ନିର୍ବାଚନ ଲଢ଼ିବେନି କପିଲ ସିବଲ୍
ନୂଆଦିଲ୍ଲୀ(ଏଜେନ୍ସି): ଆମ୍ ଆଦ୍ମୀ ପାର୍ଟି ସହ ମେଣ୍ଟ କରିବା ନକରିବା ନେଇ ଚାଲିଥିବା କସରତ୍ ମଧ୍ୟରେ ସୋମବାର କଂଗ୍ରେସ ପକ୍ଷରୁ ଦିଲ୍ଲୀର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦିଲ୍ଲୀର ମୋଟ୍ ୭ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦକ୍ଷିଣ ଦିଲ୍ଲୀ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ । ୬ଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ମଙ୍ଗଳବାର ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ତେବେ ଦିନକ ପୂୂର୍ବରୁ କଂଗ୍ରେସ ଏଠାରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତର ପୂର୍ବ ଦିଲ୍ଲୀରୁ ଚଳିତ ଥର ନିର୍ବାଚନ ବେଶ ରୋମାଞ୍ଚକର ହେବାକୁ ଯାଉଛି । କାରଣ ଏଠାରୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ବନାମ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ହେବାକୁ ଯାଉଛି । ଏହାପୂର୍ବରୁ ଏହି ଆସନରେ ଆମ୍ ଆଦ୍ମୀ ପାର୍ଟିର ଦିଲୀପ ପାଣ୍ଡେ ବନାମ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଦେଖାଯାଉଥିଲା । ଯେଉଁଥିରେ ମନୋଜ ତିୱାରୀ ଭାରି ପଡୁଥିଲେ, ମାତ୍ର ଏବେ ତିନି ତିନି ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ରାଜ୍ୟ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଫଳରେ ଏହି ଆସନରେ ଏବେ ସିଧାସଳଖ ଲଢ଼େଇ କଂଗ୍ରେସ ଓ ବିଜେପି ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସେହିପରି ନୂଆଦିଲ୍ଲୀରୁ ଦିଲ୍ଲୀର ପୂର୍ବତନ ପିସିସି ସଭାପତି ଅଜୟ ମାକେନ୍ ପ୍ରାର୍ଥୀ ହୋଇଛନ୍ତି । ଚାନ୍ଦିନୀଚୌକ ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ସ୍ଥାନରେ ଜେ.ପି ଅଗ୍ରୱାଲ, ପୂର୍ବ ଦିଲ୍ଲୀରୁ ଅରବିନ୍ଦର ସିଂହ ଲଭ୍ଲି ପ୍ରାର୍ଥୀ ହୋଇଥିବା ବେଳେ ଉତ୍ତର ପଶ୍ଚିମ ଦିଲ୍ଲୀରୁ ରାଜେଶ ଲିଲୋଠିଆ ଏବଂ ପଶ୍ଚିମ ଦିଲ୍ଲୀରୁ ମହାବଲ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ଚାନ୍ଦିନୀଚୌକ୍ ଆସନରେ ଆମ ଆଦ୍ମି ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିଶଙ୍କୁ ଅବସ୍ଥା ଥିବାରୁ କପିଲ ସିବଲ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ପ୍ରକାଶ ଯେ, ବିଜେପି ଅଦ୍ୟାବଧି ଦିଲ୍ଲୀର ମୋଟ୍ ୭ ଲୋକସଭା ଆସନ ମଧ୍ୟରୁ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାକି ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି । ଅନ୍ୟପକ୍ଷେ ସପ୍ତାହେ ପୂର୍ବରୁ ଆମ ଆଦ୍ମି ପାର୍ଟି ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ୨ଠ୧୪ ସାଧାରଣ ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ବିଜୟୀ ହୋଇଥିଲା ।