ନିଶାଶକ୍ତ ଶିକ୍ଷକଙ୍କୁ ଶ୍ରେଣୀଗୃହ ଭିତରକୁ ପୁରାଇ ଦେଲେନି ଗ୍ରାମବାସୀ

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ନୁଆରଗୁଡି ୟୁପିଏମଇ ସ୍କୁଲରେ ଗତକାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ଜଣେ ଶିକ୍ଷକ ପ୍ରଚୁର ମଦ୍ୟପାନ କରି ପାଠ ପଢ଼ାଇବା ପାଇଁ ଆସିଥିବାବେଳେ ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀମାନେ ତାଙ୍କୁ ଶ୍ରେଣୀଗୃହ ଭିତରକୁ ପୁରାଇ ଦେଇ ନଥିଲେ । ଯାହାକୁନଇ ସ୍କୁଲରେ ଦୀର୍ଘ ସମୟଧରି ଉତ୍ତେଜନା ଲାଗିରହିଥିବାବେଳେ ଏ ସମ୍ପର୍କରେ ବ୍ଲକ ଶିକ୍ଷା ବିଭାଗର କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ଧନୁର୍ଜୟପୁର ପଞ୍ଚାୟତର ନୁଆରଗୁଡି ଗ୍ରାମରେ ଥିବା ରାମହରି ୟୁପିଏମ ଇ ସ୍କୁଲରେ ୭ଟି ଶ୍ରେଣୀ ଥିବାବେଳେ ୫ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ତନ୍ମଧ୍ୟରୁ ଜଣେ ଶିକ୍ଷକ ଗତ ୩ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବିନା ଅନୁମତିରେ ଛୁଟିରେ ରହିବା ସହ ଗତ କାଲି ପ୍ରବଳ ମଦ ପିଇ ସ୍କୁଲକୁ ଆସିଥିଲେ । ଫଳରେ ତାଙ୍କ ଚାଲି ଚଳନି ଓ ପାଟିରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ସ୍କୁଲର ପ୍ରଧାନ ଶିକ୍ଷକ ଓ କମଟି ସଦସ୍ୟମାନେ ତାଙ୍କୁ ଶ୍ରେଣୀଗୃହକୁ ଶିକ୍ଷାଦାନ କରିବାକୁ ବାରଣ କରିଥିଲେ । କିନ୍ତୁ ଶିକ୍ଷକ ଜଣକ ଶିକ୍ଷାଦାନ କରିବାକୁ ବାଧ୍ୟ କରିଥିଲେ । ଗ୍ରାମବାସୀମାନେ ତାର ଆଲକହଲ ଟେଷ୍ଟିଂ ମଧ୍ୟ କରିଥିଲେ । ଯେଉଁଥିରେ କି ସେ ୮୦ପରସେଣ୍ଟ ଆଲକହଲ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ସ୍କୁଲ କମିଟିର ସଦସ୍ୟ ମାନେ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସୁଚନା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମାତ୍ର କୌଣସି ବ୍ଲକ ସ୍ତରୀୟ ଅଧିକାରୀ ସେ ସ୍କୁଲକୁ ଯାଇ ନଥିଲେ । ଫଳରେ ଦୀର୍ଘ ସମୟ ଧରି ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁର୍ବରୁ ମଧ୍ୟ ଏହି ଶିକ୍ଷକ ଜଣକ ସ୍କୁଲ ହତା ଭିତରେ ନିଶାଶକ୍ତ ହୋଇ ପଡିବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ ଜଣେ ଶିକ୍ଷକ ନିୟମିତ ନିଶାଶକ୍ତ ହୋଇ ସ୍କୁଲ ଗଲେ ସ୍କୁଲରେ କିପରି ଶିକ୍ଷାଦାନ ହେବ ଓ କିନି କୁନି ପିଲାମାନେ କଣ ଏଥିରୁ ଶିକ୍ଷାଲାଭ କରିବେ । ସରକାର ଏହି ମଦୁଆ ଶିକ୍ଷକ ମାନଙ୍କ ପାଇଁ କଠୋର ନିୟମ ଲାଗୁ କରିଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କାହିଁକି ଏହି ଶିକ୍ଷକଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଛି ବୋଲି ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ କହିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ