ ଲକ୍ଷ ୪୯ ହଜାର ୯୫୪ ମହିଳା ଭୋଟର ଅଛନ୍ତି । ଚଳିତବର୍ଷ ନିର୍ବାଚନରେ ୫୩ ହଜାର ୪୬୫ ଜଣ ନୂତନ ଭୋଟର ସାମିଲ ହୋଇଛନ୍ତି । ଅନ୍ୟପକ୍ଷରେ ନିର୍ବାଚନରେ ଦିବ୍ୟାଙ୍ଗ ଭୋଟରଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କ ଯେପରି ସୁବିଧାରେ ଭୋଟ୍ କେନ୍ଦ୍ରକୁ ଅଣାଯିବ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଭୋଟ ପ୍ରଦାନ କରିବାରେ ବ୍ୟବସ୍ଥା ହୋଇଛି । ଜିଲ୍ଲାରେ ୧୮ ହଜାର ୨୦୦ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରାଯାଇଛି । ଭୋଟ୍ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ୍ ସଂଯୋଗ, ଶୌାଚାଳୟ, ର୍ୟାମ୍ପ ଆଦି ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାରେ ୧୫୯୩ଟି ପୋଲିଂ ବୁଥ୍ରେ ନିର୍ବାଚନ ପାଇଁ ୧୩ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ୮୫ ଜଣ ମାଇକ୍ରୋ ଅବଜର୍ଭର୍, ୧୮୧ ସେକ୍ଟର ଅଫିସର,୧୭୦୦ ମହିଳା ପୋଲିଂ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ହେବେ । ନିର୍ବାଚନ ପାଇଁ ୪୩୦୧ଟି ଉଭିଏମ୍-ଭିଭିପ୍ୟାଟ୍ ବ୍ୟବହାର କରାଯିବ ବୋଲି ବୈଠକରେ ସୂଚନା ଦେଇଥିଲେ । ୧୬୩ଟି ପୋଲିଂ ଷ୍ଟେସନ୍ରେ ୱେବ୍ କାଷ୍ଟିଙ୍ଗ୍ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ୧୪୫ଟି ବୁଥ୍କୁ ଅତି ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ସୁମନ୍ତ କରଙ୍କ ସମେତ ଅନାନ୍ୟା ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।