ନିର୍ବାଚନ ବେଳେ କଡାକଡି ହେବ ମଦ ଓ ମାଦକ ଦ୍ରବ୍ୟ କାରବାର

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଓଡିଶାର ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ପୂର୍ବ ମେଦିନାପୁର ଓ ଝାଡଗ୍ରାମ ଜିଲ୍ଲାର ଅବକାରୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ବୈଠକ ଆହୂତ କରାଯାଇଥିଲା । ବୈଠକରେ ଉଭୟ ରାଜ୍ୟର ସୀମାବର୍ତୀ ଅଂଚଳର ନିଶା ଓ ମଦ ଚାଲାଣ ପ୍ରବଣ ସ୍ଥାନ ଗୁଡିକ ଚିହ୍ନଟ କରାଯାଇଥିଲା । ସେ ସବୁ ସ୍ଥାନରେ ଯୁଗ୍ମ ଭାବେ କାର୍ଯ୍ୟାନୁଷ୍ଠାନ କିପରି ଗ୍ରହଣ କରାଯାଇପାରିବ ସେ ନେଇ ବିଚାର ବିମର୍ଷ ତଥା ଯୋଜନା ପ୍ରସ୍ତୁତ କରାଯାଇଥିଲା । ପୂର୍ବରୁ ଅବକାରୀ ଧରପଗଡ ବେଳେ ସୀମା ପାର ହୋଇ ଅପରାଧୀ ତଥା ବେଆଇନ ନିଶା ଚାଲାଣକାରୀ ଆଇନ ଆଖିରୁ ଖସିଯାଇଥିଲେ । ତେବେ ଉଭୟ ରାଜ୍ୟର ଅଧିକାରୀମାନେ ବିଭିନ୍ନ ଅବକାରୀଜନିତ ଅପରାଧ ପ୍ରବଣ ଅଂଚଳ ଚିହ୍ନଟ ସହ ସେ ସବୁ ସ୍ଥାନ ଉପରେ କଡା ନଜର ରଖିବା ଏବଂ ଧରପଗଡକୁ କଡାକଡି କରିବାକୁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ନିର୍ବାଚନ ସମୟରେ କେବଳ ନୁହଁ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହେଲେ ଏବଂ ସମନ୍ୱୟ ବୃଦ୍ଧି ପାଇଲେ ଆଗକୁ ଅପରାଧ ହ୍ରାସ କରିବାରେ ଏହି ବୈଠକ ଯଥେଷ୍ଟ ଗୁରୁତ୍ୱ ବହନ କରି ପାରିବ ବୋଲି କହିଥିଲେ । ସେ ବିଭିନ୍ନ ସ୍ଥାନରେ ନିଶା କାରବାରକୁ ରୋକିବାକୁ ଚେକ ପୋଷ୍ଟ ନିର୍ମାଣ ଉପରେ ଜୋର୍ ଦେଇଥିଲେ । ଏଥି ସହିତ ଉଭୟ ରାଜ୍ୟର ଅଧିକାରୀମାନଙ୍କ ହ୍ୱାଟସ୍ଆପ ନମ୍ବରକୁ ନେଇ ଏକ ଗ୍ରୁପ ସୃଷ୍ଟି କରାଯାଇଛି ଯାହା ଭବିଷ୍ୟତରେ ସୂଚନା ଆଦାନ ପ୍ରଦାନରେ ସହଯୋଗ କରିବ । ତା ସହ କେତେ ଅଭ୍ୟାସଗତ ଅପରାଧୀଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନର ରାସ୍ତା ପ୍ରଶସ୍ତ ହୋଇପାରିବ ବୋଲି କହିଥିଲେ । ଏଣିକି ଏହି କାର୍ଯ୍ୟକୁ ସୁଦୃଢ କରିବାକୁ ଏକ ସ୍ୱତନ୍ତ୍ର ମ୍ୟାପ୍ ପ୍ରସ୍ତୁତ କରାଯିବା ସିଦ୍ଧାନ୍ତ ନିଆଯାଇଛି । ବୈଠକରେ ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ପଳତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ, ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା, ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପୁରୁଷୋତମ ଧରୁଆ, ଝାରଗ୍ରାମ ଅବକାରୀ ଅଧୀକ୍ଷକ ମିଲନ କୁମାର ବିଶ୍ୱାସ, ପଶ୍ଚିମ ମେଦିନାପୁର ଅବକାରୀ ଅଧୀକ୍ଷକ ଏକଲବ୍ୟ ଚକ୍ରବର୍ତୀ, ଅତିରିକ୍ତ ଅବକାରୀ ଅଧୀକ୍ଷକ ପୂର୍ବ ମେଦିନାପୁର ଅଲି ଇମ୍ରାନ, ଡେପୁଟି ଏକ୍ସାଇଜ କଲେକ୍ଟର ପଶ୍ଚିମ ମେଦିନାପୁର ଅଭିଶେଖ ରାୟ ଓ ଦିବେନ୍ଦୁ ବେରା ପ୍ରମୁଖ ଯୋଗ ଦେଇଥିବା ବେଳେ ତାଙ୍କର ଇନସପେକ୍ଟରମାନେ ସହଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ