ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣରେ ବିଫଳ ବିଜେପି ସରକାର :ଦେବି ମିଶ୍ର
ବାରିପଦା,(ମୁରାରୀ ମୋହନ ମହାପାତ୍ର):ନିର୍ବାଚନ ପରେ ପ୍ରଥମ କରି ବାରିପଦାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି. ବାରିପଦା ନଗର ବିଜୁ ଜନତା ଦଳ ପକ୍ଷରୁ ନଗରପାଳ ତଥା ସଭାପତି କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରହିତରେ ୧୦ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଅନୁଷ୍ଠିତ ଏହି ପଦଯାତ୍ରା ରେ ବିଜେଡି ସଂଯୋଜକ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଓ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ପଦଯାତ୍ରାରେ ସାମିଲ ହୋଇଛନ୍ତି. ଅପରାହ୍ନ ୪ଟାରେ ଜଗନ୍ନାଥ ମନ୍ଦିରରୁ ପଦଯାତ୍ରା ଆରମ୍ଭ ହୋଇ କୃଷ୍ଣଚନ୍ଦ୍ର ଗୋଲାଇ, ଟ୍ରାଫିକ ଛକ, ଲାଲ ବଜାର ହୋଇ ବିଜୁ ପଟ୍ଟନାୟକ ଗୋଲେଇ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ଭବନ ଠାରେ ଶେଷ ହୋଇଥିଲା. ବିଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ବାରିପଦାରେ ବିଜେଡି ଏହି ପଦଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ୨୮ଗୋଟି ୱାର୍ଡର ଜନସାଧାରଣ ଅଂଶଗ୍ରହଣ କରିଥିଲେ. ଜିଲ୍ଲାର ନେତୃ ମଣ୍ଡଳୀଙ୍କ ଅନୁରୋଧକ୍ରମେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ପଦଯାତ୍ରାରେ ଯୋଗ ଦେଇ ଥିବାରୁ ବିଜେଡି ନେତା କର୍ମୀ ମହଲରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା. ଏଥିପରେ ବିଜୁ ଭବନ ଠାରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପୌରହିତରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲା ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ. ଜନସେବା ଓ ସମର୍ପଣ ମନୋଭାବକୁ ଗୁରୁତ୍ବ ଦେବା ସହ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ବିଜେଡି ନେତା ମାନେ ବକ୍ତବ୍ୟ ରଖି ବିଜେପିର ମିଛ ପ୍ରତିଶୃତିର ପୋଲ ଖୋଲି ପଦଯାତ୍ରା ମାଧ୍ୟମରେ ଘରେ ଘରେ ପହଞ୍ଚାଇବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ. ଏବେବି ବିଜେଡି ରାଜ୍ୟର ଏକ ନମ୍ବର ଦଳ ହୋଇ ରହିଥିବା ବେଳେ, ଏବେବି ଓଡ଼ିଶାବାସୀଙ୍କ ହୃଦୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରହିଛନ୍ତି. ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିଫଳତା ଜନ ସାଧାରଣ ଜାଣି ସାରିଲେଣି. ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ମୁତାବକ ସମସ୍ତଙ୍କୁ ୩ହଜାର ଟଙ୍କା ଭତ୍ତା ପ୍ରଦାନ, ୨୦୦ୟୁନିଟ ମାଗଣା ବିଜୁଳି ପ୍ରଦାନ, ସୁଭଦ୍ରା ଯୋଜନାର ସର୍ତ୍ତ କୁ ଖିଲାପ କରିବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରି ଜନ କଲ୍ୟାଣ ଯୋଜନାକୁ ବନ୍ଦ କରିବା ପରି ହୀନ ଯୋଜନା କରିଛନ୍ତି ବୋଲି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଥିଲେ. ଉକ୍ତ ପଦଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ବିଜେଡି କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡା. ଦେବାଶିଷ ମାଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଗଣେଶ୍ୱର ପାତ୍ର, ଶ୍ରୀନାଥ ସୋରେନ, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଇସେନ ମୁର୍ମୁ, ପୂର୍ବତନ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଓଡିଶା ରାଣଜି ଟ୍ରଫି ଖେଳାଳି ଲଲାଟେନ୍ଦୁ ବେହେରା ଚକ୍ରଧର ହେମ୍ବ୍ରମ, ଓଡିଶା କୃଷି ଶିଳ୍ପ ନିଗମର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ମୁଖପାତ୍ର ପ୍ରିୟବ୍ରତ ମାଝୀ, ବିଜେଡି ସଂଯୋଜକ ସୁନୀଲ ଦାସ, ପ୍ରଭାତ ନାୟକ, ଉପ ନଗରପାଳ ସୀମା ଦାସ, ପ୍ରୀତିନନ୍ଦା କାନୁନଗୋ, ଜିଲ୍ଲା ମହିଳା ସଭାପତି ଦୀପ୍ତିଲତା ମିଶ୍ର, ଜିଲ୍ଲା ଛାତ୍ର ସଭାପତି ସୁନିଲ କୁମାର ନାୟକ, ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ଼, ସମସ୍ତ ବ୍ଲକ ଅଧ୍ୟକ୍ଷ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ୱାର୍ଡ କାଉନସିଲର, ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ମାନେ ସାମିଲ ହୋଇଥିଲେ. ତେବେ ଆଜି ବିଜେଡିର ପଦଯାତ୍ରା ମାଧ୍ୟମରେ ନିଜର ଦମ ଦେଖାଇ ଥିବାରୁ ବିଜେଡି ଆଗାମୀ ଦିନପାଇଁ କିଛି ସୁଚିନ୍ତିତ ଯୋଜନା କରୁଥିବାର ବୁଦ୍ଧିଜୀବୀ ତଥା ରାଜନୈତିକ ସମୀକ୍ଷକ ମହଲରେ ଚର୍ଚ୍ଚା ଜୋର ଧରିଛି.