ନିର୍ମାଣାଧିନ ନୂତନ ଡାକ୍ତରଖାନା କୋଠାରୁ ଖସିପଡି ପ୍ରବାସୀ ଶ୍ରମୀକଙ୍କ ମୃତ୍ୟୁ ଜିଲ୍ଲା ଶ୍ରମ ଅଧିକାରୀ ନିରବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଇଚ୍ଛାପୁର ଠାରେ ନିର୍ମାଣାଧିନ ‘ମାତୃ ଓ ଶିଶୁ ଡାକ୍ତରଖାନା’ର ବହୁତଳ ବିଶିଷ୍ଟ କୋଠାରୁ ଖସିପଡି ମୟୁରଭଞ୍ଜ ଜିଲ୍ଲାର ଉଜ୍ଜଳା ଥାନା ଅଞ୍ଚଳର ଜଣେ ପ୍ରବାସୀ ନିର୍ମାଣ ଶ୍ରମିକ(ରାଜମିସ୍ତ୍ରୀ) ଜିତୁରାଇ ବେଶ୍ରା(୪୧)ଙ୍କର ଗତ ୨୦୨୦ମସିହା ଜୁଲାଇମାସ ୧୮ ତାରିଖରେ ମୃତ୍ୟୁ ହୋଇ ଯାଇଛି । ମାତ୍ର ମୃତ୍ୟୁର ୩ ଦିନ ପୂର୍ବରୁ ଉଜ୍ଜଳାର ମଣିଷ ବେପାରୀ, ‘ରଘୁ’ ନାମକ ଜନୈକ ଦଲାଲ୍ ୩୫ ଜଣ ନିର୍ମାଣ ଶ୍ରମିକଙ୍କୁ ଆଣି ନିର୍ମାଣାଧିନ ଡାକ୍ତରଖାନାର ମୁଖ୍ୟ ଠିକାଦାରଙ୍କ ପାଖରେ ହାଜର କରାଇଥିଲା । କିନ୍ତୁ ମୃତ୍ୟୁ ଯେ ତାଙ୍କୁ ଅପେକ୍ଷା କରିଛି ସେକଥା ତାଙ୍କୁ ଜଣାନଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ବହୁବର୍ଷ ହେବ ସେହି ସ୍ୱାସ୍ଥ୍ୟ ବିଭାଗର କୋଠାକୁ ବମ୍ବେର ନରିମାନ ପଏଣ୍ଟରେ ଅବସ୍ଥିତ ଏକ ଠିକାଦାର ସଂସ୍ଥା(ଇଞ୍ଜିନିୟରିଂ ଇଣ୍ଡିଆ) ନିର୍ମାଣ କାର୍ଯ୍ୟର ଠିକା ନେଇ କାମ କରୁଛି । ଶ୍ରମ ଆଇନ ଅନୁସାରେ ଜିଲ୍ଲା ଶ୍ରମ ଅଧିକାରୀ ସଂପୃକ୍ତ ଠିକାସଂସ୍ଥାକୁ ଶ୍ରମିକ ଲାଇସେନ୍‌ସ ପ୍ରଦାନ କରିଥିବେ । ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଠିକା ଶ୍ରମିକ ସେହି ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ଶ୍ରମ ଆଇନ ଅନୁଯାଇ ଠିକାଦାର ପାଖରେ ମଷ୍ଟର ରୋଲ, ୱେଜ ରେଜିଷ୍ଟର, ଓଭରଟାଇମ୍ ରେଜିଷ୍ଟର ପ୍ରଭୃତି ରେକର୍ଡପତ୍ର ରହିଥିବା ସହିତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ସେସବୁ ରେକର୍ଡ ଦିଆଯାଇଥିବ । ନିରାପତ୍ତା ସମ୍ବଦ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ ଠିକାଦାରଙ୍କୁ ବାଧ୍ୟ କରିଥିବେ । ଏଥିପାଇଁ ମଧ୍ୟ ଶ୍ରମ ଶ୍ରମ ନିରୀକ୍ଷକ ନିୟମିତ ନିର୍ମାଣ ସ୍ଥଳ ପରିଦର୍ଶନ କରୁଥିବେ । କିନ୍ତୁ ମୃତ ଶ୍ରମିକଙ୍କର ମୁଣ୍ଡରେ ହେଲମେଟ କିମ୍ବା ଅଣ୍ଟାରେ ବେଲ୍ଟ ନଥିଲା । ତାହା ଥିଲେ ହତଭାଗ୍ୟ ଶ୍ରମିକଟି ବଂଚି ଯାଇଥାନ୍ତା । ମୃତ ଶ୍ରମିକର ଶବ ଉଦ୍ଧାର ଏବଂ ପୋଷ୍ଟମର୍ଟମ ମଧ୍ୟ କେନ୍ଦ୍ରାପଡା ସଦରଥାନା ପକ୍ଷରୁ କରାଯାଇଥିବ । କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟରେ ନିଜେ ପ୍ରଭାଗୀୟ ଅଧିକାରୀ, ଜିଲ୍ଲା ଶ୍ରମ ବିଭାଗ ଦାୟୀତ୍ୱରେ ଥିବାରୁ ତାଙ୍କର ଦାୟୀତ୍ୱକୁ ଏଡାଇ ଦିଆଯାଇ ପାରିବନାହିଁ । ସମ୍ପୁର୍ଣ୍ଣ ବେଆଇନ ଓ ନିରାପତ୍ତା ବିହୀନ ପଦକ୍ଷେପ ପାଇଁ ସଂପୃକ୍ତ ଠିକାସଂସ୍ଥା ଇଞ୍ଜିନିୟରିଂ ଇଣ୍ଡିଆର ମୁଖ୍ୟ ଅଧିକାରୀଙ୍କୁ ନୋଟିସ କରାଯାଇ ଶ୍ରମ ଆଇନ୍ ଅନୁସାରେ ଜୋରିମାନା ଓ ଏକବର୍ଷ ଜେଲ୍ ଦଣ୍ଡ ଦେବା ସହିତ ଉକ୍ତ ସଂସ୍ଥାକୁ କଳା ତାଲିକା ଭୁକ୍ତ କରାଯିବା ଆବଶ୍ୟକ । ଜୁଲାଇ ମାସରୁ ଅକ୍ଟୋବର ମାସ ଅଧା ହେଲେ ସୁଦ୍ଧା ମୃତ ଶ୍ରମିକର ପରିବାରକୁ ସହାୟତା ରାଶି ମିଳିପାରିନାହିଁ । ଏପରିକି କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟରୁ ମୃତ ଶ୍ରମିକର ଘର, ମୟୁରଭଞ୍ଜକୁ କୌଣସି ଖବର ପଠାଯାଉନାହିଁ । କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ ୧ ନମ୍ବର ଡିଭିଜନର ନିର୍ବାହୀ ଯନ୍ତ୍ରୀ ମୃତ ଶ୍ରମିକଙ୍କ ପରିବାରକୁ ପ୍ରିନ୍‌ସିପାଲ ଏମ୍ପେ୍ଲାୟର ହିସାବରେ ତୁରନ୍ତ ୨୫ ଲକ୍ଷ ଟଙ୍କା ଦେବା ପାଇଁ କେନ୍ଦ୍ରାପଡା ଜିଲ୍ଲା ସି.ଆଇ.ଟି.ୟୁ. ପକ୍ଷରୁ ଜଗତଜୀବନ ଦାଶ ଦାବି କରିଛନ୍ତିି । କେନ୍ଦ୍ରାପଡା ଜିଲ୍ଲାପାଳ କଣ ପାଇଁ ଚୁପ ଅଛନ୍ତି ତାହା ମଧ୍ୟ ଚିନ୍ତାର ବିଷୟ । ଅତିତରେ କେନ୍ଦ୍ରାପଡାରେ ସର୍କିଟ ହାଉସ ନିର୍ମାଣ ସମୟରେ କାର୍ଯ୍ୟସ୍ଥଳରେ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିଲେ ମଧ୍ୟ ପୁର୍ତ୍ତ ଡିଭିଜନ ତାଙ୍କୁ ଯେନତେନ ଭାବରେ ରଫାଦଫା କରିଦେଇଥିଲା । ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅସଲ ଠିକାଦାରଙ୍କୁ ନିରାପତ୍ତା ପାଇଁ ଉପଯୁକ୍ତ ପଦକ୍ଷେପ ନେଇନଥିବା ଓ ଶ୍ରମିକର ମୃତ୍ୟୁ ପାଇଁ ତାଙ୍କୁ ଗିରଫ କରାଯିବା ସହ ସଂସ୍ଥାକୁ କଳା ତାଲିକା ଭୁକ୍ତ କରାଯାଉ ଏବଂ ମୃତ ଶ୍ରମିକଙ୍କ ବେସାହାରା ପରିବାରକୁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ କରାଯିବାକୁଁ ସି.ଆଇ.ଟି.ୟୁ. ପକ୍ଷରୁ ଶ୍ରୀ ଦାଶ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ