ନିର୍ମାଣ ହେଲାନି ରାସ୍ତା : କିନ୍ତୁ ବାଲିଘାଟରୁ ବାଲିପରିବହନ ହେଲା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସମଣା ପଞ୍ଚାୟତ ଗିରିଗାଁ ଗ୍ରାମବାସୀଙ୍କ ପାଇଁ ଅଭିସାପ ପାଲଟିଛି ଗିରିଗାଁ ବାଲିଘାଟ । ଏହି ବାଲିଘାଟ ଯୋଗୁଁ ଗାଁକୁ ଯାଇଥିବା ଏକମାତ୍ର ରାସ୍ତାଟି ୫ବର୍ଷ ହେଲା ମରଣଯନ୍ତା ପାଲଟିଥିଲେବି ଆଜି ପର୍ଯ୍ୟନ୍ତ ଏହି ରାସ୍ତାଟି ନିର୍ମାଣ କରାଯାଇପାରିଲା ନାହିଁ । ଅଥଚ ପୁନର୍ବାର ଏହି ବାଲିଘାଟକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇ ବାଲି ପରିବହନ ଆରମ୍ଭ ହୋଇଛି । ଯାହାକୁନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଇଛି ଯେ ଗିରିଗାଁ ଗ୍ରାମରେ ୨ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଗାଁକୁ ଯିବା ଆସିବାପାଇଁ ଗୋଟିଏ ମାତ୍ର ରାସ୍ତା ଅଛି । ଯାହାକି ବାହାରିପୁର ଛକ ଠାରୁ ତେଲସିଙ୍ଗା ପର୍ଯ୍ୟନ୍ତ ଯାଇଛି । ଏହି ରାସ୍ତା ଉପର ଦେଇ ଗିରିଗାଁ ତେଲସିଙ୍ଗା ଆଦି ଗ୍ରାମର ତିନିହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ରାସ୍ତାଟି ଗତ ୬ବର୍ଷ ତଳେ ଗ୍ରାମ୍ୟ ଊଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ମାତ୍ର ହାଟଡିହି ତହସିଲ ପକ୍ଷରୁ ଗିରିଗାଁ ବାଲିଘାଟକୁ ୫ବର୍ଷୀୟା ନିଲାମ ଦେବାପରେ ଦିନରାତି ବାଲି ପରିବହନ କରାଯିବା ଯୋଗୁଁ ରାସ୍ତାଟି ଗୋଟିଏ ବର୍ଷ ଭିତରେ ପୁର୍ବ ଅବସ୍ଥାକୁ ଫେରିଆସିଥିଲା । ଏପରିକି ପିଚୁ ରାସ୍ତାର ଚିହ୍ନବର୍ଣ୍ଣ ମଧ୍ୟ ରହିଲାନି । କେଉଁଠି ଫୁଟେ ତ ଆଉ କେଉଁଠି ଦୁଇ ରୁ ତିନିଫୁଟ ପର୍ଯ୍ୟନ୍ତ ଖାଲଖମାରେ ରାସ୍ତାଟି ଭରିଯାଇଥିଲା । ବାଲିଘାଟ ନେଇଥିବା ଲିଜଧାରୀ ତାଙ୍କର ବାଲିବୋଝେଇ ଗାଡି ଯାତାୟତରେ ଅସୁବିଧା ହେବାରୁ ସେ ରାସ୍ତାଟିକୁ ମେଣ୍ଟଲ ଓ ବାଲିଦ୍ୱାରା ପୋତି ବାଲି ପରିବହନର ବ୍ୟବସ୍ଥା କରାଇଲେ । କିନ୍ତୁ ଗାଁ ଲୋକଙ୍କ ଅବସ୍ଥା କେହି ବୁଝିଲେନି । ଗାଁ ମୁଣ୍ଡରେ ଥିବା ହାଇସ୍କୁଲକୁ ଯିବା ଆସିବା ପାଇଁ ଛାତ୍ରଛାତ୍ରୀ ମାନେ ଭୋଗୁଥିବା ଅବସ୍ଥା କହିଲେ ନସରେ । ଅନେକ ସମୟରେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ମାନେ ଦୁର୍ଘଟଣାର ଶୀକାର ମଧ୍ୟ ହେଉଛନ୍ତି । ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଟିଏ ଯିବାକୁ ମଧ୍ୟ ରାଜି ହେଉ ନାହିଁ । ଏନେଇ ଗାଁ ଲୋକମାନେ ବହୁବାର ଆନେ୍ଦାଳନ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରିଲେ ନାହିଁ । ଇତିମଧ୍ୟରେ ପ୍ରଥମ ବାଲିଘାଟର ପାଞ୍ଚବର୍ଷୀୟା ନିଲାମ ଅବଧି ସମ୍ପୁର୍ଣ୍ଣ ହେବାପରେ ବର୍ଷେରୁ ଉର୍ଦ୍ଧ ସମୟ ବାଲିଉଠାଣ ବନ୍ଦ ରହିଲା । ଏହି ସମୟ ଭିତରେ ରାସ୍ତାକାମ ଶେଷ କରାଯିବାର ଆଶା କରାଯାଇଥିଲା । କିନ୍ତୁ ରାସ୍ତାକାମ କରୁଥିବା ଠିକାଦାର ତେଲସିଙ୍ଗା ପଟୁ ପ୍ରଥମେ ରାସ୍ତା ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ । ବାହାରିପୁର ଠାରୁ ଗିରିଗାଁ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିଲାନି । ସେପଟେ ତହସିଲ ପକ୍ଷରୁ ପୁନର୍ବାର ଏହି ଘାଟକୁ ନିଲାମ ଦିଆଯାଇ ଚାରିଦିନ ହେଲା ବାଲି ଉଠାଣ ଆରମ୍ଭ କରାଯାଇଛି । ଫଳରେ ଶହଶହ ବାଲି ଗାଡି ଯାତାୟତ ଦ୍ୱାରା କିପରି ରାସ୍ତା କାମ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଏହି ମାଟି ରାସ୍ତାରେ ବାଲି ପରିବହନ ଦ୍ୱାରା ବାଲିଗାଡିର ଧୁଳି ଧୂଆଁରେ ଗାଁ ଲୋକେ ଅତିଷ୍ଠ ହୋଇଯିବା ସହ ରାସ୍ତା କଡରେ ଥିବା ସ୍କୁଲ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରିବେ । ଏଣୁ ପ୍ରଶାସନ ପ୍ରଥମେ ବାହାରିପୁର- ଗିରିଗାଁ ରାସ୍ତା ନିର୍ମାଣ ସରିିବା ଉପରେ ଗୁରୁତ୍ୱ ଦେଉ ଓ ପରେ ବାଲି ପରିବହନ କରାଯାଉ ଗ୍ରାମବାସୀମାନେ ଦାବିି କରିଛନ୍ତି ।
।