ନିଳୋକ ପଞ୍ଚାୟତରେ ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ଦେଲା ମହିଳା ଗୋଷ୍ଠୀ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ଯୋଗୁ ଦିନମଜୁରିଆ ଓ ଶ୍ରମିକ ମାନଙ୍କ ଦୁଃଖ ବଢିଯାଇଛି । ଦୈନନ୍ଦିନ କାମ କରି ଯାହା ପଇସା ଉପାର୍ଜ୍ଜନ କରୁଥିଲେ ସେଥିରେ ନିଜେ ଓ ନିଜ ପରିବାର ଚଳୁଥିଲା । ଏବେ କାମ ବନ୍ଦ ହୋଇଯିବା ଫଳରେ ଗୋଟିଏ ସ୍ଥାନରେ ବସି ଭୋକ ଉପାସରେ ଦିନ କାଟିବା କେବଳ ସାର ହୋଇଛି । ଏପରିପେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅସହାୟ ଓ ଦିନମଜୁରିଆ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ବନ୍ତ ବ୍ଲକ ମିଶନ୍ ଶକ୍ତି ପକ୍ଷରୁ ନିଳୋକସ୍ଥିତ ମା’ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପାସରେ ରହୁଥିବା ଶ୍ରମିକ ମାନଙ୍କ ମୁହଁରେ ଖାଦ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି । ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅଶୋକ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ମହିଳା ଗୋଷ୍ଠୀର ସଦସ୍ୟା ମାନେ ୫୦ ଜଣ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦେଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ଓ ଅନ୍ୟ ଜିଲାରୁ ଆସି ଉକ୍ତ ପଞ୍ଚାୟତରେ ରହି କାମଧନ୍ଦା କରି ପେଟ ପୋଷୁଥିବା ଶ୍ରମିକ ମାନଙ୍କୁ ଏହି ଖାଦ୍ୟ ପ୍ରଦାନ କରାଯାଇଛି ।


