ନିୟମିତ ଆସୁନାହାନ୍ତି ଅଧିକାରୀ: ଜନ୍ମ, ମୃତ୍ୟୁ ସାର୍ଟିଫିକେଟ ନପାଇ ଲୋକେ ନିରାଶ
ନିମାପଡା (ସନ୍ତୋଷ ଦାଶ): ନିମାପଡ଼ା ବ୍ଲକ ଚାରିଛକ ମେଡିକାଲ ପରିସରରେ ଥିବା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କେନ୍ଦ୍ରକୁ ନିୟମିତ ଆସୁନାହାନ୍ତି ଅଧିକାରୀ । ଫଳରେ ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ ପାଇଁ କେନ୍ଦ୍ରକୁ ଆସୁଥିବା ଲୋକେ ଅଧି କାରୀଙ୍କୁ ନପାଇ ନିରାଶରେ ଫେରୁଥିବା ଅଭିଯୋଗ ହେଉଛି । ଦୈନିକ ବିଭିନ୍ନ ଅଞ୍ଚଳରୁ ଲୋକେ ଜନ୍ମ ମୃତ୍ୟୁ ସାର୍ଟିଫିକେଟ ହାସଲ କରିବା ପାଇଁ ଆବଶ୍ୟକ କାଗଜ ପତ୍ର ଦାଖଲ ସହିତ ସାର୍ଟିଫିକେଟ ନେବା ପାଇଁ କେନ୍ଦ୍ରକୁ ଆସିଥାନ୍ତି । ଉକ୍ତ କେନ୍ଦ୍ରର ଅଧିକାରୀ ରମାକାନ୍ତ ନାୟକ କେନ୍ଦ୍ରକୁ ସଠିକ ସମୟରେ ନ ପହଞ୍ଚିବା ଏବଂ ଅନେକ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଲଙ୍କପଡ଼ା ଗ୍ରାମର ବ୍ରହ୍ମାନନ୍ଦ ଭୋଇ, ଅରିଷଣ୍ଡ ପଞ୍ଚାୟତର ରାହୁଲ ନାୟକ, ଗଡସିଠାର ପ୍ରଦୀପ ବେହେରା, ଶିବନାଥ ପ୍ରଧାନ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସାର୍ଟିଫିକେଟ ଦିଆଯାଉନଥିବା ନେଇ ଅଭିଯୋଗ କରିଛନ୍ତି । ଚାରିଛକ ମେଡିକାଲ ଇନଚାର୍ଜ ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ଶ୍ରୀ ନାୟକ ଠିକ ସମୟରେ କେନ୍ଦ୍ରକୁ ନଆସିବା ସହିତ ସାର୍ଟିଫିକେଟ ପ୍ରଦାନରେ ବିଳମ୍ବ ନେଇ ଲୋକେ ମୋ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ।