ନିଲାମଧାରୀ ମୀନା ବଜାର ମାଧ୍ୟମରେ ଲୋକଙ୍କୁ ମନଇଚ୍ଛା ଲୁଟୁଥିବା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରଥଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଇଛି । ଆଜି ପବିତ୍ର ବାହୁଡା ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ସମୟରେ ହେଉଥିବା ଭିଡକୁ ଦେଖି ଏଠାରେ ବିଭିନ୍ନ ଦୋକାନ ବଜର ଖୋଲିବା ସହ ମୀନା ବଜାର ମଧ୍ୟ ପଡିଥାଏ । ପାରଳାଖେମୁଣ୍ଡି ରଥଯାତ୍ରା କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟେଣ୍ଡର କରାଯାଇଛି । ୨୨ ଲକ୍ଷରୁ ଅଧିକ ଟଙ୍କାରେ ଗୁଣ୍ଡିଚା ପଡିଆର ନିଲାମ ନେଇଛନ୍ତି ନିଲାମଧାରୀ। ତେବେ ଚଳିତ ବର୍ଷ ପ୍ରଶାସନର ସବୁ ନିୟମକୁ ବେଖାତିର କରି ନିଲାମଧାରୀ ମୀନା ବଜାର ମାଧ୍ୟମରେ ଲୋକଙ୍କୁ ମନଇଚ୍ଛା ଲୁଟୁଥିବା ଅଭିଯୋଗ ହୋଇଛି । ସେପଟେ ରଥଯାତ୍ରା କମିଟିର ସମ୍ପାଦକ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି । ପାରଳାଖେମୁଣ୍ଡି ଗୁଣ୍ଡିଚା ପଡିଆର ନିଲାମ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ଦରଖାସ୍ତ ଆହ୍ବାନ ସମୟରେ ରାମଦୋଳି, ମୌତକା କୁଆଁ, ଡ୍ରଗାନ୍, ବ୍ରେକ୍ ଡ୍ୟାନ୍ସ, ମ୍ୟାଜିକ୍ ସୋ ଆଦି ଲଗାଇବା ପାଇଁ ଅନୁମତି ରହିଥିଲା । ଏହି ସମସ୍ତ ଖେଳରେ ବଡମାନଙ୍କ ପାଇଁ ୫୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ୨୦ ଟଙ୍କା ଲେଖାଏଁ ମୂଲ୍ୟ ନେବାକୁ ଏଥିରେ ଉଲ୍ଲେଖ ରହିଥିଲା । ଏନେଇ ସୂଚନା ଫଳକ ମଧ୍ୟ ଲଗାଯାଇଥିଲା । ହେଲେ ଏସବୁକୁ ନିଲାମଧାରୀ ଖୋଲାଖୋଲି ଉଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ପାରଳାରେ ପୂର୍ଣ୍ଣିମା ପର୍ଯ୍ୟନ୍ତ ରଥ ଯାତ୍ରା ହୋଇଥାଏ ଏବଂ ଏପରି ଭିଡ ମଧ୍ୟ ଜମିଥାଏ । ଲୋକେ ଠାକୁରଙ୍କ ଦର୍ଶନ କରିବା ସହ ସେଠାରେ ଲାଗିଥିବା ମୀନା ବଜାରର ମଜା ଉଠାଇବା ପାଇଁ ଲୋକଙ୍କ ଭିଡ ଜମିଥାଏ ।