ନୀଳାଚଳ ଟାଟାକୁ ବିକ୍ରି ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ : କେନ୍ଦ୍ରୀୟ ଶ୍ରମିକ ସଂଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :୮ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଆଇଏନ୍‌ଟିୟୁସି କାର୍ଯ୍ୟାଳୟଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ସେୱା ଓ ଏଲ୍‌ପିଏଫ୍‌ର ଶ୍ରମିକ ନେତାମାନେ ନୀଳାଚଳ ଇସ୍ପାତ କାରଖାନାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟାଟାକୁ ବିକ୍ରି କରିବାରେ ଦାୟୀ ବୋଲି ମତପ୍ରକାଶ କରିଛନ୍ତି । ନୀଳାଚଳ ଇସ୍ପାତର ସମ୍ପତ୍ତିକୁ ସଠିକ୍ ମୂଲ୍ୟାୟନ ନକରି ଶାଗମାଛ ଦରରେ ଟାଟାକୁ ୧୨ ହଜାର ୧୦୦କୋଟି ଟଙ୍କାରେ ବିକ୍ରି କରିବା ଏକ ଚଞ୍ଚକତା ବୋଲି ଶ୍ରମିକ ନେତାମାନେ କ୍ଷୋଭପ୍ରକାଶ କରିଛନ୍ତି । ସରକାର ଶ୍ରମିକମାନଙ୍କ ସହିତ କୌଣସି ଆଲୋଚନା ନକରି ବିକ୍ରି କରିବା ଏକ ଲଜ୍ଜାଜନକ କଥା । ନୀଳାଚଳ ଇସ୍ପାତକୁ ରାଉରକେଲା ଷ୍ଟିଲପ୍ଲାଣ୍ଟ ସହିତ ମିଶାଇ ଏତେବଡ଼ କାରଖାନାକୁ ପୁର୍ନଜୀବିତ କରାଯାଇ ପାରିଥାନ୍ତା । ଏହା ନକରି କର୍ପୋରେଟମାନଙ୍କ ସ୍ୱାର୍ଥରେ ଉଭୟ ସରକାର ସାଲିସ୍ କରିଛନ୍ତି ଓ ଏହାକୁ ୮ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦୃଢ ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇକରଣରୁ ଦୂରେଇ ରହି ରାଜ୍ୟ ସରକାର ଏହାକୁ ୩୯ ପ୍ରତିଶତ ଅଂଶଧନରେ ଚଳାଇଥାନ୍ତେ, ଓଡ଼ିଶାର ବହୁ ବେକାରୀ ଯୁବକ ନିଯୁକ୍ତିର ସୁଯୋଗ ପାଇଥାନ୍ତେି । ଏହି ବୈଠକରେ ଆଇଏନ୍‌ଟିୟୁସିର ସଭାପତି ପାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, ଏଚ୍‌ଏମ୍‌ଏସ୍‌ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସିଟୁର ସଭାପତି ଜନାର୍ଦ୍ଦନ ପତି, ଏଆଇୟୁଟିୟୁସିର ନିରଞ୍ଜନ ମହାନ୍ତି, ଏଆସିସିଟିୟୁର ସଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଟିୟୁସିସିର ନେତା ଜ୍ୟୋତିରଞ୍ଜନ ମହାପାତ୍ର, ଏଲ୍‌ପିଏଫ୍‌ର ସଭାପତି ବିି.ପି. ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ