ନୀଳକଣ୍ଠେଶ୍ୱର ମନ୍ଦିରରେ ମକର ମେଳା ଆରମ୍ଭ
ଘଟଗାଁ,(ଯୁଗାବ୍ଦନ୍ୟୁଜ)-ଆଜି ସାରା ଭାରତ ମକର ସଂକ୍ରାନ୍ତି ପାଳନ କରୁଥିବା ବେଳେ ବହୁ ଭକ୍ତ ମନ୍ଦିରକୁ ଯାଇ ପବିତ୍ର ମକର ସଂକ୍ରାନ୍ତିରେ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ତେବେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମକର ସଂକ୍ରାନ୍ତି କୁ ଏକ ଗଣ ପର୍ବ ଭାବେ ମାନ୍ୟତା ମିଳିଛି । ଏହି ଅବସରରେ ସମଗ୍ର କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖରୀତ ହୋଇଥାଏ । ମାଘ ମାସର ପ୍ରଥମ ସଂକ୍ରାନ୍ତିକୁ ମକର ସଂକ୍ରାନ୍ତି ଭାବେ ପାଳିତ ହେଉଥିବା ବେଳେ ଘଟଗାଁର ବାରାହାଟିପୁରାରେ ଏହି ପର୍ବ ୧୫ ଦିନ ପର୍ଯ୍ୟନ୍ତ ପାଳିତ ହୁଏ । ବାରାହାଟିପୁରା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ପରେ ମନ୍ଦିର ତଳେ ଥିବା ଗୁମ୍ଫା (ମକର ବେଢା) ଭ୍ରମଣ କଲେ ପାପ ଧୋଇ ହୋଇଯାଏ ବୋଲି ଭକ୍ତ ମାନଙ୍କ ବିଶ୍ୱାସ ରହିଛି । ଏଥି ସହିତ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏଠାରେ ଏକ ମେଳା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଆଜି ଘଟଗାଁ ମା ତାରିଣୀଙ୍କ ନିକଟରେ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରାତଃ ମା ଙ୍କର ମଙ୍କଳା ଆଳତି, ବଡସିଂହାର ବେଶ ଏବଂ ଯଥା ରିତି ପୂଜାର୍ଚ୍ଚନା କରାଯିବା ସହିତ ଆଜି ମାଙ୍କ ସୁନା ବେଶ ମଧ୍ୟ ଦେହୁରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ଭକ୍ତ ମାନେ ମକର ବୁଡ ପକାଇ ମାଙ୍କ ଆଶିଷ ଭିକ୍ଷା କରିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଭକ୍ତ ମାନଙ୍କ ଭିଡକୁ ଦୃଷ୍ଟି ଆଗରେ ରଖି ମନ୍ଦିର ପ୍ରଶାସନ
ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।