ନିିମାପଡା କପାଳୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିମାପଡା କପାଳୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ୨୯ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ସେବାୟତ କମିଟି ଦ୍ୱାରା ଯଜ୍ଞ ଓ ନାମସଂକୀର୍ତ୍ତନ ଆୟୋଜିତ ହୋଇଥିଲା । ଆଦର୍ଶ ଶିକ୍ଷକ, ସମାଜସେବୀ, ଆଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱ, ବିଶ୍ୱ ହିନ୍ଦୁ ପରିଷଦର ସଙ୍ଗଠକ, ଜଗନ୍ନାଥ ସଂସ୍କୃତିପ୍ରେମୀ ଏହି ଗାଁ ମାଟିର ପୁଅ ପଣ୍ଡିତ ସ୍ୱର୍ଗତ ପୁରୁଷୋତ୍ତମ କରଶର୍ମାଙ୍କ ଦ୍ୱାରା ସ୍ଥାପିତ ଏହି ମନ୍ଦିର ୧୯୯୫ ମସିହା ଏପ୍ରିଲ ୨ରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ପୂଜ୍ୟ ଗୁରୁଜୀ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପବିତ୍ର କରକମଳରେ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ପ୍ରତିଷ୍ଠା ପରେ ଏହି ପୁଣ୍ୟକ୍ଷେତ୍ର କପାଳୀ କ୍ଷେତ୍ର ଭାବେ ନାମିତ ହୋଇଥିଲା । ଭଜନ ସମ୍ରାଟ ଭିକାରୀ ବଳଙ୍କ ସମେତ ମହାପ୍ରଭୁଙ୍କ ଅନେକ ପରମ ଭକ୍ତ ଏହି କ୍ଷେତ୍ରରେ ପଦାର୍ପଣ କରି କପାଳୀକ୍ଷେତ୍ରକୁ ଆହୁରି ପ୍ରାଣବନ୍ତ କରିଥିଲେ । ପ୍ରତିଷ୍ଠା ଦିନରୁ ୯ ବର୍ଷ ଯାଏ ପୁରୁଷୋତ୍ତମଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଖପାଖ ଗ୍ରାମର କିଛି ଧର୍ମପରାୟଣ ବ୍ୟକ୍ତିଙ୍କୁ ନେଇ ଗଠିତ ସେବାୟତ କମିଟି ଦ୍ୱାରା ମନ୍ଦିରର ସେବାନୀତି ଚାଲିଥିଲା । ପ୍ରତିଷ୍ଠା ବର୍ଷ ଠାରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଗତ ୨୦୦୩ ମସିହାରେ ପ୍ରତିଷ୍ଠାତା ପୁରୁଷୋତ୍ତମଙ୍କ ଦେହାନ୍ତ ପରେ ଆଖପାଖ ଗ୍ରାମର ବହୁ ଜଗନ୍ନାଥ ପ୍ରେମୀ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ମନ୍ଦିର ସହ ଯୋଡି ହୋଇ ସେବାୟତ ସମିତିର ପୁନର୍ଗଠନ କରି ଓଡିଶାର ଏହି ଅନନ୍ୟ ପୁରୁଷୋତ୍ତମ କ୍ଷେତ୍ର କପାଳୀକ୍ଷେତ୍ରର ଗାରିମା ବଢାଇ ଚାଲିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ