ନିଶାଗ୍ରସ୍ତଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ): ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଫୋକସ୍ ମନିଟରିଂ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରତ୍ୟେକ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ଶୈକ୍ଷିକ ବାତାବରଣ ଉପରେ ନିୟମିତ ତଦାରଖ କରାଯିବ । ବିଦ୍ୟାଳୟକୁ ଯେଉଁ ଶିକ୍ଷକ ମଦ୍ୟପାନ, ଗୁଟଖା, ପାନ ଏବଂ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରି ଆସୁଥିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଉକ୍ତ ଶିକ୍ଷକକୁ ପୁଲିସ ହାତରେ ବନ୍ଧା ଯିବ ବୋଲି ଜିଲ୍ଲାପାଳ କଡା ଚରମବାଣୀ ଶୁଣାଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକର ୪୭ ବିଦ୍ୟାଳୟ ଗୁଡିକରେ ଜଣେ ଲେଖାଁଏ ଶିକ୍ଷକ ଅଛନ୍ତି । ଉକ୍ତ ବିଦ୍ୟାଳୟ ଗୁଡିକରେ ଆଉ ଜଣେ ଲେଖାଁଏ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ । ଏହି ପ୍ରକ୍ରିୟାକୁ ଆସନ୍ତା ୧୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ଉପଲବ୍ଧ ରହିବ । ଜିଲ୍ଲାରେ ବର୍ତ୍ତମାନ ସ୍ଥିତିରେ ୬୯ ପ୍ରତିଶତ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ରହିଥିବା ବେଳେ ବାକି ୩୧ ପ୍ରତିଶତ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ନାହିଁ । ବିଜୁଳି ନଥିବା ବିଦ୍ୟାଳୟ ଗୁଡିକରେ ତୁରନ୍ତ ବିଜୁଳି ବ୍ୟବସ୍ଥା କରାଯିବ । ଏଥିପାଇଁ ସଂପୃକ୍ତ ବ୍ଲକର ବିଇଓମାନେ ସାଉଥ୍ କୋ ବିଭାଗର ଦୃଷ୍ଟି ଆକର୍ଷଣ କରି ଏହା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଜିଲ୍ଲାର ପ୍ରାୟ ୮ ଶହ ଶିକ୍ଷକଙ୍କ ରେଗୁଲାର ଶିକ୍ଷକ ହେବ । ସେଥିରୁ ବିଜ୍ଞାନ, ଗଣିତ, ଇଂରାଜୀ ଶିକ୍ଷକମାନଙ୍କୁ ଖାଲି ପଡିଥିବା ବିଦ୍ୟାଳୟ ଗୁଡିକରେ ଥଇଥାନା କରାଯିବ । ଗୁଣାତ୍ମକର ବିକାଶ ଓ ଶୈକ୍ଷିକ ବାତାବରଣ ତଥା ‘ସାଥ୍’ କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରେ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ସ୍ଥାନ ପାଇଛି । ସେହିପରି ଏଭଳି ବାତାବରଣରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ପ୍ରଥମ, ରଙ୍ଗେଇଲୁଣ୍ଡା ଦ୍ୱିତୀୟ ଏବଂ ଧରାକୋଟ ବ୍ଲକ ତୃତୀୟ ସ୍ଥାନରେ ରହିଛନ୍ତି । ସବୁଜ ସଙ୍କେତରେ ପୋଲସରା, କୁକୁଡାଖଣ୍ଡି, ଛତ୍ରପୁର, ପୁରୁଷୋତ୍ତମପୁର, ଶେରଗଡ ବ୍ଲକ ରହିଥିବା ବେଳେ ହଳଦିଆ ସଙ୍କେତରେ ବୁଗୁଡା, ପାତ୍ରପୁର, ଭଂଜନଗର, ଦିଗପହଣ୍ଡି, ଚିକିଟି, ଖଲ୍ଲିକୋଟ, କବିସୂର୍ଯ୍ୟନଗର ଓ ଗଞ୍ଜାମ ସ୍ଥାନ ପାଇଛି । ସେହିପରି ନିମ୍ନ ସ୍ତରରେ ତଥା ଲାଲ ଜୋନ୍ରେ ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ସାନଖେମୁଣ୍ଡି, ବେଗୁନିଆପଡା, ସୋରଡା ଓ ଆସିକା ବ୍ଲକ ରହିଛି । ଯେଉଁ ବ୍ଲକ ଗୁଡିକରେ ଉତ୍ତମ କାର୍ଯ୍ୟକଳାପ ନାହିଁ ସେହି ବ୍ଲକ ଆଗାମୀ ଦିନରେ ଉନ୍ନତ ପ୍ରଦର୍ଶନ ଆଣିବା ପାଇଁ ପ୍ରୟାସ ରଖନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । ପିଲାଟିଏ- ଗଛଟିଏ କାର୍ଯ୍ୟକ୍ରମ ରେ ବାକି ରହିଥିବା ବିଦ୍ୟାଳୟ ଗୁଡିକ ଏହି କାର୍ଯ୍ୟକ୍ରମକୁ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ପ୍ରୋଗ୍ରାମ ସଂଯୋଜକ ପ୍ରଦୀପ କୁମାର ଖଟେଇ, ରଙ୍ଗେଇଲୁଣ୍ଡା ବିଡିଓ ପ୍ରଭାତି ମହାପାତ୍ର, ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ସମେତ ସମସ୍ତ ବିଡିଓମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ