ନିର୍ବାଚନ ଲଢିବେ ନାହିଁ ଦିଲୀପ ତିର୍କୀ!

ବିଜୁ ଜନତା ଦଳ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଛି ସପ୍ତାହକ ଆଗରୁ । ବୀରମିତ୍ରପୁର ଆସନ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କାହାରି ନାମ ଘୋଷଣା ହୋଇନାହିାଁ ଏହି ଆସନରେ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ନାମକୁ ଚୂଡାନ୍ତ କରାଯାଇଥିଲା। କିନ୍ତୁ ଦିଲୀପ ନିର୍ବାଚନ ଲଢିବା ପାଇଁ ରାଜି ହେଉ ନ ଥିବାରୁ ଦଳ ଅଡୁଆରେ ପଡ଼ିଛି। ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଆଉ ମାତ୍ର ସମୟ ବାକିଥିବା ବେଳେ ଶାସକ ଦଳ କାହାରି ନାମ ଘୋଷଣା ନ କରିବା ବୀରମିତ୍ରପୁରର ବିଜେଡି ନେତା ଓ କର୍ମୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଭାବେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଓ ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ନାମ ଘୋଷଣା ହୋଇଛି। ଏବେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଗତ ୧୮ ତାରିଖ ଦିନ ବିଜେଡିର ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ବୀରମିତ୍ରପୁର ନାମ ନ ଥିଲା। ଏହି ଆସନରେ ଟିକେଟ୍‌ ପାଇବା ପାଇଁ ଦଳ ପକ୍ଷରୁ ସ୍ଥାନୀୟ ୭ ଜଣ ନେତା ଆଶାୟୀ ଥିଲେ। କିନ୍ତୁ ଦଳ ପକ୍ଷରୁ ଦିଲୀପଙ୍କ ନାମ ପ୍ରସ୍ତାବ ଦିଆଯିବାରୁ ନିର୍ବାଚନମଣ୍ଡଳୀର ସମସ୍ତ ଆଶାୟୀ ବିରୋଧ କରିଥିଲେ। ତେଣୁ ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ବିଜେଡି ସୁପ୍ରିମୋ କାହାରି ନାମ କହି ନ ଥିଲେ। ତେବେ ଦିଲୀପଙ୍କୁ ବୀରମିତ୍ରପୁର ଯାଇ ପ୍ରାର୍ଥୀପତ୍ର ଦାଖଲ ପାଇଁ ଦଳୀୟ କର୍ମୀମାନଙ୍କୁ ଏକଜୁଟ୍ କରିବାକୁ ପରାମର୍ଶ ଦିଆଯାଇଥିଲା। ଦିଲୀପ ନିର୍ବାଚନ ମଣ୍ଡଳୀର ଆଗ ଧାଡ଼ିର ନେତାମାନଙ୍କ ସହିତ ଆଲୋଚନା କରି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଦିଲୀପ ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ତାଙ୍କ ସମର୍ଥକମାନେ ମଧ୍ୟ ପ୍ରଚାର କରିଥିଲେ। ତେବେ ତାଙ୍କ ପ୍ରାର୍ଥିତ୍ବକୁ ଭିତରୁ ବିରୋଧ ହେଉଥିବା ଅନୁଭବ କରି ଦିଲୀପ ନିଜେ ନିର୍ବାଚନରୁ ଓହରି ଯାଇଥିବା ଆଜି ପ୍ରଚାର ହୋଇଛି। ଏଭଳି ପ୍ରଚାରରେ କିଛିଟା ସତ୍ୟତା ଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଦିଲୀପଙ୍କ ବଦଳରେ ବୀରମିତ୍ରପୁରର ଜଣେ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ବିଚାର କରୁଛି। ପ୍ରାର୍ଥୀ ଚୟନ ଲାଗି ଆଜି ନବୀନ ନିବାସରେ ବୈଠକ ହୋଇଥିଲା। କିନ୍ତୁ କାହାରି ନାମ ଚୂଡାନ୍ତ ହୋଇନାହିଁ। ଦିଲୀପଙ୍କୁ ବାଦ୍ ଦେଲେ ବୀରମିତ୍ରପୁରର ପୂର୍ବତନ ବିଧାୟକ ନିହାର ସୁରିନ ବା ନୂଆଗାଁ ବ୍ଲକ୍‌ ଅଧ୍ୟକ୍ଷ ମକଲୁ ଏକ୍କା ଅଥବା କୁଆରମୁଣ୍ଡା ଲ୍ୟାମ୍ପ୍‌ସ ଏମ୍‌ଡି ରଣଜିତ ଲାକ୍ରାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ