ନୁଆଁଖାଇ ପର୍ବ ପାଇଁ ସମସ୍ତ ଙ୍କୁ ଜୁହାର

ନିମାପଡ଼ା, (ସନ୍ତୋଷ ଦାଶ):ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ଯତା ଗଢି ଉଠିଥିଲା । କେଉଁ ଆବାହନ କାଳ ରୁ ଭାରତ ବର୍ଷରେ ପାଳିତ ହେଉଥିବା ପର୍ବ ପର୍ବାଣି ମଧ୍ୟରେ ଦେବୀ ପୂଜା ମହାନ ପର୍ବ ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତରେ ନୁଆଁ ଶସ୍ଯ ପୂଜାର ପରମ୍ପରା ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ଓଡିଶାରେ ପଶ୍ଚିମ ପ୍ରାନ୍ତ ରେ ଏହି କୃଷି ଭିତ୍ତିକ ପର୍ବ ” ନୁଆଁଖାଇ ” ନାମରେ ପାଳିତ ହୋଇ ଆସୁଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ପର୍ବ ଏକ ନିର୍ଦ୍ଧିଷ୍ଟ ସମୟରେ ପାଳନ କରାଯାଏ ଯାହା କୁ ” ଲଗ୍ନ ” କୁହାଯାଏ ।ଜନଶ୍ରୁତି କଲେ – ଦ୍ବାଦଶ ଶତାବ୍ଦୀରେ ପାଟନା ରାଜ୍ୟ ବର୍ତ୍ତମାନ ର ବଲାଙ୍ଗୀର ର ଚୌହାନ ବଂଶର ରାଜା ” ରମାଇ ଦେଓ ” ଙ୍କ ସମୟ ରୁ ନୁଆଁଖାଇ ପର୍ବ ପାଳନ ର ପରମ୍ପରା ଆରମ୍ଭ ହୋଇଛି । ପଶ୍ଚିମ ଓଡିଶା ମୁଖ୍ୟତଃ ଏକ ଶକ୍ତିପୀଠ ହୋଇଥିବା ରୁ ନୁଆଁ ଅନ୍ନ ପ୍ରଥମେ ମାଁ ସମଲେଶ୍ବରୀ (ସମ୍ବଲପୁର) ମାଁ ସୁରେଶ୍ବରୀ ( ସୋନପୁର ) ମାଁ ପାଟଣେଶ୍ବରୀ ( ବଲାଙ୍ଗୀର ) ମାଁ ମାଣିକେଶ୍ବରୀ ( କଳାହାଣ୍ଡି ) ଓ ଅନ୍ଯାନା ଗ୍ରାମ ଗୁଡିକ ର ଆରାଧ୍ଯ ଗ୍ରାମଦେବୀ ଙ୍କ ଠାରେ ପ୍ରଥମେ ନୁଆଁ ଅନ୍ନ ଅର୍ପଣ କରାଯାଇଥାଏ । କୁରେଇ ପତ୍ର ର ଦନା ମୁଖ୍ଯତଃ ପର୍ବରେ ପାଳନ କରା ଯାଇଯାଏ । ଏହି ସବୁ ପୀଠ ଗୁଡିକ ରେ ଅନ୍ନ ଅର୍ପଣ ପରେ ଘର ର ସମସ୍ତ ସଦସ୍ୟ ଏକାଠି ବସି ନୁଆଁ ଅନ୍ନ ଖାଇଥାଆନ୍ତି ଓ ଖାଇ ସାରିବା ପରେ ବଡ ଲୋକ ଙ୍କୁ ସମସ୍ତେ ପାଦ ଛୁଇଁ ଜୁହାର କରି ଥାଆନ୍ତି । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ତଥା ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତି ର ବାର୍ତ୍ତା ସୁଚାଇଥାଏ | ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସ ର ଶୁକ୍ଲପକ୍ଷରେ ପଶ୍ଚିମ ଓଡିଶାର ଜନସାଧାରଣ ନୁଆଁଖାଇ ପର୍ବ ପାଳନ କରନ୍ତି ।ଏହା ମୂଳତଃ ଏକ କୃଷି ଭିତ୍ତିକ ପର୍ବ ।କ୍ଷେତର ପ୍ରଥମ ଅନ୍ନ କଣା କୁ ନିଜର କୁଳଦେବୀ, ଇଷ୍ଟଦେବୀ ଓ ଗ୍ରାମ ଦେବୀଂକୁ ଅର୍ପଣ କରିବା ସହିତ ପ୍ରଥମ ଅନ୍ନ ଉତ୍ପାଦନ ର ଉଲ୍ଲାସ କୁ ପାର୍ବଣ ରୂପେ ପାଳନ କରିବା ଏହି ଉତ୍ସବର ଏକମାତ୍ର ଉଦ୍ଦେଶ୍ୟ।ଏହା ଏମିତି ଏକ ଗଣପର୍ବ ଯେଉଁଥିରେ ଜାତି, ବର୍ଣ, ଲିଂଗ, ଏପରିକି ଧର୍ମର ମଧ୍ୟ ବିଭେଦ ନଥାଏ। ଗ୍ରାମ ଠୁଁ ସହର, ଗରୀବ ଠୁଁ ଧନୀ, ରାଜା ଠୁଁ ପ୍ରଜା, ସମସ୍ତେ ଗୋଟିଏ ଦିନରେ, ଗୋଟିଏ ନିର୍ଦ୍ଧାରିତ ଲଗ୍ନରେ, ଗୋଟିଏ ବିଧି ବିଧାନରେ ଓ ଗୋଟିଏ ପ୍ରଥାରେ ନୁଆଁ ଖାଇଥାନ୍ତି । ହିନ୍ଦୁ ପରମ୍ପରା ରେ ଏହା ଅନ୍ନ ବ୍ରହ୍ମର ପୂଜା ପାଇଁ ନବାନ୍ନ ଉତ୍ସବ ହୋଇଥିବା ବେଳେ ଆଦିବାସୀ ଜୀବନରେ ଏହା ନବାଖାନୀ,ହୋରୋନବାଇ,ନବାଖାଇ ଇତ୍ୟାଦି। ସମାଜଶାସ୍ତ୍ରୀ ମାନେ ଏହାକୁ ମୂଳତଃ ଆଦିବାସୀ ପରମ୍ପରା ର ପର୍ବ ବୋଲି ସ୍ଵୀକାର କରୁଥିଲେ ମଧ୍ୟ ଏଥିରେ ହିନ୍ଦୁ ବ୍ରାହ୍ମଣ ପରମ୍ପରା ର ପ୍ରଭାବ ସମାହିତ ହୋଇଛି । ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ଗଡଜାତ ରାଜ୍ୟରେ ଭିନ୍ନ ଭିନ୍ନ ଇଷ୍ଟ ଦେବୀ ଯଥା- ସମ୍ବଲପୁର ରେ ସମଲେଶ୍ବରୀ, ସୋନପୁରରେ ସୁରେଶ୍ଵରୀ, ବଲାଂଗୀରରେ ପାଟଣେଶ୍ଵରୀ, କଳାହାଣ୍ଡିରେ ମାଣିକେଶ୍ଵରୀ ଙ୍କ ନାମରେ ଭାଦ୍ରବ ଶୁକ୍ଲପକ୍ଷ ର ବିଭିନ୍ନ ଦିନରେ ନୁଆଁଖାଇ ପାଳନ କରାଯାଉଥିଲା ୧୯୯୧ ରୁ ପଶ୍ଚିମ ଓଡିଶାର ସମସ୍ତେ ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥି କୁ ନୁଆଁଖାଇ ଭାବେ ପାଳନ କରି ଆସୁଛନ୍ତି ।ଭାଦ୍ରବ ମାସ ସାରା ନୁଆଁଖାଇକୁ ନେଇ ସାଜସଜ୍ଜା ଜାରି ରହିଥାଏ। ପ୍ରଥମ କାର୍ଯ୍ୟ ଭାବରେ ଜନ୍ମାଷ୍ଟମୀ ପରଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ଓ ଗଣକ ମାନେ ଏକାଠି ହୋଇ ନୁଆଁଖାଇର ଲଗ୍ନ ନିର୍ଣୟ କରିଥାନ୍ତି ।ତାପରେ ଆରମ୍ଭ ହୁଏ କିଣା ବିକା, ସଜବାଜ, ଲିପାପୋଛା ଓ ଘର ଫେରନ୍ତା ପର୍ବ । ବର୍ଷରେ ଥରେ ନୁଆଁଖାଇ ତିହାର ଲାଗି ପରିବାରର ଯିଏ ଯେଉଁଠି ଥାଆନ୍ତୁ ଘରକୁ ଫେରି ଆସନ୍ତି ଓ ପରିବାର ଏକତ୍ର ନୁଆଧାନ ରେ ପ୍ରସ୍ତୁତ ଅନ୍ନ କୁ ପ୍ରସାଦ ଭାବେ ସେବନ କରିଥାନ୍ତି। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ । ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ । ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ ପାଖକୁ ଉପହାର ନେଇ ଶୋଭାଯାତ୍ରା ରେ ଯିବାକୁ ହୁଏ। ଏହି ଶୋଭା ଯାତ୍ରା କୁ ପାହୁର୍ ଯାତ୍ରା ବୋଲି କୁହାଯାଏ । ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି । ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ। ନୁଆଁଖାଇରେ ରକମ ରକମ ର ପିଠା ମଣ୍ଡା, କାକରା, ମିଠା ଓ ତରକାରୀ ପ୍ରସ୍ତୁତ କରାଯାଏ। ବର୍ଷର ସବୁଠୁ ଭଲ ଖାଦ୍ୟ ଏହି ଦିନ ଘରେ ପ୍ରସ୍ତୁତ ହୋଇଥାଏ। ନୁଆଖାଇ ହେଉଛି ସବୁ ପ୍ରକାର ସାଂସ୍କୃତିକ ଓ ସାମାଜିକ ସୌନ୍ଦର୍ଯ୍ୟ ର ମିଳନ ପର୍ବ । ଖାଇ ସାରିବା ପରେ ଛୁର୍, କବାଡି ଇତ୍ୟାଦି ଖେଳରେ ସମସ୍ତେ ଏକତ୍ରିତ ହୁଅନ୍ତି। ସଂଧ୍ୟାରେ ନାଚ ଗୀତ ଓ ପାରମ୍ପରିକ ଲୋକ କଳା ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ପଶ୍ଚିମ ଓଡିଶାର ଜୀବନବୋଧ ହେଉଛି ଗୋଟେ ନୁଆଁଖାଇ ରୁ ଆଉ ଗୋଟେ ନୁଆଁଖାଇ ପର୍ଯନ୍ତ ଗୋଟିଏ ବର୍ଷ । ତେଣୁ କଥାରେ ଅଛି ଜିଇଂ ଜାଗି ଥିଲେ ବଛରେ- ନୁଆଁଖାଇ ଜୁହାର୍ । ବିଶେଷ ଭାବରେ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ମନୁଷ୍ୟ ର ଜୀବନ ଜୀବିକା ନିର୍ବାହ କରିଥାଏ।କେଉଁ ଆଦିମକାଳରୁ ମନୁଷ୍ୟ ପ୍ରକୃତି ସହ ଓତଃପ୍ରୋତ ଭାବରେ ଜଡିତ।ସେ କଞ୍ଚା ମାଂସ ଖାଇଛି।ପରେ ପୋଡା ମାଂସ ଖାଇଲା।ଧିରେ ଧିରେ ଚାଷ କରିବା ଆରମ୍ଭକଲା।ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର,ଗଛ,ପାହାଡ,ଅଗ୍ନି କୁ ପୂଜା କରିଛି।କୃଷି ପାଇଁ ଧରଣୀ ମାଁ କୁ ଗୁହାରି କରିଛି।ପ୍ରଥମ ଶସ୍ୟ ଉତ୍ପାଦନ ହେଲେ ଧରଣୀ ମାଁକୁ ସମର୍ପି ଥାଏ।ପରେ ସମସ୍ତ ପରିବାର ମଧ୍ୟରେ ଆହାର କରାଯାଏ।କ୍ଷୁଧା ନିବାରଣାର୍ଥେ ଜଗଂଳ ଜାତ ଦ୍ରବ୍ଯ ସହ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରିଆସିଛି।ନିଜେ ଉତ୍ପନ୍ନ କରି ନିଜ ପରିବାର ପ୍ରତିପୋଷଣ କରିଆସିଛି।ଆହାର ପାଇଁ ଅନ୍ୟ କାହାଉପରେ ନିର୍ଭରଶୀଳ ନ ହୋଇ ସ୍ବାବଲମ୍ବି ହେବାପାଇଁ ଚେଷ୍ଟା କରିଛି।ସମୟକ୍ରମେ ମାନବ ସଭ୍ୟତା ବିକଶିତ ହୋଇଛି।ମଣିଷର ପ୍ରତ୍ୟେକ କ୍ଷେତ୍ରରେ ଢେରସାରା ପରିବର୍ତ୍ତନ ଘଟିଛି।ଏହି ପରିବର୍ତନ ଭିତରେ ମଣିଷ ଭୂଲିନାହି ପ୍ରକୃତି ଉପସନାର ପରପଂରା।ଯିଏ ତାକୁ ଯାହାଦିଏ ପ୍ରତିଦାନ ରେ କୃତଜ୍ଞତା ଜଣାଇଥାଏ।ଏମିତି ଏକ ପାରମ୍ପାରିକ ପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ଭାବରେ ସୁପରିଚିତ।ସଧାରଣତଃ ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟ କୁ ନିଜେ ପ୍ରଥମେ ଭକ୍ଷଣ କରିବା ପୂର୍ବରୁ ଦିଅଁ ଦେବତା,ଠାକୁର, ଠାକୁରାଣୀ, ଗ୍ରାମ ଦେବାଦେବୀ କୁ ଦୈବେଦ୍ୟ କରି ପରିବାର ଏକତ୍ରୀତ ହୋଇ ଭକ୍ଷଣ କରିବାକୁ ନୂଆଖାଇ କୁହାଯାଏ। ଯେହେତୁ ଅନ୍ନ ମାଧ୍ୟମରେ ବର୍ଷ ତମାମ ମଣିଷ ଭୋକ ମେଣ୍ଟାଇ ଥାଏ ତେଣୁ ନୂଆଧାନରୁ ପ୍ରଥମ କରି ଅନ୍ନ ଭକ୍ଷଣ କରିବା ପୂର୍ବରୁ ନିଜ ଦିଅଁଦେବତା ଗ୍ରାମ ଦେବାଦେବୀ କୁ ଭୋଗ ଲଗାଇଥାଏ।କାହିଁ କେଉଁ ଅନାଦି କାଳରୁ ଏହି ପରମ୍ପରା ପ୍ରଚଳିତ ହେଇଆସୁଛି। ନୂଆଖାଇ ଏହି ନିଆରା ପ୍ରଥା,ପରମ୍ପରା ମଣିଷ କୁ ସ୍ବାବଲମ୍ବି ହେବାପାଇଁ ଶିକ୍ଷା ପ୍ରଦାନ ସହ ସଦଭାବନା,ଶାନ୍ତି, ମୈତ୍ରୀ, ଭାତୃଭାବ ପ୍ରତିଷ୍ଠା ଦିଗରେ ସହାୟକ ହୋଇଥାଏ।ଏହିପରି ଏକ ମହାନ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରିବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ