ନିର୍ବାଚନ ଲଢ଼ିବେନି ଶରଦ ପାୱାର

ନୂଆଦିଲ୍ଲୀ(ଏଜେନ୍ସି): ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ସୁପ୍ରିମୋ ଶରଦ ପାୱାର ଚଳିତ ୧୭ତମ ସାଧାରଣ ନିର୍ବାଚନରେ ବ୍ୟକ୍ତିଗତ ଭାବେ ପ୍ରାର୍ଥୀ ହେବେ ନାହିଁ । ତାଙ୍କ ପରିବାରର ୨ ସଦସ୍ୟ ନିର୍ବାଚନ ଲଢ଼ୁଥିବାରୁ ସେ ଚଳିତ ନିର୍ବାଚନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରରେ କଂଗ୍ରେସ-ଏନ୍ସିପି ମେଣ୍ଟ ପୂର୍ବକ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସମସ୍ତ ପ୍ରାର୍ଥୀ ତାଲିକା ଏକପ୍ରକାର ପ୍ରସ୍ତୁତ ହୋଇସାରିଥିବା ବେଳେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ଏହି ସମୟରେ ଶରଦ ପାୱାର ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି କହିବା ପରେ ପୁଣିଥରେ ତାଙ୍କ ସ୍ଥାନରେ ପ୍ରାର୍ଥୀ ନିମନ୍ତେ ଆଲୋଚନା ପ୍ରକ୍ରିୟା ହେବ । ପ୍ରକାଶ ଯେ, ଶରଦ୍ ପାୱାର ୟୁପିଏ ନେତୃତ୍ୱାଧୀନ ମନମୋହନ ସିଂହ ସରକାରରେ କୃଷିମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଖବର ସରବରାହ ସଂସ୍ଥା ପିଟିଆଇକୁ ସେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଚଳିତ ନିର୍ବାଚନରେ ତାଙ୍କ ପରିବାରର ଦୁଇ ପୁଅ ନିର୍ବାଚନ ଲଢିବେ । ତେଣୁ ସେ ଏବେ ଏଥିରୁ ଓହରିବାକୁ ଉଚିତ୍ ମଣିଛନ୍ତି । ଏହି ୭୮ ବର୍ଷୀଆନ୍ ନେତା ଗତ ୧୪ଥର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଶରଦ ପାୱାର ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ ମାତ୍ର ଦଳ ପକ୍ଷରୁ ତାଙ୍କୁ ଅନୁରୋଧ କରାଯିବା ପରେ ସେ ନିର୍ବାଚନ ଲଢିବାକୁ ରାଜି ହୋଇଥିଲେ । ତେବେ ଆଜିର ଘୋଷଣା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ