ନିର୍ବାଚନ ଲାଗି ପୁଲିସ୍ର ଫ୍ଲାଗମାର୍ଚ୍ଚ
ଜଟଣୀ (ଜୁଗାବ୍ଦ ନ୍ୟୁଜ୍):ଜଟଣୀ ନିର୍ବାଚନ ମଣ୍ଡଳୀରେ ୨୩ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋର୍ଦାର୍ ପ୍ରଚାର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୁଲିସ୍ଙ୍କ ନିର୍ଦ୍ଦେଶ କ୍ରମେ ଜଟଣୀ ସହର ଓ ଆଖପାଖ ଅଞ୍ଚଳରେ ସ୍ପେଶାଲ୍ ପୁଲିସ୍ ଫୋର୍ସ ଓ ଜଟଣୀ ପୁଲିସ୍ର ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ତେଲେଙ୍ଗାନା ସ୍ପେଶାଲ୍ ପୁଲିସ୍ ଫୋର୍ସର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ତତ୍ତ୍ୱାବଧାନରେ ଏକ ପ୍ଲାଟୁନ ତେଲେଙ୍ଗାନା ପୁଲିସ୍ ଏବଂ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ର ଏସିପି ପିକେ ରାଉତଙ୍କ ସହିତ ଜଟଣୀ ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ଚାରି ପ୍ଲାଟୁନ ଫୋର୍ସ ସମେତ ଶନିବାର ପୂର୍ବାହ୍ନରେ କୁଦିଆରୀ ବଜାର, ରାଜାବଜାର, ସୀତାରାମ ଛକ, ମୁଣ୍ଡିଆ ସାହି, ଗଡ ନୂଆଗାଁ, ଗଜପତିନଗର, ହରିଭାଇନା ଛକରେ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ତରାବୋଇ, ତିରୁମଲ ଓ ବେଣାପଞ୍ଜୁରୀ ଆଦି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।