ନିଳୋକ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ମଂଗଳବାର ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ମହାନ୍ତି ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ ଓ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ଅଶୋକ କୁମାର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସେନାପତି, ମନମୋହନ ଆଚାର୍ଯ୍ୟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରାକର ବେହେରା, ଅତିଥି ଶିକ୍ଷକ ପର୍ଶୁରାମ ନାୟକ, ସମାଜସେବୀ ହରି ନାରାୟଣ ମହାନ୍ତି ଯୋଗ ଦେଇ ଶାରୀରିକ କ୍ରୀଡା ଦ୍ୱାରା ଧୈର୍ଯ୍ୟ, ସାହସ ଓ ଶୃଂଖଳାଶକ୍ତି ବୃଦ୍ଧି ପାଇଥାଏ ବୋଲି କହିଥିଲେ । ଶିକ୍ଷକ ସୁଧାକର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନାତନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୯ମ ଓ ୧୦ ଶ୍ରେଣୀର ୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କିପିଂ, ଲମ୍ବଡିଆଁ, ଉଚ୍ଚ ଡିଆଁ, ସଟ୍ଫୁଟ୍ ଥ୍ରୋ, ମ୍ୟୁଜିକ୍ ଚେୟାର, ଗଣିତ ଦୌଡ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ କ୍ରୀଡା ଶିକ୍ଷୟିତ୍ରୀ ଚିତ୍ରାବତୀ ବେହେରା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସ୍ୱୟଂପ୍ରଭା ନାୟକ, ରବି ନାରାୟଣ ଖିଲାର, ଧରଣୀଧର ରାଉତ ସହାୟତା କରିଥିଲେ । ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ ।